ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ: ୟୁଜିସି ଗଢ଼ିଲା ଫ୍ୟାକୁ ଫାଇଣ୍ଡିଂ ଟିମ୍
ମୃତ୍ୟୁ ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଆକ୍ରୋଶ ଲାଗି ରହିଥିବାବେଳେ ଘଟଣାର ନିରପେକ୍ଷ ନ୍ୟାୟିକ ତଦନ୍ତ ହେବା ଜରୁରୀ ବୋଲି କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ସଦସ୍ୟା ଗୋପାମୁଦ୍ରା ମହାପାତ୍ର କହିଛନ୍ତି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ତାଙ୍କୁ ବ୍ୟକ୍ତିଗତ ଭାବେ ବ୍ୟଥିତ କରିଛି ଓ ସେ ଗତ ସପ୍ତାହରେ ଦୁଇରୁ ତିନିଥର କଥା ହୋଇ ତାଙ୍କୁ ବୁଝାସୁଝା କରିଥିବା ଓ ୯ତାରିଖରେ ତଦନ୍ତ ରିପୋର୍ଟ ଦାଖଲ ସମୟରେ ମଧ୍ୟ ଏଜୁକେସନ୍ ବିଭାଗର ଏଚଓଡି ସମୀର କୁମାର ସାହୁଙ୍କୁ ତୁରନ୍ତ ପରିବର୍ତ୍ତନ କରିବାକୁ କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ପରାମର୍ଶ ଦେଇଥିଲେ ବୋଲି ସ୍ପଷ୍ଟ କରିଛନ୍ତି ।
ଏପଟେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିଜଆଡ଼ୁ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ଆଜି ଏକ ୪ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି ଓ ଉକ୍ତ ଟିମକୁ ସପ୍ତାହକ ମଧ୍ୟରେ ସରଜମିନ୍ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କ'ଣ କହିଲେ ଆଇସିସି ସଦସ୍ୟା
ଏଫଏମ୍ କଲେଜର ଆଇସିସି କମିଟି ସଦସ୍ୟା ତଥା ବାଲେଶ୍ୱର ନାରୀ ସଂଘ ସଭାନେତ୍ରୀ ଗୋପାମୁଦ୍ରା ମହାପାତ୍ର କହିଛନ୍ତି ଯେ, "ଝିଅଟିର ମୃତ୍ୟୁ ତାଙ୍କୁ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ଆଘାତ ଦେଇଛି । ସେ କଲେଜର ଆଇସିସି କମିଟିର ସଦସ୍ୟା ଭାବେ ୨୦୨୪ ମସିହାରୁ କାର୍ଯ୍ୟ କରୁଛନ୍ତି । ଜୁଲାଇ ୩ ଓ ୪ତାରିଖରେ ସେ ଦୁଇଥର ସୌମ୍ୟାଶ୍ରୀଙ୍କ ସହ କଥା ହୋଇଛନ୍ତି । ଏପରିକି ସୌମ୍ୟାଶ୍ରୀ ଓ ତାଙ୍କ ପିତା ଉଭୟଙ୍କୁ ବସାଇ ସେମାନଙ୍କର ଅଭିଯୋଗ ଶୁଣିବା ସହ ଲିଖିତ ଭାବେ ଦେବାକୁ କହିଥିଲି ।
