୮ ବର୍ଷ ପରେ ହେବାକୁ ଯାଉଛି ମତ୍ସ୍ୟଜୀବୀ ଜନଗଣନା, ନଭେମ୍ବର ୩ରୁ ଆରମ୍ଭ
Fishermen census to be held after 8 years: ଦୀର୍ଘ 8 ବର୍ଷ ପରେ ହେବାକୁ ଯାଉଛି ପଞ୍ଚମ ରାଷ୍ଟ୍ରୀୟ ସାମୁଦ୍ରିକ ମତ୍ସ୍ୟଜୀବୀ ଜନଗଣନା। ଆସନ୍ତା ନଭେମ୍ବର ୩ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପଞ୍ଚମ ରାଷ୍ଟ୍ରୀୟ ସାମୁଦ୍ରିକ ମତ୍ସ୍ୟଜିବୀ ଜନଗଣନା ୨୦୨୫ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ୬ଟି ଜିଲ୍ଲାରେ ହେବ । ଏହି ଜନଗଣନାକୁ ସଫଳ କରିବା ନିମନ୍ତେ ଭାରତୀୟ କୃଷି ଗବେଷଣା ପରିଷଦ ଓ ସେଣ୍ଟ୍ରାଲ ମେରାଇନ ଫିସରିଜ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ୩ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି। ପୁରୀ ସ୍ଥିତ ସେଣ୍ଟ୍ରାଲ ମେରାଇନ ଫିସରିଜ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର କାର୍ଯ୍ୟାଳୟରେ ଏହି ତାଲିମ ଦିଆଯାଉଛି । ଅନୁଷ୍ଠାନର ବୈଜ୍ଞାନିକ ମାନେ କୋଚିରେ ତାଲିମ ନେବା ପରେ ମତ୍ସ୍ୟଜୀବୀ ଜନଗଣନାରେ ସାମିଲ ହେବାକୁ ଥିବା ୨୯ ଜଣ ସୁପର ଭାଇଜରଙ୍କୁ ତାଲିମ ଦେଉଛନ୍ତି ।
ଜନଗଣନାକୁ ତ୍ରୁଟି ମୁକ୍ତ ଓ ସୁବିଧା ପାଇଁ 'ବ୍ୟାସ ଭାରତ' ମୋବାଇଲ ଆପ:
ଏହି ତାଲିମ ଶିବିରରେ ପଶ୍ଚିମବଙ୍ଗ ଓ ଓଡ଼ିଶାର ସୁପରଭାଇଜର ଏବଂ ବୈଜ୍ଞାନିକ ମାନେ ଯୋଗ ଦେଇଛନ୍ତି । ଜନଗଣନାକୁ ତ୍ରୁଟି ମୁକ୍ତ ଓ ସୁବିଧା ପାଇଁ 'ବ୍ୟାସ ଭାରତ' ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି । ଆମ ରାଜ୍ୟର ୬ଟି ସମୁଦ୍ର କୂଳବର୍ତ୍ତି ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବାସ କରୁଥିବା ତଥା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ରେ ନିର୍ଭରଶୀଳ ଥିବା ମତ୍ସ୍ୟ ଯିବି ପରିବାରଙ୍କୁ ସର୍ଭେ କରାଯିବ ।

୨୦୧୬ରେ ହୋଇଥିଲା ସାମୁଦ୍ରିକ ମତ୍ସ୍ୟଜୀବୀ ଜନଗଣନା:
ବୈଜ୍ଞାନିକ ଡକ୍ଟର ରାଜେଶ କୁମାର ପ୍ରଧାନ ପ୍ରତିକ୍ରିୟାରେ କହିଛନ୍ତି, "ଗତ ୨୦୧୬ ମସିହା ସର୍ଭେରେ ଓଡ଼ିଶା ର ୬ ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ୫୫ ମତ୍ସ୍ୟ ଅବତରଣ ପୋତ, ୭୩୯ ମତ୍ସ୍ୟଜୀବୀ ଗ୍ରାମ, ୧ ଲକ୍ଷ ୧୫ ହଜାର ୨୨୮ ମତ୍ସ୍ୟଜୀବୀ ପରିବାର, , ୯୨ ହଜାର ୫୬୯ ମତ୍ସ୍ୟଜୀବୀ ବୃତ୍ତିଧାରୀ ପରିବାର,୪୮ ହଜାର ୬୦୧ ବିପିଏଲ୍ ପରିବାର, ଓ ୫ ଲକ୍ଷ ୧୭ ହଜାର ୬୨୩ ଜଣ ମତ୍ସ୍ୟଜୀବୀ ଥିବା ସର୍ଭେରୁ ଜଣାପଡିଥିଲା। ସେହିପରି ୪୧ ହଜାର ୨୩୪ ପରିବାର ପକ୍କା ଘରେ, ୭୩ ହଜାର ୯୯୪ କଚା ଘରେ, ୯୯ ହଜାର ୫୬୬ ପରିବାର ୩ ରୁ କମ କକ୍ଷ ରେ , ୮୮ ହଜାର ୮୦୬ ପରିବାରଙ୍କ ପାଇଖାନା ନ ଥିବା, ୨ ହଜାର ୪୨୭ ଜଣ ପୁରୁଷ ଓ ୧ ହଜାର ୪୦ ଜଣ ମହିଳା ଗ୍ରାଜୁଏସନ କିମ୍ବା ତାଠୁ ଅଧିକ ଶିକ୍ଷା ପାଇଥିବା, ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ଅନୁପାତ ୯୦୨ ଥିବା ବିସ୍ତୃତ ତଥ୍ୟ ମିଳିଥିଲା। ତେଣୁ ଚଳିତବର୍ଷ ସର୍ଭେରେ ବାସ୍ତବ ସ୍ଥିତି ଜଣାପଡ଼ିବ । ଏହି ତଥ୍ୟକୁ ଆଧାର କରି କେନ୍ଦ୍ର ସରକାର ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେବେ। ଏହା ଦ୍ଵାରା ସାମୁଦ୍ରିକ ମତ୍ସ୍ୟଜୀବୀ ମାନେ ଉପକୃତ ହେବେ । "












Click it and Unblock the Notifications