ପ୍ରକଳ୍ପର ଡିଜାଇନ ପ୍ରସ୍ତୁତି ଠାରୁ ଡିପିଆର...ଗଠନ ହେବ ‘ଷ୍ଟେଟ ସ୍ପେଶାଲ ସେଲ’, ସିଙ୍ଗଲ ଓ୍ବିଣ୍ଡୋ ସେଲ୍ ଭାବେ କରିବ କାମ
ଭୁବନେଶ୍ୱର: ରାଜ୍ୟରେ ବୃହତ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ପୁଞ୍ଜି ଖର୍ଚ୍ଚ ପାଇଁ ଚଳିତ ବର୍ଷ ସରକାର ୬୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଏହି ବ୍ୟୟ ବରାଦକୁ ସଠିକ ଭାବେ ଖର୍ଚ୍ଚ କରିବାକୁ ହେଲେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ନକ୍ସା ପ୍ରସ୍ତୁତି ବିଳମ୍ବ ହେଲେ ପ୍ରକଳ୍ପ କାମ ବି ବିଳମ୍ବିତ ହେଉଛି । ଏହାଦ୍ବାରା ସମୟ ସୀମା ବୃଦ୍ଧି ହେବା ସହ ବ୍ୟୟ ବରାଦ ମଧ୍ୟ ବଢୁଛି । ଏହି ସମସ୍ୟାର ସମାଧାନ କରିବାକୁ ସ୍ୱତନ୍ତ୍ର ସେଲ୍ ଗଠନ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପ୍ରସ୍ତାବିତ ଏହି ସେଲ୍ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବାକୁ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ କାମ କରିବ । ଏହି ସେଲ ବିଭିନ୍ନ ବିଭାଗ ଦ୍ବାରା ପରିଚାଳିତ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରୀ କରିବାକୁ ଡିଜାଇନ ପ୍ରସ୍ତୁତି ଠାରୁ ଆରମ୍ଭ କରି ଡିପିଆର ପ୍ରସ୍ତୁତି ପର୍ଯ୍ୟନ୍ତ ସାହାଯ୍ୟ କରିବ । ପ୍ରକଳ୍ପଗୁଡିକୁ ନିରନ୍ତର ସମୀକ୍ଷା ଓ ମୂଲ୍ୟାୟନ କରିବ ଏହି ସେଲ । ଏହାଦ୍ବାରା ଏହି ସେଲ ସବୁ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଏକ ସିଙ୍ଗଲ ଓ୍ବିଣ୍ଡୋ ସେଲ ଭଳି କାମ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଗତ ମାର୍ଚ୍ଚ ୧୮ ତାରିଖରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପାଖକୁ ଏନେଇ ଏକ କନ୍ସେପ୍ଟ ନୋଟ ମାଧ୍ୟମରେ ଏହି ନିର୍ଦ୍ଦେଶ ଦେବା ସହ ସେଲ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ପ୍ରଶାସନ ଏଦିଗରେ ଆଗକୁ ବଢ଼ିଛି । ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ସବୁ ବିଭାଗୀୟ ମୁଖ୍ୟମାନେ ଏହି ବୈଠକରେ ଯୋଗ ଦେବେ । ଏଥିପାଇଁ ଯୋଜନା ଓ ସଂଯୋଜନା ବିଭାଗକୁ ସବୁ ବିଭାଗୀୟ ମୁଖ୍ୟଙ୍କ ସହ ସମନ୍ବୟ ରକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ଲେଖାଯାଇଛି ।
ଏହି ସେଲ କେବଳ ଡିଜାଇନ ଓ ଡିପିଆର ଯାଞ୍ଚରେ ସୀମିତ ରହିବ ନାହିଁ । ସରକାରୀ ଇଞ୍ଜିନିୟର ଓ ବୈଷୟିକ କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ନିୟମିତ ପ୍ରଶିକ୍ଷଣ, ସମ୍ପୂର୍ଣ୍ଣ ଗୁଣବତ୍ତା ପରିଚାଳନା, ନୂତନ ନିର୍ମାଣ ପ୍ରଯୁକ୍ତି ଓ ଜଳବାୟୁ ସହନଶୀଳ ଭିତ୍ତିଭୂମି ଉପରେ ଗବେଷଣାକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ । ପ୍ରକଳ୍ପର ଡିଜାଇନ୍, ନିର୍ମାଣ ସାମଗ୍ରୀ ଓ ପ୍ରଯୁକ୍ତିର ଗୁଣବତ୍ତା ଯାଞ୍ଚ ପାଇଁ କ୍ୱାଲିଟି ଆସ୍ୟୁରାନ୍ସ ଏବଂ ଟେକ୍ନିକାଲ ଅଡିଟ ବ୍ୟବସ୍ଥା ମଧ୍ୟ ରହିବ । ଗବେଷଣା ଓ ବୈଷୟିକ କ୍ଷମତା ବୃଦ୍ଧି ପାଇଁ ଆଇଆଇଟି ଭୁବନେଶ୍ୱର, ଏନ୍ଆଇଟି ରାଉରକେଲା, ବିପିୟୁଟି, ଆଉଟର୍ ଏବଂ ସ୍କୁଲ୍ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର ଭଳି ଅଗ୍ରଣୀ ଅନୁଷ୍ଠାନକ ସହଯୋଗ ନିଆଯିବ ।












Click it and Unblock the Notifications