Get Updates
Get notified of breaking news, exclusive insights, and must-see stories!

ଫନି ବାତ୍ୟାକୁ ପୁରିଲା ୪ ବର୍ଷ: ମହାବାତ୍ୟା ପରେ ଓଡିଶା ଦେଖିଥିଲା ପ୍ରକୃତିର ଆଉ ଏକ କରାଳ ରୂପ

Flashback 4 Years of Cyclone Fani: ଫନି ବାତ୍ୟାକୁ ଆଜି ପୂରିଛି ୪ ବର୍ଷ । ୨୦୧୯ ମସିହା ମେ ୩ରେ ବାତ୍ୟା ଫନି ବ୍ୟାପକ କ୍ଷୟକ୍ଷତି ଘଟାଇ ଥିଲା । ୧୯୯୯ ମହାବାତ୍ୟାର ସତେ ଯେମିତି ଅଧା ରୂପଥିଲା ଏହି ବାତ୍ୟା । ପ୍ରଳୟଙ୍କାରୀ ଏହି ବାତ୍ୟାରେ ଛାରକାର ହୋଇ ଯାଇଥିଲା ଅଧା ରାଜ୍ୟ ।

ଆଜିର ଦିନରେ ଉପକୂଳ ଓଡ଼ିଶାରେ ରଚିଥିଲା ତାଣ୍ଡବ ବାତ୍ୟା ଫନି । ନିମିଷକେ ସବୁ କିଛି ଛାରଖାର କରି ଦେଇଥିଲା । ଉଜୁଡ଼ି ଯାଇଥିଲା ହଜାର ହଜାର ଘର, ଆଉ ମାଟିରେ ଶୋଇପଡ଼ିଥିଲା ଲକ୍ଷ ଲକ୍ଷ ଗଛ । ଅତି ଭୟଙ୍କର ବାତ୍ୟାର ରୂପ ନେଇ ପୁରୀ ଉପକୂଳରେ ମାଡ଼ ହୋଇଥିଲା । ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ।

Cyclone Fani

ଭାରତ ମହାସାଗରରେ ଏପ୍ରିଲ ୨୬ ତାରିଖରେ ସୃଷ୍ଟି ହୋଇଥିଲା ସାମୁଦ୍ରିକ ଝଡ଼ । ୩୦ ତାରିଖରେ ଏହା ରୂପ ଜଣାପଡ଼ିବା ସହ ଆଗକୁ ବଢ଼ିଥିଲା । ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା 'ଫନି' । ପ୍ରଭାବରେ ମେ ୨ ତାରିଖ ରାତିରୁ ପବନ ସହ ବର୍ଷା ଲାଗି ରହିଥିଲା । ମେ ୩ ସକାଳ ଥିଲା 'ଫନି'ର ।

ସକାଳ ପ୍ରାୟ ୮ଟା ୪୦ ମିନିଟରେ ପୁରୀରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା 'ଫନି' । ଘଣ୍ଟା ପ୍ରତି ୨୦୦ କିମି ବେଗରେ ବହୁଥିଲା ପବନ ।
ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ସମୁଦ୍ର କୂଳରେ ଥିବା ନୋଳିଆ ବସ୍ତି । ପୁରୀ ଜିଲ୍ଲାର ସମସ୍ତ ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ବ୍ରହ୍ମଗିରି, ସାତପଡ଼ା ଅଞ୍ଚଳର ଦୃଶ୍ୟ ଥିଲା ବେଶ୍ ହୃଦୟ ବିଦାରକ ।

ସେହିପରି କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁର ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲା ବାତ୍ୟାରେ ପ୍ରଭାବିତ ହୋଇଥିଲା ।

ସେହିପରି ବାତ୍ୟାର ତାଣ୍ଡବରୁ ବର୍ତ୍ତିପାରି ନଥିଲା ରାଜଧାନୀ ଭୁବନେଶ୍ୱର । ଉପୁଡି ପଡିଥିଲା ବିରାଟ ବିରାଟ ଗଛ, ଭାଙ୍ଗିରୁଜି ଚୁରମାର ହୋଇ ଯାଇଥିଲା ଘରଦ୍ୱାର । ସହରକୁ ଖିନଭିନ୍ କରି ଦେବା ସହ ସବୁଜିମା ଉଜାଡି ଦେଇଥିଲା । ଫନି ପରେ ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ିଥିଲା । ସହରରେ ଅନେକ ଦିନ ଧରି ବିଦ୍ୟୁତ ଆସି ନଥିଲା । ଇଣ୍ଟରନେଟ ସେବା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଫନିରେ ବିଦ୍ୟୁତ ବିଭାଗର ଅଣ୍ଟା ଭାଙ୍ଗି ଯାଇଥିଲା । ସାରା ରାଜ୍ୟରେ ପ୍ରାୟ ୧ ଲକ୍ଷ ୫୬ ହଜାର ବିଦ୍ୟୁତ ଖୁଣ୍ଟ ଉପୁଡ଼ିଥିଲା ।

ତେବେ ଫନିରେ ରାଜ୍ୟରେ ୮୯ ଜଣଙ୍କର ଜୀବନ ଯାଇଥିଲା । ୧ ଲକ୍ଷ ୪୦ ହଜାର ହେକ୍ଟର ଫସଲ ନଷ୍ଟ ହୋଇଥିଲା । ୫ ଲକ୍ଷ ୫୬ ହଜାର ଘର କ୍ଷତିଗ୍ରସ୍ତ ହୋଇଥିଲା । ୬, ୨୮୧ ଗୃହ ପାଳିତ ପଶୁଙ୍କ ଜୀବନ ଯାଇଥିଲା । ୧ ଲକ୍ଷ ୪୮ ହଜାର ୬୬୩ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ବେଳେ ୬ ହଜାର ୪୧୬ ବୋଟ୍, ୮ ହଜାର ୮୨୮ ଜାଲ ନଷ୍ଟ ହୋଇଥିଲା । ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ଭିତ୍ତିଭୂମି । ରାସ୍ତା, ବିଦ୍ୟୁତ୍, ରେଲୱେ, ଟେଲି କମ୍ୟୁନିକେସନ୍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ।

'ଫନି' ଆସିବା ସୂଚନା ପାଇବା ପରେ ରାଜ୍ୟ ସରକାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଥିଲା । ପାଣିପାଗ ବିଭାଗର ଅପଡେଟ୍ ଅନୁଯାୟୀ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବିଶେଷ କରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ସରକାର । ସ୍ୱଳ୍ପ ସମୟ ମଧ୍ୟରେ ୧୫ ଲକ୍ଷ ୫୭ ହଜାର ୧୭୦ ଜଣଙ୍କୁ ସ୍ଥାନାନ୍ତର କରି ଓଡ଼ିଶା ରେକର୍ଡ କରିଥିଲା । ବାତ୍ୟାରେ ରାଜ୍ୟରେ ୫,୨୨୭.୬୮ କୋଟି ମୂଲ୍ୟର କ୍ଷତି ହୋଇଥିଲା । ତେବେ ଏହି ବାତ୍ୟାକୁ ଆଜି ୪ ବର୍ଷ ପୂରିଥିବା ବେଳେ ଚଳିତ ବର୍ଷ ପୁଣି ଏକ ପୁଣି ଏକ ବାତ୍ୟା ଭୟ ଘାରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+