ଭୁବନେଶ୍ୱରରେ ଖୋଲିବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’
ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଏକ 'ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର' । ୨୦୨୬ ଏପ୍ରିଲ ୧ ଅର୍ଥାତ୍ 'ଓଡ଼ିଶା ଦିବସ' ଅବସରରେ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଏକ 'ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର'। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଭିଏଫଏସ ଗ୍ଲୋବାଲ ଗ୍ରୁପର ପ୍ରତିଷ୍ଠାତା ତଥା ସିଇଓ ଜୁବିନ କର୍କାରିଆ ସୂଚନା ଦେଇଛନ୍ତି।

ଓଡ଼ିଶାରୁ ବିଦେଶକୁ ଉଚ୍ଚଶିକ୍ଷା ଓ ବ୍ୟବସାୟ ପାଇଁ ଯାଉଥିବା ଯୁବବର୍ଗଙ୍କ ସୁବିଧା ପାଇଁ ଧର୍ମେନ୍ଦ୍ର ୨୦୨୫ ସେପ୍ଟେମ୍ବର ୨ରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍. ଜୟଶଙ୍କରଙ୍କୁ ପତ୍ର ଲେଖି ଏକ ସ୍ଥାନୀୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ। ଏଥିସହିତ ସେ ଭିଏଫଏସର ଗ୍ଲୋବାଲ ସିଇଓ ଜୁବିନ କର୍କାରିଆଙ୍କ ସହ ଆଲୋଚନା କରିଥିଲେ। ଭିଏଫଏସର ଗ୍ଲୋବାଲ ସିଇଓ ଏହି ପ୍ରସ୍ତାବକୁ ସ୍ୱୀକାର କରି ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ର ଖୋଲିବା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ରରୁ ୟୁକେ ଏବଂ କେତେକ ବଛାବଛା ଦେଶ ପାଇଁ ଭିସା ଆବେଦନ ଗ୍ରହଣ କରାଯିବ। ପରବର୍ତ୍ତୀ ସମୟରେ ଚାହିଦା ଅନୁଯାୟୀ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ। ଏହି କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତି ପ୍ରଦାନ କରାଯିବ। ଭିସା କେନ୍ଦ୍ର ସହିତ 'ଭିସା କନସିଅର୍ଜ ସେବା' ମଧ୍ୟ ଉପଲବ୍ଧ ହେବ, ଯାହା ଫର୍ମ ପୂରଣ, ବୀମା ଏବଂ ଅନ୍ୟାନ୍ୟ ପ୍ରକ୍ରିୟାକୁ ସହଜ କରିବ।
ଧର୍ମେନ୍ଦ୍ର ପ୍ରଧାନ 'ଏକ୍ସ'ରେ ଏ ନେଇ ଖୁସି ବ୍ୟକ୍ତ କରିବା ସହ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଭିଏଫଏସର ଗ୍ଲୋବାଲ ସିଇଓ ଜୁବିନ କର୍କାରିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀମାନଙ୍କୁ ଆଉ ଭିସା କାମ ପାଇଁ କୋଲକାତା କିମ୍ବା ଅନ୍ୟ ସହରକୁ ଯିବାକୁ ପଡ଼ିବ ନାହିଁ। ଏହାଦ୍ୱାରା ସେମାନଙ୍କର ସମୟ, ଅର୍ଥ ଓ ପରିଶ୍ରମ ବଞ୍ଚିବା ସହ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଓଡ଼ିଶାର ଆନ୍ତର୍ଜାତୀୟ ସଂଯୋଗୀକରଣ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି କେନ୍ଦ୍ରର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଭିଏଫଏସ ଗ୍ଲୋବାଲ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଏହି ପଦକ୍ଷେପ ଓଡ଼ିଶାର ଆନ୍ତର୍ଜାତୀୟ ସଂଯୋଗୀକରଣକୁ ଏକ ନୂତନ ଦିଗ ଦେବ।












Click it and Unblock the Notifications