ଆହୁରି କଲବଲ କରିବ ରାଜ୍ୟରେ କୁହୁଡି, ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି
ସକାଳୁ କଲବଲ କରୁଛି ଘନ କୁହୁଡି । ଏବେ ମିଳିବନି ନିସ୍ତାର। ଆହୁରି ତିନି ଦିନ ଯାଏ ମିଳିବନି ମୁକ୍ତି। ୩୦ ମିଟର ଦିଶୁନି ରାସ୍ତା ଘାଟ। ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଉଛି। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ପାଇଁ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ଆସନ୍ତା ୪ରୁ ୫ ଦିନ ଯାଏ ତାପମାତ୍ରାରେ ପରିବର୍ତ୍ତନ ହେବନାହିଁ।

ସୋମବାର ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ନୟାଗଡ଼, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ ବୌଦ୍ଧରେ ଘନ କୁହୁଡ଼ି ରହିବ। ୨୮ ତାରିଖରେ ବି ଘନ କୁହୁଡି ନେଇ କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ରହିବ ଭିଜିବିଲିଟି । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି। ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।
ବର୍ତ୍ତମାନ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ କୁହୁଡି ମାତ୍ରା ବୃଦ୍ଧି ପାଉଛି । ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି।












Click it and Unblock the Notifications