ସୁଧୁରି ଯାଅ, ନହେଲେ ସୁଧାରି ଦେବୁ: ଅପରାଧୀଙ୍କୁ ବିଧାନସଭାରୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ
ଆମ ସରକାରଙ୍କ ପାଇଁ ଅପରାଧୀର ଗୋଟିଏ ଠିକଣା, "ଜେଲ୍ର ଚାରିକାନ୍ଥ'। ଓଡିଶାରେ ଅପରାଧୀଙ୍କୁ ରାଜନୈତିକ ସୁରକ୍ଷା ଅବଧି ସରିଯାଇଛି । ଏହା ଆଉ ନବୀକରଣ ହେବାର ସୁଯୋଗ ନାହିଁ । ରାଜ୍ୟରେ ଏବେ ଆଇନ-କାନୁନର ରାଜୁତି । ପୂର୍ବରୁ ରାଜ୍ୟର ଥାନାଗୁଡିକୁ କିପରି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ବ୍ୟବହାର କରୁଥିଲା, ତାହା ଓଡ଼ିଶାବାସୀ ଜାଣିଛନ୍ତି । ତେଣୁ ସବୁ ଅପରାଧୀ ସୁଧୁରି ଯାଆନ୍ତୁ । ମୁଁ ସେମାନଙ୍କୁ ସୁଧାରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇସାରିଛି । ଗୁରୁବାର ବିଧାନସଭାରେ ଗୃହ ବିଭାଗର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବା ଅବସରରେ ରାଜନୈତିକ ଅପରାଧୀଙ୍କୁ ଏପରି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାରଙ୍କ ପାଇଁ ଅପରାଧୀର ଗୋଟିଏ ଠିକଣା, "ଜେଲ୍ର ଚାରିକାନ୍ଥ' । ଓଡିଶାବାସୀ ସରକାରଙ୍କ ଏହି ଅପରାଧ ନିୟନ୍ତ୍ରଣ ପ୍ରତିବଦ୍ଧତା ବିଷୟରେ ଜାଣି ସାରିଲେଣି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି । ଏହାର ପ୍ରମାଣ ହେଉଛି, ଗତ ଦେଢ ବର୍ଷରେ ଓଡିଶାରେ ଅନେକ ଜାତୀୟ, ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଓ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ୧୫ ମାସରେ ସାତ ଥର ଓଡ଼ିଶା ଆସିଛନ୍ତି । କୌଣସି ବଡ଼ ଧରଣର ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ । କିଛି ଅଞ୍ଚଳରେ ଷଡଯନ୍ତ୍ର କରି ଆମ ସରକାରଙ୍କୁ ବଦନାମ କରିବା ପାଇଁ ଯେଉଁ ପ୍ରୟାସ କରାଯାଇଥିଲା, ଆମ ସରକାର ତାକୁ ଦୃଢ ହସ୍ତରେ ଦମନ କରିଛନ୍ତି ।

ବିଜେଡି ସରକାର ଓ ଗତ ୧୫ ମାସରେ ବିଜେପି ସରକାର ସମୟରେ ଅପରାଧର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ୧୫ ମାସରେ ଦୁଷ୍କର୍ମ ମାମଲା ୩% ହ୍ରାସ ପାଇଛି ।ଅସଦାଚରଣ ମାମଲା ୧.୯% କମିଛି । ଯୌନ ନିର୍ଯାତନା ମାମଲା ୦.୭% ବୃଦ୍ଧି ପାଇଥିବା ବେଳେ ସର୍ବସାଧାରଣରେ ନିର୍ବସ୍ତ୍ର ମାମଲା ୨୨.୨% କମିଛି । ମହିଳାମାନଙ୍କ ଉପରେ ଏସିଡ୍ ଆକ୍ରମଣ ମାମଲା ୬୬.୭% ହ୍ରାସ ପାଇଛି । ମହିଳା ଚାଲାଣ ମାମଲା ୨୪.୧% କମିଥିବା ବେଳେ ଯୌତୁକ ହତ୍ୟା ମାମଲା ୨୦.୬% ହ୍ରାସ ପାଇଛି । ହତ୍ୟା ୬.୧%, ଡକାୟତି ୫.୫%, ଲୁଟ୍ ୩୩.୮%, ଦଙ୍ଗା ମାମଲା ୨୨.୨% ହ୍ରାସ ପାଇଛି । ମାନବ ଚାଲାଣ ଓ ଶିଶୁ ନିଖୋଜ ସମସ୍ୟାର ମୁକାବିଲା କରିବା ପାଇଁ ୩୬ଟି ପୁଲିସ ଜିଲ୍ଲାରେ ସମନ୍ୱିତ ମାନବ ଚାଲାଣ ପ୍ରତିରୋଧ ଶାଖା, ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାରେ ଗୋଟିଏ ସମନ୍ୱିତ ମାନବ ଚାଲାଣ ପ୍ରତିରୋଧ ଶାଖା କାର୍ଯ୍ୟ କରୁଛି ।
ମୂଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ପୁଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ପୁଲିସ ଆଧୁନିକୀକରଣ ପାଇଁ ୩ଟି ଓଏସଏସଏଫ୍ ବାଟାଲିୟନ, ୩ଟି ଓଆଇଏସଏଫ୍ ବାଟାଲିୟନ, ୧୦ଟି ନୂଆ ଓଡ୍ରାଫ୍ ୟୁନିଟ୍, ଗୋଟିଏ ଟ୍ରାଫିକ୍ ଓ ରୋଡ଼ ସେଫ୍ଟି ୱିଙ୍ଗ୍, ଚଣ୍ଡୀଖୋଲରେ ଗୋଟିଏ ଏସଡିପିଓ କାର୍ଯ୍ୟାଳୟ, ୨୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଓ ରାଇରଙ୍ଗପୁରରେ ଗୋଟିଏ ନୂଆ ପୁଲିସ ଜିଲ୍ଲା ପ୍ରତିଷ୍ଠା କରାଯାଇଛି । ଗୃହ ବିଭାଗରେ ମୋଟ ୧୫ ହଜାର ୩୨୬ଟି ନୂଆ ପଦବୀ ସୃଷ୍ଟି କରାଯାଇଛି । ୩ ହଜାର ୫୫୭ଟି ବିଭିନ୍ନ ବର୍ଗର ପଦବୀରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ।
ସାଇବର ଅପରାଧ ତଦନ୍ତର ଦୃଢୀକରଣ ପାଇଁ ବିଭିନ୍ନ ବର୍ଗର ୯୯୯ଟି ପଦବୀ ନେଇ ୨୧ଟି ନୂଆ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନା ସୃଷ୍ଟି କରାଯାଇଛି । ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନା ପାଇଁ ୧୭୦ଟି ସାଇବର ଏକ୍ସପର୍ଟ ପଦବୀ ସୃଷ୍ଟି କରାଯାଇଛି । ଥାନାର ପ୍ରତ୍ୟେକ ତଦନ୍ତକାରୀ ଅଧିକାରୀଙ୍କ ନିମନ୍ତେ ଲାପଟପ୍, ସ୍ମାର୍ଟଫୋନ୍, ହାର୍ଡଡିସ୍କ, ପେନ ଡ୍ରାଇଭ୍ ଦେବାକୁ ପଦକ୍ଷେପ ନିଆଯାଇଛି । ପୁଲିସ ଇତିହାସରେ ପ୍ରଥମ ଥର ପାଇଁ ତଦନ୍ତକାରୀ ଅଧିକାରୀଙ୍କ ତଦନ୍ତ ଖର୍ଚ୍ଚ ନିମନ୍ତେ ପୁଲିସ୍ ବିଭାଗକୁ ୫୦ କୋଟି ଟଙ୍କା ଦିଆଯାଇଛି ।
ସେହିପରି ରାଜ୍ୟର ପ୍ରତ୍ୟେକ ଥାନାକୁ ଦ୍ରୁତଗାମୀ ସ୍କ୍ରପିଓ ଯୋଗାଇ ଦିଆଯାଇଛି । ତଦନ୍ତକାରୀ ଅଧିକାରୀଙ୍କୁ ୩ ହଜାର ୬୫୫ଟି ଦୁଇ ଚକିଆ ଯାନ ଦିଆଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୫ଟି ଟ୍ରଲର ଭଡା ସୂତ୍ରରେ ନିୟୋଜିତ କରିବା ପାଇଁ ଅନୁମୋଦନ ହୋଇଛି । ଆମ ସରକାର କନେଷ୍ଟବଳରୁ ଇନ୍ସପେକ୍ଟର ପର୍ଯ୍ୟନ୍ତ ପୋଷାକ ଭତ୍ତା ବୃଦ୍ଧି କରିଛନ୍ତି । କନେଷ୍ଟବଳ, ହାବିଲଦାରଙ୍କୁ ବର୍ଦ୍ଧିତ ହାରରେ ଏକ ମାସର ଅତିରିକ୍ତ ଦରମା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ପ୍ରସ୍ତାବିତ ୨୬୧ କୋଟି ୭୯ ଲକ୍ଷ ଟଙ୍କାର ଅତିରିକ୍ତ ବ୍ୟୟବରାଦ ପ୍ରସ୍ତାବଟିକୁ ସ୍ୱୀକୃତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ପରେ ବାଚନିକ ଭୋଟରେ ବାଚସ୍ପତି ଏହି ବିଲକୁ ପାରିତ କରିଥିଲେ ।
ସେହିପରି ମୁଖ୍ୟମନ୍ତ୍ରୀ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ କରି କହିଥିଲେ, ଆମ ସରକାର ପାଞ୍ଚ ବର୍ଷ ମଧ୍ୟରେ ଦେଢ ଲକ୍ଷ ସରକାରୀ ପଦବୀକୁ ନିରପେକ୍ଷ ଓ ସ୍ୱଚ୍ଛତାର ସହିତ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି କ୍ରମରେ ରାଜ୍ୟ ସରକାର ପ୍ରଥମ ଦିନରୁ ଏ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ନିଯୁକ୍ତି ମେଳା ଆୟୋଜନ କରି ୩୭ ହଜାର ୩୭୧ ଜଣ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି । ସେହିପରି ଆଗାମୀ କିଛି ମାସରେ ଆଉ ୪୩ ହଜାର ୪୪୭ଟି ପଦବୀକୁ ପୂରଣ କରିବା ପାଇଁ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାକୁ ଅଧିକୃତ କରିଛନ୍ତି । ଅଧିକରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ନିମନ୍ତେ ରାଜ୍ୟ ସରକାର ସର୍ବୋଚ୍ଚ ବୟସ ସୀମାକୁ ୪୨ ବର୍ଷକୁ ବୃଦ୍ଧି କରିଛନ୍ତି ।