ଜୁଲାଇ ୧ରେ କମିଟି ଗଠନ ହୋଇଛି ବୋଲି ଯାହା କୁହାଯାଉଛି ତାହା ଠିକ୍ ନୁହେଁ, ଉକ୍ତ ଦିନ କେବଳ ଆଇସିସି କମିଟିରେ ଛାତ୍ର ପ୍ରତିନିଧିମାନଙ୍କୁ ସାମିଲ କରାଯିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା । ୩ତାରିଖରେ ସମ୍ପୃକ୍ତା ଛାତ୍ରୀଙ୍କର ପରୀକ୍ଷା ଥିଲା । ସେ ଜଣେ ମେଧାବୀ ଛାତ୍ରୀ ଥିଲେ ଓ ତାକୁ ମଧ୍ୟ ମୁଁ ମୋ' ସଂସ୍ଥାରେ ରହି ପାଠ ପଢ଼ିବାକୁ ପରାମର୍ଶ ଦେଇଥିଲି । ତାକୁ ବୁଝାସୁଝା କରି ମାନସିକସ୍ତରରେ ଦୃଢ଼ ରହି ପାଠରେ ମନନିବେଶ କରିବାକୁ ବୁଝାଇଥିଲି ।
୯ତାରିଖରେ ଆଇସିସି କମିଟି ତା'ର ରିପୋର୍ଟ କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ଦେଇଥିଲା । ୯ତାରିଖ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ କମିଟିର ସମସ୍ତ ସଦସ୍ୟା ଉପସ୍ଥିତ ରହି କଲେଜ ଅଧ୍ୟକ୍ଷଙ୍କୁ ରିପୋର୍ଟ ସମ୍ପର୍କରେ ଅବଗତ କରାଇବା ସହ ତୁରନ୍ତ(୧୦ତାରିଖ ସକାଳ ସୁଦ୍ଧା) ଏଜୁକେସନ୍ ବିଭାଗର ମୁଖ୍ୟ ପଦରୁ ଅଧ୍ୟାପକ ସମୀର କୁମାର ସାହୁଙ୍କୁ ହଟାଇବାକୁ କହିଥିଲୁ ।
କେବଳ ଶ୍ରୀ ସାହୁ ନୁୂହେଁ ଯେକୌଣସି ଅଧ୍ୟାପକଙ୍କ ବିରୁଦ୍ଧରେ ଯଦି ଛାତ୍ରଛାତ୍ରୀମାନେ ଏଭଳି ଅଭିଯୋଗ ଆଣୁଛନ୍ତି ତାଙ୍କୁ ତୁରନ୍ତ ସେ ଦାୟିତ୍ୱରୁ ବଦଳାଇ ଏକ ସୁସ୍ଥ ଶୈକ୍ଷିକ ପରିବେଶ ଦେବା ଆମ ସମସ୍ତଙ୍କର କାର୍ଯ୍ୟ ବୋଲି କହିଥିଲି । ଆମେ ତ କେବଳ ସୁପାରିଶ କରିପାରିବୁ । ନିଷ୍ପତ୍ତି କଲେଜ ଅଧ୍ୟକ୍ଷ ନେବା କଥା । ସେ କାହିଁକି ଏହି ସୁପାରିଶ ଉପରେ କାର୍ଯ୍ୟାନୁଷ୍ଠାନ ନେଲେନି ଓ ଦିନ ଗଡ଼ାଇଲେ ତାହା ସେ ଜାଣିଥିବେ । ଯଦି କଲେଜ ଅଧ୍ୟକ୍ଷ ସାମାନ୍ୟ ପ୍ରୟାସ କରି ଏହି ସୁପାରିଶକୁ ଗ୍ରହଣ କରିଥାନ୍ତେ ତା'ହେଲେ ହୁଏତ ଆଜି ପରିସ୍ଥିତି ଭିନ୍ନ ଥାନ୍ତା ।"
ଛାତ୍ରୀ ସୌମ୍ୟାଶ୍ରୀଙ୍କ ଅଭିଯୋଗ ଉପରେ ଆଇସିସି ତଦନ୍ତ କରିବା ପୂର୍ବରୁ ସେ ପୁଲିସର ଦ୍ୱାରସ୍ଥ ହୋଇଥିଲେ ଓ ପୁଲିସ ମଧ୍ୟ କ୍ୟାମ୍ପସକୁ ଆସିଥିବା ନେଇ ତାଙ୍କ ପାଖରେ ସୂଚନା ଥିଲା ବୋଲି ଆଇସିସି ସଦସ୍ୟା ଗୋପାଶ୍ରୀ ମହାପାତ୍ର ସ୍ୱୀକାର କରିଛନ୍ତି ।
ଏଫଏମ୍ କଲେଜ ଆଇସିସି କମିଟିରେ କିଏ ଅଛନ୍ତି?
