ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପର୍ଣ୍ଣ ହେଲା ମାଇକେଲ୍ କିଣ୍ଡୋଙ୍କ ଶେଷକୃତ୍ୟ
ନୂଆ ବର୍ଷରେ ବିଦାୟ ନେଲେ ଓଡିଶାର କିମ୍ବଦନ୍ତୀ ହକି ଖେଳାଳି ତଥା ହକି ଅଲିମ୍ପିଆନ୍ ମାଇକେଲ୍ କିଣ୍ଡୋ । ଆଜି ରାଉରକେଲା ହମିରପୁର ଚର୍ଚ୍ଚରେ କିଣ୍ଡୋଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ରାଉରକେଲା: ନୂଆ ବର୍ଷରେ ବିଦାୟ ନେଲେ ଓଡିଶାର କିମ୍ବଦନ୍ତୀ ହକି ଖେଳାଳି ତଥା ହକି ଅଲିମ୍ପିଆନ୍ ମାଇକେଲ୍ କିଣ୍ଡୋ । ଆଜି ରାଉରକେଲା ହମିରପୁର ଚର୍ଚ୍ଚରେ କିଣ୍ଡୋଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ତେବେ ତାଙ୍କ ମର ଶରୀରକୁ ହସ୍ପିଟାଲରୁ ପ୍ରଥମେ ତାଙ୍କ ବାସଭବନ ଓ ପରେ ସେଠାରୁ ସେକ୍ଟର-୫ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ନିଆଯାଇଥିଲା । ଯେଉଁଠାରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହା ପରେ ହମିରପୁର ଚର୍ଚ୍ଚରେ ତାଙ୍କୁ ଗ୍ରାଭିୟାର୍ଡ ଦିଆଯାଇଥିଲା। ସେଠାରେ ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ, ମ୍ୟୁନିସିପାଲ କର୍ପୋରେସନର କମିଶନର ଦିବ୍ୟଜ୍ୟୋତି ପରିଡ଼ା, ପାନପୋଷ ଉପଜିଲ୍ଲାପାଳ ଦୌଲତ କୁମାର, ଡେପୁଟୀ କମିଶନର ସୁଧାଂଶୁ ଶେଖର ଭୋଇ ଓ ସୀତାଦେବୀ ମାଝୀ, ରାଜ୍ୟ ହକି ଉନ୍ନୟନ କମିଟିର ଚେୟାରମ୍ୟାନ୍ ଦିଲୀପ ତିର୍କୀ, ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଜିଏମ୍ ଅଜୟ ନାୟକ, ସିଜିଏମ୍ ବିଜୟ ରାଉତ ଓ ଧୀରେନ ମିଶ୍ର, ଡିଏସଓ ତେଜ୍ କୁମାର ଖେସ୍ ଉପସ୍ଥିତ ରହି ଏହି ମହାନ ହକି ତାରକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ, ଗତକାଲି ମାଇକେଲ କିଣ୍ଡୋଙ୍କ 74 ବର୍ଷ ବୟସରେ ଦେହାନ୍ତ ଘଟିଥିଲା । ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ମାସେ ଧରି ମାଇକେଲ କିଣ୍ଡୋ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟଅବସ୍ଥା ବିଗୁଡ଼ୁଥିବା ଦେଖି ଡାକ୍ତର ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ। ଗତ ୭ ଦିନ ଧରି ସେ ଆଇସିୟୁରେ ଥିଲେ। ଶେଷରେ ବର୍ଷର ଶେଷ ଦିନରେ ଦେହ ତ୍ୟାଗ କରିଥିଲେ କିଣ୍ଡୋ ।
୧୯୭୫ ଭାରତୀୟ ବିଶ୍ବକପ ବିଜୟୀ ହକି ଦଳର ସେ ଜଣେ ପ୍ରମୁଖ ସଦସ୍ୟ ଥିଲେ । ଦଳରେ ଥିଲେ ଜଣେ ଆଗ ଧାଡିର ଡିଫେଣ୍ଡର । ସେ ଅଲିମ୍ପିକ୍ ଗେମ୍ସରେ ବ୍ରୋଞ୍ଜ ଏବଂ ବିଶ୍ୱକପରେ ସମସ୍ତ 3 ବର୍ଗର ପଦକ ଜିତିଥିଲେ। ଏଥି ସହ ସେ ଅର୍ଜୁନ ପୁରଷ୍କାରର ବିଜେତା ମଧ୍ୟ ଥିଲେ । ପ୍ରଥମ ଆଦିବାସୀ ହକି ଖେଳାଳି ଭାବେ ମାଇକେଲଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା । ବିହାରର ରାଇଘମାରେ ୨୦ ଜୁନ୍ ୧୯୪୭ରେ ଜନ୍ମଗ୍ରହଣ କରିଥିଲେ ମାଇକେଲ୍ । ପିଲାଟି ଦିନରୁ ବିଦ୍ୟାଳୟରେ ପଢ଼ିବା ବେଳୁ ହକି ପ୍ରତି ଥିଲା ତାଙ୍କ ଆଗ୍ରହ । ସ୍କୁଲ୍ ଶିକ୍ଷା ଶେଷ ପରେ ମାଇକେଲ୍ କିଣ୍ଡୋ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ ।












Click it and Unblock the Notifications