ତେଲ ଦର: କେନ୍ଦ୍ର କମାଇଲା, ରାଜ୍ୟ କେବେ ?
କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ କମାଇ ପରେ ଏବେ ପାଳି ପଡିଛି ରାଜ୍ୟ । ରାଜ୍ୟ ସରକାର ପେଟ୍ରେଲ ଡିଜେଲ ଉପରୁ ଭାଟ୍ କମାନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ପ୍ରକାଶ ପାଇଛି ।
ଭୁବନେଶ୍ୱର: ସାରା ଦେଶରେ କମିଲା ତେଲ ଦର । ଗତାକାଲି ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି । ଫଳରେ ପେଟ୍ରୋଲ 9.36 ଟଙ୍କା ଓ ଡିଜେଲ 7 ଟଙ୍କା ହ୍ରାସ ପାଇଛି । ତେବେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ କମାଇ ପରେ ଏବେ ପାଳି ପଡିଛି ରାଜ୍ୟ । ରାଜ୍ୟ ସରକାର ପେଟ୍ରେଲ ଡିଜେଲ ଉପରୁ ଭାଟ୍ କମାନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ପ୍ରକାଶ ପାଇଛି ।

ରାଜ୍ୟ ସରକାର ତୁରନ୍ତ ଭାଟ୍ ହ୍ରାସ କରନ୍ତୁ ବୋଲି ବିଜେପି ସାଂସଦ ଅପରାଜିତ ଷଡ଼ଙ୍ଗୀ ଦାବି କରିଛନ୍ତି। ସେ କହିଛନ୍ତି, କେନ୍ଦ୍ର ଭଳି ସବୁ ରାଜ୍ୟ ସରକାର ଶୁଳ୍କ ହ୍ରାସ ନିଷ୍ପତ୍ତି ନେଲେ ଲୋକେ ଉପକୃତ ହେବେ। ସେପଟେ ତୈଳ ଦର ହ୍ରାସ ଲାଗି ରାଜ୍ୟ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ କଂଗ୍ରେସ ଦାବି କରିଛି।
ଅନ୍ୟପକ୍ଷେ, ଏ ପ୍ରସଙ୍ଗରେ ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, 'ତୈଳ ଦର ହ୍ରାସ ଲାଗି ରାଜ୍ୟ ସରକାର ଶୁଳ୍କ ହ୍ରାସ ସମ୍ପର୍କରେ ତର୍ଜମା କରି କିଛି ନିଷ୍ପତ୍ତି ନେବା ଆଶା କରାଯାଉଛି। ପେଟ୍ରୋଲ ଦାମ କମାଇବା ପାଇଁ କେନ୍ଦ୍ର ସରକାରଙ୍କ ଯେତିକି ସ୍କୋପ ରହିଛି, ରାଜ୍ୟ ସରକାରଙ୍କର ନାହିଁ ବୋଲି ଅମର କହିଛନ୍ତି ।
ଆସନ୍ତୁ ଜାଣିବା ଦର କମିଲା ପରେ କେଉଁଛି କେମିତି ରହିଛି ନୂଆ ରେଟ୍...
ଭୁବନେଶ୍ୱରରେ ପେଟ୍ରୋଲ ଦାମ ୧୧୨ ଟଙ୍କା ୫୦ ପଇସାରୁ ୧୦୩ ଟଙ୍କା ୧୯ ପଇସାକୁ ଖସିଯାଇଛି । ସେହିଭଳି ୧୦୨ଟଙ୍କା ୨୪ ପଇସା ଥିବା ଡିଜେଲ ଲିଟର ମୂଲ୍ୟ ୯୪ ଟଙ୍କା ୭୬ ପଇସାକୁ ଖସିଯାଇଛି । କଟକରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୫୪ ପଇସା, ବ୍ରହ୍ୱପୁରରେ ପେଟ୍ରୋଲ ୧୦୪ ଟଙ୍କା ୬୬ ପଇସା, ସମ୍ବଲପୁରରେ ୧୦୩ଟଙ୍କା ୮୫ ପଇସାରେ ବିକ୍ରି ହେଉଛି । ମାଲକାନଗିରିରେ ପେଟ୍ରୋଲ ଲିଟର ୧୦୮ ଟଙ୍କା ୭୩ ପଇସା ଓ ଡିଜେଲ ଲିଟର ୧୦୦ଟଙ୍କା ୧୨ ପଇସା ହୋଇଛି ।












Click it and Unblock the Notifications