ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, କେବଳ ତଳିଆ ଅଞ୍ଚଳରେ ପାଣି ପଶିପାରେ: ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । କେବଳ ତଳିଆ ଅଞ୍ଚଳରେ ପାଣି ପଶିପାରେ, ସତର୍କ ଅଛୁ' । ରାତି ସୁଦ୍ଧା ଭାର୍ଗବୀ, ଦୟାରେ ପିକ୍ ଅତିକ୍ରମ କରିବ ବନ୍ୟାଜଳ । ମହାନଦୀ ଜଳସ୍ତର ବଢ଼ୁଛି, ହୀରାକୁଦର ୧୪ଟି ଗେଟ୍ ଖୋଲା ରହିଛି ।

ତଳିଆ ଅଞ୍ଚଳ କଣାସ, ଧନୁଆରେ ପାଣି ପଶିପାରେ । ଖୋର୍ଦ୍ଧା, ପୁରୀ ଜିଲ୍ଲାର ଅଧିକାରୀ ସଜାଗ ଅଛନ୍ତି ବୋଲି ଭକ୍ତରଞ୍ଜନ ମହାନ୍ତି କହିଛନ୍ତି । ବୈତରଣୀ ବଢୁଛି, ବଡ଼ ବର୍ଷା ନଥିବାରୁ ଜଳସ୍ତର ଖସିବ। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ବିପଦ ସଂକେତ ତଳେ ପ୍ରବାହିତ ।
ଲଗାଣ ବର୍ଷା ଯୋଗୁ ବାଙ୍କୀ ଉପଖଣ୍ଡର ବହୁ ସ୍ଥାନ ଜଳମଗ୍ନ ହେଇଛି। ବାଙ୍କୀ କଚେରି ପଡ଼ିଆରେ ୩/୪ଫୁଟ ପାଣି ଥିବାବେଳେ କଲେଜ ପଡ଼ିଆରେ ପାଣି ଭର୍ତ୍ତି ହୋଇ ରହିଛି । ବାଙ୍କୀ ଏନ୍ଏସିର ଜଳ ନିଷ୍କାସନ ସୁବିଧା ନ ଥିବାରୁ ଅଧିକାଂଶ ଲୋକଙ୍କ ଘରେ ଡ୍ରେନ ପାଣି ପଶିଯାଇଛି।
ସେହିପରି ବର୍ଷା ଯୋଗୁ ଧାନ ଫସଲ ସମେତ ପରିବା ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷୀମାନେ ପ୍ରାଥମିକ ସେବା ସମବାୟ ସମିତି ଏବଂ ଜାତୀୟକରଣ ବ୍ୟାଙ୍କରୁ ଋଣନେଇ ଧାନ ଫସଲ କରି ପିଡିଆ ପକାଇଥିଲେ । କିନ୍ତୁ ପ୍ରବଳ ବର୍ଷା ଯୋଗୁ ଧାନ ଫସଲ ବୁଡିଯିବା ଫଳରେ ସେମାନଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡିଛି । ଡମପଡ଼ା ବ୍ଲକରେ ଚଳିତ ବର୍ଷ ୬,୨୦୦ ହେକ୍ଟର ଧାନ ଚାଷ ହୋଇଥିବା ବେଳେ ସେଥିରୁ ୨୦୩ ହେକ୍ଟର ଧାନଜମି ପାଣିରେ ବୁଡି ରହିଛି। ସେହିପରି ୪୫୦୦ ହେକ୍ଟର ଜମିରେ ପରିବା ଚାଷ ହୋଇଥିବାବେଳେ ୪୫ ହେକ୍ଟର ପାଣିରେ ବୁଡି ରହିଛି ।
ବାଙ୍କୀ ବ୍ଲକରେ ୬୨୧୦ ହେକ୍ଟର ଧାନ ଚାଷ ହୋଇଥିବା ବେଳେ ସେଥିରୁ ୩୧୦ ହେକ୍ଟର ପାଣିରେ ବୁଡି ରହିଛି। ପରିବା ଫସଲ ୧୨୫ ହେକ୍ଟରରେ ହୋଇଥିବା ବେଳେ ସେଥିରେ ୯୩ ହେକ୍ଟର ଜଳମଗ୍ନ ହୋଇଛି । ଏହିପରି ଅଧିକ ୨/୩ଦିନ ପାଣିରେ ବୁଡି ରହିଲେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ହୀରାକୁଦ ବନ୍ୟାଜଳ ଛାଡିବା ଫଳରେ ମହାନଦୀରେ ବନ୍ୟାଜଳ ବୃଦ୍ଧି ହୋଇଛି । ଏଠାରେ ବିପଦ ସଙ୍କେତ ୭.୮ମିଟର ଥିବା ବେଳେ ଜଳସ୍ତର ଅପରାହ୍ନ ୫ଟା ସୁଦ୍ଧା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଏନେଇ ଜନସାଧାରଣଙ୍କ ଚିନ୍ତା ବଢ଼ିଯାଇଛି। ଅପରପକ୍ଷେ ଏନ୍ଏସିର ଯେଉଁଠାରେ ପାଣି ନିଷ୍କାସନ ହୁଏ ସେହି ନାଳ ମୁହଁରେ ଲୋକେ ଘର କରିଥିବା ଯୋଗୁ ପାଣି ନିଷ୍କାସନରେ ବାଧା ସୃଷ୍ଟି ହେଉଥିବା କୁହାଯାଇଛି।












Click it and Unblock the Notifications