ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି କହିଲେ ମନ୍ତ୍ରୀ ସୁରେଶ ପୂଜାରୀ
ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି କହିଲେ ମନ୍ତ୍ରୀ ସୁରେଶ ପୂଜାରୀ। ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବେଳେ ଦେଲେ ସୂଚନା । ବିଭିନ୍ନ ନଦୀରେ ଜଳସ୍ତର କମୁଛି, ପାଣି କମିବା ପରେ କ୍ଷୟକ୍ଷତି ଆକଳନ କରାଯିବ । ରିଲିଫ କେନ୍ଦ୍ରମାନଙ୍କରୁ ଲୋକେ ଫେରିବା ଆରମ୍ଭ କଲେଣି' । ସାପ କାମୁଡ଼ା ଭୟ ଥିବାରୁ ଇଞ୍ଜେକ୍ସନ ସ୍ବାସ୍ଥ୍ୟ କେନ୍ଦ୍ରରେ ମହଜୁଦ ରହିଛି । କେବଳ ବାଲେଶ୍ବର ଜିଲ୍ଲାର ୨ଟି ବ୍ଲକ୍କୁ ଛାଡ଼ି ଅନ୍ୟ ସ୍ଥାନରେ ସମସ୍ୟା ନାହିଁ'।

ବନ୍ୟା ସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ଓଡ୍ରାଫ ଟିମ ମୁତୟନ କରାଯାଇଛି । ବାଲେଶ୍ୱର ଜିଲ୍ଲାକୁ ୫ଟି ଓଡ୍ରାଫ ଟିମ୍, ଗୋଟିଏ ଏନଡିଆରଏଫ ଟିମ ଓ ୨୬ଟି ଅଗ୍ନିଶମ ବାହିନୀ ଟିମ ସହ ମୋଟ ୩୨ଟି ଟିମ ମୁତୟନ ହୋଇଛନ୍ତି । ମୟୂରଭଞ୍ଜରେ ଗୋଟିଏ ଓଡ୍ରାଫ୍, ୨୩ଟି ଅଗ୍ନିଶମ ବାହିନୀ, ଭଦ୍ରକରେ ଗୋଟିଏ ଓଡ୍ରାଫ ଓ ଗୋଟିଏ ଏନଡିଆରଏଫ ଟିମ ନିୟୋଜିତ ହୋଇଛନ୍ତି । ଯାଜପୁରରେ ଗୋଟିଏ ଓଡ୍ରାଫ, ୧୪ଟି ଦମକଳବାହିନୀ ଟିମ ନିୟୋଜିତ ହୋଇଛନ୍ତି । ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ମୋଟ ୮୬ଟି ଟିମ ନିୟୋଜିତ ହୋଇଛନ୍ତି ।
ରାଜଘାଟ ଠାରେ ସୁବର୍ଣ୍ଣରେଖା ଜଳସ୍ତର ବଢ଼ି ବର୍ତମାନ ୧୦.୨ ମିଟର ଅଛି । ରାଜଘାଟଠାରେ ୧୦.୩୬ ମିଟର ବିପଦ ସଂକେତ ରହିଛି । ରାତି ୯ଟା ସୁଦ୍ଧା ଜଳସ୍ତର ରାଜଘାଟ ଠାରେ ୧୧.୪ ମିଟର ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ଫଳରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲିଆପାଳ ପ୍ରଭାବିତ ହେବ । ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ଜଣେ ସର୍ବୋଚ୍ଚ ଯନ୍ତ୍ରୀ ବାଲେଶ୍ୱରରେ ରହି ବନ୍ୟା ପରିଚାଳନା କରୁଛନ୍ତି । ଆଖୁଆପଦାରେ ବୈତରଣୀ ୧୮.୫୪ ମିଟର ଅଛି, ଯାହା ଖସୁଛି। ରାଜ୍ୟର କୌଣସି ସ୍ଥାନରେ ଗତକାଲି ୫୦ ମିଲିମିଟର ବର୍ଷା ହୋଇନି । ହୀରାକୁଦ ୬୧୪ ଫୁଟରେ ପାଣି ଅଛି। ବର୍ତମାନ ୨୦ଟି ଗେଟ ଖୋଲା ଅଛି। ଆଉ ଅଧିକ ଗେଟ ଖୋଲିବ ନାହିଁ । ରେଙ୍ଗାଲି ଠାରେ ବ୍ରହ୍ମଣୀ ଜଳସ୍ତର ୧୨୧.୨୬ ମିଟର ରହିଛି । ତିନୋଟି ଗେଟ ଖୋଲା ଅଛି। ଇନ୍ଦ୍ରାବତୀ, କୋଲାବ, ମାଛକୁଣ୍ଡରେ ସ୍ଥିତି ଭଲ ଅଛି । ଜଳକାରେ ପାଣି ଖସୁଛି । ଶୀଘ୍ର ଏହା ବିପଦମୁକ୍ତ ହେବ । ଧାମନଗର ସାମାନ୍ୟ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ।












Click it and Unblock the Notifications