ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ ଖୋଲିଲା, ବର୍ତ୍ତମାନ ୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ
ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିଚାଳିଛି। ମହାନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କରୁଛି। ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ଆଜି ଅପରାହଣରେ ପୁଣି ୪ଟି ଗେଟ୍ ଖୋଲି ଦିଆଯାଇଛି। ଆଜି ପୂର୍ବାହ୍ଣ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ୪ଟି ଗେଟ୍ ଖୋଲି ଦିଆଯାଇଥିଲା।ସୂଚନା ମୁତାବକ ବର୍ତ୍ତମାନ ୪ଟି ଗେଟ୍ ଖୋଲିବା ପରେ ସମୁଦାୟ ୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଲଗାଣ ବର୍ଷା ପରେ ବୃଦ୍ଧି ପାଉଛି ହୀରାକୁଦ ଜଳସ୍ତର।
ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ପଶ୍ଚିମ ଦିଗରେ ଝାଡ଼ଖଣ୍ଡ ମଧ୍ୟ ଦେଇ ଲଘୁଚାପ କ୍ଷେତ୍ର ଗତିକରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 27 ଯାଏଁ ( ଆଗାମୀ ୫ ଦିନ) ପ୍ରବଳ ବର୍ଷିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଗତ ଜୁଲାଇ ୬ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଏକକାଳୀନ ୨୦ ଟି ସ୍ଲୁଇସ ଗେଟ ଖୋଲାଯାଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରେ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରୁ ପର୍ୟଯାୟକ୍ରମେ ଗତ ଅଗଷ୍ଟ ୩ ତାରିଖରେ ଜଳଭଣ୍ଡାରର ସମସ୍ତ ସ୍କୁଇସ ଗେଟକୁ ବନ୍ଦ କରି ଦିଆଯାଇଥିଲା। ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇବାରୁ ଆଜି ଜଳଭଣ୍ଡାରରୁ ପୁଣିଥରେ ଦ୍ବିତୀୟ ପର୍ଯାୟ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ମିଳିଥିବା ଶେଷ ସୂଚନା ଅନୁସାରେ ଜଳଭଣ୍ଡାରର ଜଳ ପତ୍ତନ ୬୨୦.୫୦ ଫୁଟ ରହିଥିଲା।
ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରହାରି ୨ ଲକ୍ଷ ୫୨ ହାଜର ୪୫୫ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ଘନଫୁଟ ଅତିରିକ୍ତ ବନ୍ୟାଜଳ ନିଷ୍କାସିତ ହେଉଉଛି। ଜଳଭଣ୍ଡାର ପାଣିପାଗ ନିମନ୍ତ୍ରଣ କକ୍ଷ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାର ଉପରମୁଣ୍ଡରେ ୨୧.୬୩ ମିଲିମିଟର ଓ ତଳମୁଣ୍ଡରେ ୨୭.୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।












Click it and Unblock the Notifications