ସୌମ୍ୟାଶ୍ରୀଙ୍କ ଅଭିଯୋଗକୁ କଲେଜର ଆଇସିସିକୁ ପଠାଯାଇଥିଲା । ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି)ର ଅଧ୍ୟକ୍ଷ ଭାବେ କଲେଜର ପ୍ରଫେସର ଡଃ ଜୟଶ୍ରୀ ମିଶ୍ର, ସଦସ୍ୟା ଡଃ ମୌସୁମୀ ଦାସପଟ୍ଟନାୟକ, ଡଃ ମିନତୀ ସେଠୀ, ପ୍ରଭାତ କୁମାର ମହାରଣା, ବନ୍ଦିତା ପରିଡ଼ାଙ୍କ ସମେତ ବାଲେଶ୍ୱର ନାରୀ ସଂଘ ସଭାନେତ୍ରୀ ଗୋପାମୁଦ୍ରା ମହାପାତ୍ର ସଦସ୍ୟ ଅଛନ୍ତି। କେବଳ ଗୋପାମୁଦ୍ରାଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ଉକ୍ତ କଲେଜରେ କାର୍ଯ୍ୟରତ ଅଛନ୍ତି । ତେବେ ସୌମ୍ୟାଶ୍ରୀଙ୍କ ଅଭିଯୋଗ ପରେ ଜୁଲାଇ ୧ତାରିଖରେ ଏହି ଆଇସିସି କମିଟିରେ ଛାତ୍ର ପ୍ରତିନିଧି ଭାବେ ରୋଜାରାଣୀ ମହାନ୍ତି, ଅନନ୍ୟା ମିଶ୍ର ଓ ଚନ୍ଦ୍ରକ୍ରାନ୍ତ ଦାସଙ୍କୁ ସାମିଲ କରାଯାଇଥିଲା ।
ଫ୍ୟାକ୍ଟ ଫାଇଣ୍ଡି କମିଟି ଗଠନ କଲା ୟୁଜିସି
ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ଙ୍କ ପକ୍ଷରୁ ଆଜି ମଙ୍ଗଳବାର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ହୋଇଛି । କମିଟିର ଅଧ୍ୟକ୍ଷ ଭାବେ ନୂଆଦିଲ୍ଲୀସ୍ଥିତ ଗୁରୁଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ପ୍ରଫେସର ରାଜ କୁମାର ମିତ୍ତଲଙ୍କ ସମେତ ୟୁଜିସିର ପୂର୍ବତନ ସଦସ୍ୟ ପ୍ରଫେସର ସୁଷମା ଯାଦବ, ଗୁଜରାଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ ନିରଜା ଗୁପ୍ତା ଏବଂ ସଂଯୋଜକ ଭାବେ ଡଃ ଅସୀମା ମଙ୍ଗଳା(ୟୁଜିସି ଯୁଗ୍ମ ସଚିବ) ରହିଛନ୍ତି ।
ଏହି କମିଟି ତୁରନ୍ତ ବାଲେଶ୍ୱର ଗସ୍ତରେ ଆସି ସରଜମିନ୍ ତଦନ୍ତ କରିବା ସହ ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ଶିକ୍ଷାନୁଷ୍ଠାନ ଦ୍ୱାରା କ'ଣ ପଦକ୍ଷେପ ନିଆଯାଇଥିଲା ତାହା ତଦାରଖ କରିବେ । କେଉଁ ପରିସ୍ଥିତିରେ ସମ୍ପୃକ୍ତା ଛାତ୍ରୀ ଆତ୍ମହତ୍ୟା କଲେଜ, ତାଙ୍କ ଅଭିଯୋଗର ସମାଧାନ ପାଇଁ କି ପଦକ୍ଷେପ ନିଆଯାଇଥିଲା ଓ ଛାତ୍ରଛାତ୍ରୀଙ୍କୁ ସହାୟତା ପାଇଁ କଲେଜରେ କି ବ୍ୟବସ୍ଥା ରହିଛି ଆଦି ତଦାରଖ କରିବେ ।
ଭବିଷ୍ୟତରେ ଏଭଳି ଘଟଣା ଯେପରି କେଉଁ ଶିକ୍ଷାନୁଷ୍ଠାନରେ ନହୁଏ ସେନେଇ ମଧ୍ୟ ନିଜର ମତାମତ ଦେବେ । ସପ୍ତାହକ ମଧ୍ୟରେ କମିଟି ନିଜର ରିପୋର୍ଟ ୟୁଜିସି କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାକୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି ।












Click it and Unblock the Notifications