ଦେଢ ବର୍ଷ ମଧ୍ୟରେ ମୁଁ ବ୍ୟକ୍ତିଗତ ଭାବେ ଜନଶୁଣାଣିରେ ପ୍ରାୟ ୧୨ ହଜାର ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧାର ଶୁଣାଣି କରି ତାହାର ସମାଧାନ ତ୍ୱରିତ କରିବାରେ ସମର୍ଥ ହୋଇଛନ୍ତି । ଏହା ବ୍ୟତୀତ ଗତ ଦେଢ ବର୍ଷ ମଧ୍ୟରେ ୩ ଲକ୍ଷ ୭୯ ହଜାର ୧୬୦ଟି ଅଭିଯୋଗ ଜନଶୁଣାଣି ପୋର୍ଟାଲ ମାଧ୍ୟମରେ ଗ୍ରହଣ କରାଯାଇଥିବା ବେଳେ, ସେଥି ମଧ୍ୟରୁ ୨ ଲକ୍ଷ ୮୪ ହଜାର ୧୯୯ଟି ଅଭିଯୋଗର ସମାଧାନ ହୋଇଛି ।
ସରକାର ଦୁର୍ନୀତି ବିରୋଧରେ "ଶୂନ୍ୟ ସହନଶୀଳତା' ନୀତି ଅବଲମ୍ୱନ କରୁଛନ୍ତି । ଦେଢ ବର୍ଷରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ୫୫୪ ଜଣଙ୍କ ବିରୋଧରେ ୩୨୪ଟି ମାମଲା ରୁଜୁ କରାଯାଇଛି । ଏହି ସମୟରେ ୨୦୮ କୋଟି ୨୩ ଲକ୍ଷ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ୧୪୭ ଜଣ ବ୍ୟକ୍ତିଙ୍କ ବିରୋଧରେ ୮୨ଟି ମକଦ୍ଦମା ରୁଜୁ କରାଯାଇଛି । ସେଥି ମଧ୍ୟରୁ ୪୮ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୨୧ ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଓ ୭୮ ଜଣ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଓ ସାଧାରଣ ବ୍ୟକ୍ତି । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଗତ କରାଯାଇଥିବା ୫୯ କୋଟି ୩୬ ଲକ୍ଷ ୨୮ ହଜାର ଟଙ୍କାର ଅତିରିକ୍ତ ବ୍ୟୟ ବରାଦକୁ ପାରିତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।
-
ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ -
ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ , ସ୍ଵାଭାବିକ ଚାଲିଛି ପ୍ରଶ୍ନକାଳ -
ରାଜ୍ୟସଭା ନିର୍ବାଚନ; ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି, ଜାଣନ୍ତୁ ଓଡ଼ିଶା ପାଇଁ କାହାକୁ ମିଳିଲା ଦାୟିତ୍ୱ -
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମୁହାମୁହିଁ ହେବେ ଶାସକ- ବିରୋଧୀ, ଆଜିଠୁ ପୁଣି କମ୍ପିବ ବିଧାନସଭା -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଭକ୍ତଙ୍କୁ ଏବେ ନବୀନ ଭୂତ ଲାଗିଛି, ୧୬ ସେ ଭୂତ ଛାଡ଼ିଯିବ ; ବାବୁ ସିଂ -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ଯଥେଷ୍ଟ ତେଲ ଅଛି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
କାହିଁକି ଏହି ଦୁଇ ଦେବତା ଶନିଦେବ ଏବଂ ଯମମହାରାଜ କଳା ପୋଷାକ ପିନ୍ଧନ୍ତି, ଏହି ରଙ୍ଗର କ'ଣ ମହତ୍ତ୍ୱ ଅଛି ?












Click it and Unblock the Notifications