ଝାରସୁଗୁଡ଼ାରୁ ମୁମ୍ବାଇକୁ ବିମାନସେବା ଆରମ୍ଭ, ୯୧ ଯାତ୍ରୀଙ୍କୁ ନେଇ ପ୍ରଥମ ଉଢ଼ାଣ
ଦୀର୍ଘ ପ୍ରୀତକ୍ଷାର ଅନ୍ତ। ଆରମ୍ଭ ହେଲା ମୁମ୍ବାଇ-ଝାରସୁଗୁଡ଼ା ବିମାନ ସେବା । ଶିଳ୍ପନଗରୀ ଝାରସୁଗୁଡ଼ା ସହ ମାୟାନଗରୀ ମୁମ୍ବାଇ ସିଧାସଳଖ ଉଡିଲା ବିମାନ। ସପ୍ତାହର ସବୁଦିନ ବିମାନ ଚଳାଚଳ କରିବ । ଅପରାହ୍ନ ପ୍ରାୟ ୧ଟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ପହଞ୍ଚିବା ପରେ ୱାଟର କେନନ ଦ୍ୱାରା ସ୍ୱାଗତ କରାଯାଇଥିଲା। ଏଥି ସହିତ ଏୟାରପୋର୍ଟରେ ଯାତ୍ରୀଙ୍କୁ ମଧ୍ୟ ଭବ୍ୟ ସ୍ୱାଗତ କରାଯାଇଥିଲା।

ସୂଚନା ଥାଉକି, ପୂର୍ବାହ୍ନ ୧୦ ଟା ୫୫ ରେ ମୁମ୍ବାଇରୁ ଇଣ୍ଡିଗୋ ବିମାନ ବାହାରି ଅପରାହ୍ନ ୧ ଟା ରେ ଝାରସୁଗୁଡା ପହଁଚିଛି । ଝାରସୁଗୁଡାରୁ ପୁଣି ୨ ଟା ରୁ ବାହାରି ଅପରାହ୍ନ ୪ ଟା ୧୫ ରେ ମୁମ୍ବାଇ ପହଂଚିବ ବିମାନ । ଆଜି ପ୍ରଥମ ଦିନରେ ୯୦ ଜଣ ଯାତ୍ରୀ ଝାରସୁଗୁଡା ଆସିଥିବାବେଳେ ୯୦ ଜଣ ଯାତ୍ରୀ ଝାରସୁଗୁଡାରୁ ମୁମ୍ବାଇ ଯିବେ । ସପ୍ତାହର ସବୁଦିନ ବିମାନ ଚଳାଚଳ କରିବ । ପ୍ରତିଦିନ ମୁମ୍ବାଇ ବିମାନବନ୍ଦରରୁ ପୂର୍ବାହ୍ନ ୧୦ଟା ୫୫ରେ ବିମାନ ଉଡ଼ାଣ ଭରିବ । ଝାରସୁଗୁଡ଼ାରେ ଅପରାହ୍ନ ୧ଟାରେ ପହଞ୍ଚିବ ।
ସେହିପରି ଝାରସୁଗୁଡ଼ାରୁ ଅପରାହ୍ନ ୨ଟାରେ ପ୍ରତ୍ୟାବର୍ତ୍ତନ କରି ଅପରାହ୍ନ ୪ଟା ୧୫ରେ ମୁମ୍ବାଇରେ ପହଞ୍ଚିବ l ଇଣ୍ଡିଗୋର ଏୟାର ବସ୍-୩୨୦ ବିମାନ ଏହି ରୁଟ୍ରେ ଚଳାଚଳ କରିବ । ୨୩୨ ଯାତ୍ରୀ ଏଥିରେ ଯାତ୍ରା କରିପାରିବେ । ରାଜଧାନୀ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁକୁ ଇଣ୍ଡିଗୋର ବିମାନସେବା ଜାରି ରହିଛି । ସେହିପରି ଷ୍ଟାର ଏୟାର ପକ୍ଷରୁ ହାଇଦ୍ରାବାଦ, ରାୟପୁର ଏବଂ ଲକ୍ଷ୍ନୌକୁ ବିମାନସେବା ଆରମ୍ଭ ହୋଇଛି ।
ଏଲାୟନ୍ସ ଏୟାର ପକ୍ଷରୁ ଭୁବନେଶ୍ୱର- ଝାରସୁଗୁଡ଼ା ମଧ୍ୟରେ ବିମାନ ସେବା ସପ୍ତାହକୁ ତିନି ଦିନ ଜାରି ରହିଛି । ଝାରସୁଗୁଡ଼ା-ମୁମ୍ବାଇ ସେକ୍ଟରରେ ବିମାନ ଚଳାଚଳକୁ ନେଇ ଯାତ୍ରୀଙ୍କ ଉତ୍ସୁକତା ବୃଦ୍ଧି ପାଇଛି । ସେହିପରି ଝାରସୁଗୁଡାରୁ ମୁମ୍ବାଇକୁ ବିମାନ ଚଳାଚଳ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଶିଳ୍ପ, ପର୍ଯ୍ୟଟନ, ବ୍ୟାପାର ପରି ସମସ୍ତ କ୍ଷେତ୍ରରେ ଆଉ ଏକ ପାଦ ଝାରସୁଗୁଡା ଆଗେଇବବୋଲି ବିମାନ ବନ୍ଦର କର୍ତ୍ୟୁପକ୍ଷ ଏବଂ ଝାରସୁଗୁଡା ବିଧାୟକ କହିଛନ୍ତି ।












Click it and Unblock the Notifications