ଫନିକୁ ପୂରିଲା ୨ ବର୍ଷ, ପ୍ରଳୟଙ୍କାରୀ ବାତ୍ୟାରେ ଛାରକାର ହୋଇଯାଇଥିଲା ଅଧା ରାଜ୍ୟ
ଆଜିକୁ ଠିକ୍ ୨ ବର୍ଷ ତଳେ ଉପକୂଳ ଓଡ଼ିଶାରେ ରଚିଥିଲା ତାଣ୍ଡବ ବାତ୍ୟା ଫନି । ଘଣ୍ଟା ପ୍ରତି ୨୦୦ କିମି ବେଗରେ ବହୁଥିଲା ପବନ । ନିମିଷକେ ସବୁ କିଛି ଛାରଖାର କରି ଦେଇଥିଲା ।
ଭୁବନେଶ୍ୱର: ବାତ୍ୟାର ବସା ଘର ଓଡିଶା । ପ୍ରତିବର୍ଷ ପ୍ରାୟ କୌଣସି ନା କୌଣସି ବାତ୍ୟା ଆସି ପହଞ୍ଚିଯାଏ ଓଡିଶାରେ । ବିନା ଡାକରା ଅତିଥି ଯେପରି । ମାତ୍ର ୨୦୧୯ ମସିହା ମେ ୩ରେ ଆସିଥିବା ବାତ୍ୟା ଫନି ଥିଲା ବିରଳ ବାତ୍ୟା । ୧୯୯୯ ମହାବାତ୍ୟାର ସତେ ଯେମିତି ଅଧା ରୂପଥିଲା ଏହି ବାତ୍ୟା । ପ୍ରଳୟଙ୍କାରୀ ଏହି ବାତ୍ୟାରେ ଛାରକାର ହୋଇଯାଇଥିଲା ଅଧା ରାଜ୍ୟ ।
ଆଜିକୁ ଠିକ୍ ୨ ବର୍ଷ ତଳେ ଉପକୂଳ ଓଡ଼ିଶାରେ ରଚିଥିଲା ତାଣ୍ଡବ ବାତ୍ୟା ଫନି । ଘଣ୍ଟା ପ୍ରତି ୨୦୦ କିମି ବେଗରେ ବହୁଥିଲା ପବନ । ନିମିଷକେ ସବୁ କିଛି ଛାରଖାର କରି ଦେଇଥିଲା । ଉଜୁଡ଼ି ଯାଇଥିଲା ହଜାର ହଜାର ଘର, ଆଉ ମାଟିରେ ଶୋଇପଡ଼ିଥିଲା ଲକ୍ଷ ଲକ୍ଷ ଗଛ ।
ବାତ୍ୟା 'ଫନି' ଯୋଗୁଁ ଅଧା ଓଡ଼ିଶା ପ୍ରଭାବିତ ହୋଇଥିଲା । ପୁରୀ, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁର ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲା ବାତ୍ୟାରେ ପ୍ରଭାବିତ ହୋଇଥିଲା ।

ମେ ୩ ସକାଳୁ ପବନର ବେଗ ବଢ଼ିବା ସହ ବଢ଼ିଥିଲା ବର୍ଷା । ରାଜ୍ୟର ସବୁ ସମୁଦ୍ର କୁଳିଆ ଅଞ୍ଚଳରେ ପବନର ବେଗ ବେଶ୍ ଅଧିକ ଥିଲା । ସକାଳ ପ୍ରାୟ ୮ଟା ୪୦ ମିନିଟରେ ପୁରୀରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା 'ଫନି' । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ସମୁଦ୍ର କୂଳରେ ଥିବା ନୋଳିଆ ବସ୍ତି । ପୁରୀ ଜିଲ୍ଲାର ସମସ୍ତ ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ବ୍ରହ୍ମଗିରି, ସାତପଡ଼ା ଅଞ୍ଚଳର ଦୃଶ୍ୟ ଥିଲା ବେଶ୍ ହୃଦୟ ବିଦାରକ ।
ସେହିପରି ବାତ୍ୟାର ତାଣ୍ଡବରୁ ବର୍ତିପାରିନଥିଲା ରାଜଧାନୀ ଭୁବନେଶ୍ୱର । ଉପୁଡି ପଡିଥିଲା ବିରାଟ ବିରାଟ ଗଛ, ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା ଘରଦ୍ୱାର । ଶୋଚନୀୟ ହୋଇପଡିଥିଲା ବିଦ୍ୟୁତ ଭିତିଭୂମି । ଆଉ ଭୁଷୁଡି ପଡିଥିଲା ଯୋଗାଯୋଗ ବ୍ୟବସ୍ଥା ।
ବାତ୍ୟା ଫୋନିକୁ ଆଜି ୨ ବର୍ଷ ପୂରିଛି । ୧୯୯୯ରୁ ୨୦୧୯, ଦୁଇ ଦଶନ୍ଧି ଭିତରେ ଓଡ଼ିଶା ଅନେକ ମହାବାତ୍ୟା, ବାତ୍ୟାକୁ ସାମନା କରିଛି । ପୁଣି ଛାତିକୁ ଟାଣ କରି ଛିଡ଼ା ହୋଇଛି । ହେଲେ ୨ ବର୍ଷ ତଳର ସେ ସମୟ ଆଉ ମୁହୂର୍ତ୍ତ କାହାରି ମନରୁ ଲିଭିନି । ପ୍ରକୃତିର ଏମିତି କରାଳ ତାଣ୍ଡବ ଆଉ କେବେ କେଉଁଠି ନଘଟୁ ।












Click it and Unblock the Notifications