ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ
ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଚାଲିଛି ଶିକାରୀଙ୍କ ଆତଙ୍କ ରାଜ୍ । ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ମୃତକ ଫରେଷ୍ଟ ଗାର୍ଡ ଜଣଙ୍କ ହେଲେ ଶିମିଳିପାଳର ନଅଣା ସାଉଥ୍ ରେଞ୍ଜର ବିମଳ କୁମାର ଜେନା ।
ସୂଚନା ଅନୁସାରେ, ଗତକାଲି ବିମଳ ଅନ୍ୟ ୪ ଜଣ ବନ କର୍ମଚାରୀଙ୍କ ସହ ନଅଣା ସାଉଥ୍ ରେଞ୍ଜରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଶିକାରୀଙ୍କ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ଶିକାରୀଙ୍କ ପାଖରୁ ଦେଶୀ ବନ୍ଧୁକ ସମେତ କିଛି ବନ୍ୟ ଜୀବଜନ୍ତୁଙ୍କର ମାଂସ ମଧ୍ୟ ଜବତ କରିଥିଲା ବନ ବଭାଗ କର୍ମଚାରୀ । ଏହା ପରେ ସମସ୍ତେ ବିଟ୍ ହାଉସ୍ ଫେରି ଆସିଥିଲେ ହେଲେ ବିମଳ ଫେରି ନଥିଲେ ।

ବିଟ୍ ହାଉସରୁ କିଛି ଦୂରରେ ଛିଡା ହୋଇ ସେ ଫୋନରେ କଥା ହେବା ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ବିମଳଙ୍କୁ ଡାକ୍ତର
ମୃତ ଘୋଷଣା କରିଥିଲେ ।
ବିମଳଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ପାଇଁ ବମିଳଙ୍କ ପରିବାର ଲୋକେ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ମୟୂରଭଞ୍ଜ ପୋଲିସର ପାଞ୍ଚ ଜଣିଆ ଟିମ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଶିମିଳିପାଳ ଅଭୟାରଣ୍ୟର ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି ।
ସୂଚନାଥାଉ ଯେ, ମୃତ ଫରେଷ୍ଟ ଗାର୍ଡ ବିମଳଙ୍କ ସ୍ତ୍ରୀ ମଧ୍ୟ ଜଣେ ଫରେଷ୍ଟ ଗାର୍ଡ । ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ।












Click it and Unblock the Notifications