ଆଜିଠୁ ନର୍ସିଂ କର୍ମଚାରୀଙ୍କ ସିରିଞ୍ଜ୍ ଛାଡ଼ ଆନ୍ଦୋଳନ; ୧୦ ଦଫା ଦାବି ନେଇ ଜିଦ୍ରେ ଅଟଳ ନର୍ସିଂ କର୍ମଚାରୀ
ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । ଏସ୍ମା ଲାଗୁ ସତ୍ତ୍ୱେ ଜିଦ୍ରେ ରହିଛନ୍ତି ନର୍ସିଂ ଅଫିସର । ବୁଧବାରଠାରୁ କେବଳ ଜରୁରିକାଳୀନ ସେବା ଜାରି ରହିଥିଲା। ଶୁକ୍ରବାରଠାରୁ ଜରୁରିକାଳୀନ ସେବାକୁ ମଧ୍ୟ ବନ୍ଦ ରଖାଯିବ । ରାଜ୍ୟର ସମସ୍ତ ନର୍ସିଂ କର୍ମଚାରୀ କାମ ବନ୍ଦ କରି ଆନ୍ଦୋଳନ ଜାରି ରଖିବେ ବୋଲି ସଂଘ ସଭାନେତ୍ରୀ ସୁଚିସ୍ମିତା ଦାଶ ସୂଚନା ଦେଇଛନ୍ତି।
ବୁଧବାର ସ୍ବାସ୍ଥ୍ୟ ସଚିବ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ହୋଇଥିବା ଆଲୋଚନାକୁ ନେଇ ସଂଘ ସନ୍ତୁଷ୍ଟ ନ ଥିବା କହିଛି । ତେଣୁ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରି ଆଲୋଚନା କରିବାକୁ ଦାବି କରାଯାଇଛି । ଏଥିସହ ମୁଖ୍ୟମନ୍ତ୍ରୀ କିମ୍ବା ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଆଲୋଚନାକୁ ଆସିବାକୁ ସଂଘ ଆହ୍ବାନ କରିଛି । ବାରମ୍ବାର ଦାବି ସତ୍ତ୍ୱେ ପଦକ୍ଷେପ ନିଆଯାଉ ନ ଥିବାରୁ ଏବେ ଯାହା ପରିଣାମ ହେବ ସେ ନେଇ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏପଟେ ୩ ଦିନ ହେବ ନର୍ସିଂ କର୍ମଚାରୀ କାର୍ଯ୍ୟବନ୍ଦ କରିଥିବାରୁ ରାଜ୍ୟର ବିଭିନ୍ନ ମେଡିକାଲରେ ରୋଗୀ ସେବା ବ୍ୟାହତ ହୋଇଛି । ଏପରିସ୍ଥଳେ ଜରୁରିକାଳୀନ ସେବା ବନ୍ଦ କଲେ ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଅପରପକ୍ଷେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଦାବି ପୂରଣ ପାଇଁ ଗୁରୁବାର ବିଭାଗସ୍ତରୀୟ ଆଲୋଚନା କରାଯାଇଥିଲା । ସରକାର ପରିସ୍ଥିତିର ଅନୁଧ୍ୟାନ କରି ସଂଘ ଦ୍ୱାରା ଉପସ୍ଥାପନ କରାଯାଇଥିବା ବିଭିନ୍ନ ଦାବି ଉପରେ ବିଚାରବିମର୍ଶ କରିବା ପାଇଁ ଏକ ଆନ୍ତଃବିଭାଗୀୟ କମିଟି ଗଠନ କରାଯିବ । ତେଣୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟସେବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଆନ୍ଦୋଳନକାରୀ ନର୍ସିଂ ଅଫିସରମାନେ ଆନ୍ଦୋଳରୁ ଓହରି କାର୍ଯ୍ୟରେ ଯୋଗଦେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।












Click it and Unblock the Notifications