ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ, ନୀଳଗିରି ଆସନରୁ ଦୁଇ ଥର କଂଗ୍ରେସ ବିଧାୟକ ଥିଲେ
ନୀଳଗିରିର ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ। ୭୮ ବର୍ଷ ବୟସରେ ଦେହାନ୍ତ। କାହାଳିଆ ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଅକ୍ଷୟ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

କଂଗ୍ରେସ ଟିକେଟରେ ନୀଳଗିରି ଆସନରୁ ଲଢି ଅକ୍ଷୟ ଆଚାର୍ଯ୍ୟ ଦୁଇ ଥର ବିଧାୟକ ହୋଇଥିଲେ। ସେ ୧୯୮୦-୮୫ ଏବଂ ୧୯୯୫-୨୦୦୦ ଯାଏଁ ବିଧାୟକ ଥିଲେ । ଅକ୍ଷୟ କୁମାର ଆଚାର୍ଯ୍ୟ ୧୯୬୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଇନ୍ଦିରା କଂଗ୍ରେସରେ ଯୋଗ ଦେଇଥିଲେ। ଅକ୍ଷୟ ୧୯୮୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଇନ୍ଦିରା କଂଗ୍ରେସର ପ୍ରାର୍ଥୀ ଭାବରେ ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।
ଅକ୍ଷୟ କୁମାର ଆଚାର୍ଯ୍ୟ ୧୯୪୮ ମସିହାର ଜୁଲାଇ ମାସ ୨୬ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅର୍ଜୁନ ଆଚାର୍ଯ୍ୟ । ସେ କଳାରେ ସ୍ନାତକ କରିଥିଲେ। ପରେ ସେ ଓକିଲାତି ପଢ଼ିଥିଲେ ଏବଂ ଜଣେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ । ଅକ୍ଷୟଙ୍କର ପତ୍ନୀଙ୍କ ନାମ ଜୟନ୍ତୀ ଆଚାର୍ଯ୍ୟ । ତାଙ୍କର ୪ଜଣ ସନ୍ତାନ ଅଛନ୍ତି।












Click it and Unblock the Notifications