ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍; ୧୬ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ
ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିଲା। ଏବେ ୧୬ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ।ରାଜ୍ୟରେ ଜାରି ରହିଛି ବର୍ଷା । ପୁଣି ଆସୁଛି ଆଉ ଏକ ବଡ଼ ବର୍ଷା। ଆଜିଠାରୁ ବଢିବ ବର୍ଷାର ପରିମାଣ। ୧୬ ଯାଏଁ ପ୍ରବଳ ବର୍ଷା ହୋଇପାରେ। ୧୩ ତାରିଖରେ ଉତ୍ତର ପଶ୍ଚିମ ଓ ଏହାର ପାଶ୍ବବର୍ତ୍ତି ଜିଲ୍ଲାରେ ଅଧିକ ବର୍ଷାର ସମ୍ଭାବନା ଅଛି। ଦକ୍ଷିଣ ଓଡି଼ଶାର କିଛି ସ୍ଥାନରେ ବି ବର୍ଷା ହେବ। ୧୪ ରୁ ୧୬ ଯାଏଁ ପଶ୍ଚିମ ଓଡି଼ଶାରେ ପ୍ରବଳ ବର୍ଷା ହୋଇପାରେ। ଛତିଶଗଡ଼ରେ ବି ଲଗାଣ ବର୍ଷା ଆଶଙ୍କା ରହିଛି। ସାମ୍ଭାବ୍ୟ ଲଘୁଚାପରୁ ଅବପାତ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏଭଳି ବର୍ଷା ହୋଇପାରେ। ଯଦି ଏମିତି ହୁଏ, ତେବେ ମହାନନୀ ଫୁଲିପାରେ।
ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ଅଛି। ଏହା ଘନୀଭୂତ ହୋଇ ଶୁକ୍ରବାର ବେଳକୁ ଉପକୂଳ ବାଂଲାଦେଶ ଓ ପାଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ। ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତରେ ପରିଣତ ହେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ ଉପକୂଳ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ଆସିବ। ଏହାର ପ୍ରଭାବରେ ଶୁକ୍ରବାର ଠାରୁ ବର୍ଷା ବଢିବ।

ଆଜି ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କଳାହାଣ୍ତିରେ ପ୍ରବଳରୁ ଅତି ପ୍ରବଳ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି। ନବରଙ୍ଗପୁର, କୋରାପୁଟ୍,ମାଲକାନଗିରି, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,କଟକ, ଜଗତସିଂହପୁର, ରାୟଗଡା ଓ ଗଜପତିରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। କେତେକ ଜିଲ୍ଲାରେ ବଜ୍ରାପାତ ଆଶଙ୍କା ରହିଛି। ସେହିପରି ୧୪ ତାରିଖରେ ଉତ୍ତର ଓଡି଼ଶାରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।












Click it and Unblock the Notifications