ପ୍ରବଳ ବର୍ଷା ଯୋଗୁ ବିଭିନ୍ନ କୋରାପୁଟରେ ବନ୍ୟା ପରିସ୍ଥିତି: ବିପଦ ସଂକେତ ଉପରେ ମାଛକୁଣ୍ଡ ଡ୍ୟାମ୍
କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋଲାବ ନଦୀ ଫୁଲୁଥିବାରୁ କେତେକ ତଳିଆ ଅଞ୍ଚଳରେ ପାଣି ପଶିଛି । ଏଥିଯୋଗୁ ଲମତାପୁଟ ବ୍ଲକ ଅନକାଡ଼େଲିଠାରେ ଥିବା ମାଛକୁଣ୍ଡ ଡ୍ୟାମରେ ଜଳସ୍ତର ବିପଦ ସଂକେତ ଉପରେ ଥିବାରୁ ଡ୍ୟାମ୍ର ୨ ଗେଟ ଓ ଜଲାପୁଟରୁ ୩ ଗେଟ୍ ଏଭଳି ୫ ଗେଟ୍ ଖୋଲାଯାଇଛି ।
ମାଛକୁଣ୍ଡ ଡ୍ୟାମ୍ର ବିପଦ ସଙ୍କେତସ୍ତର ୨୫.୯୦ଫୁଟ ଥିବାବେଳେ ଜଳସ୍ତର ୨୫.୮୭ ଫୁଟ ରହିଛି । ଏହି ୨ ଗେଟ ଜରିଆରେ ପ୍ରତି ସେକେଣ୍ଡରେ ୪ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଥିବାବେଳେ ୪ ହଜାର କ୍ୟୁସେକ ଜଳ ଡ୍ୟାମ ଭିତରକୁ ପ୍ରବେଶ କରୁଛି। ସେହିପରି ଜଲାପୁଟ ଡ୍ୟାମ୍ର ବିପଦ ସଙ୍କେତସ୍ତର ୨୭୫୦ଫୁଟ ରହିଥିବା ବେଳେ ୨୭୪୯ ଫୁଟକୁ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଡ୍ୟାମ୍ର ୩, ୫ ଓ ୬ ନଂ ଗେଟ୍ ଖୋଲାଯାଇ ଜଳ ନିଷ୍କାସିତ ହେଉଛି। ଫଳରେ କୁନ୍ଦୁରା ବ୍ଲକର କୁରଲୁ ଓ ବିରି ନଦୀ ମଧ୍ୟ ଫୁଲୁଛିି। ଫଳରେ କୁନ୍ଦୁରା ଦୀଗାପୁରଠାରୁ ଘୁମରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ପ୍ରଭାବରେ କୁନ୍ଦୁରା ଓ କୋଟପାଡ ବ୍ଲକରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ବୈପାରୀଗୁଡା ବ୍ଲକରେ ସର୍ବାଧିକ ୧୭୦ ମି.ମି.ବର୍ଷା ହୋଇଛି।

ବୈପାରୀଗୁଡା ଓ କୁନ୍ଦୁରା ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲା ଜରୁରିକଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ କହିଛନ୍ତି। ସେହିପରି କୋରାପୁଟ-ରାୟଗଡା ରାସ୍ତାର ବଙ୍ଗଳାଗୁଡାନ୍ଠାରେ ଥିବା ଏକ ବ୍ରିଜ ଉପରେ ବର୍ଷା ଜଳ ପ୍ରବାହିତ ହେବାରୁ ରାସ୍ତାର ୨ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି। ଜିଲାରେ ୫୫୮.୩ ମି.ମି.ବର୍ଷା ହୋଇଥିବା ସୂଚନା ମିଳିିଛି। ବୈପାରୀଗୁଡା ବ୍ଲକରେ ସର୍ବାଧିକ ୧୭୦ ମି.ମି. ଓ ଜୟପୁର ବ୍ଲକରେ ୧୨୦ ମି.ମି. ବର୍ଷା ହୋଇଛି।












Click it and Unblock the Notifications