ରାଜ୍ୟରେ ମତ୍ସ୍ୟ ମିଶନ ଓ କ୍ଷୀରଧାରା ମିଶନକୁ ସଶକ୍ତ କରାଯିବ
ଲୋକଙ୍କ ଆସ୍ଥାଭାଜନ ହୋଇ ଓ ସ୍ଵଚ୍ଛତା ଅବଲମ୍ବନପୂର୍ବକ ବିଭାଗର ଅଧୁକାରୀମାନେ କାର୍ଯ୍ୟ କରିବାକୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପରାମର୍ଶ ଦେଇଛନ୍ତି । ଆଜି ଅପରାହ୍ନରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଯୋଜନା ଓ କାର୍ଯ୍ୟାବଳୀ ସଂପର୍କିତ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ରାଜ୍ୟର ଚାଷୀମାନଙ୍କ ଜୀବିକା ନିର୍ଦ୍ଧାରଣ ଓ ଆୟବୃଦ୍ଧି ଦିଗରେ ଏହି ବିଭାଗର ବିଶେଷ ଗୁରୁତ୍ଵ ଥିବାରୁ ସରକାରୀ ଯୋଜନାଗୁଡ଼ିକୁ ଲୋକାଭିମୁଖୀ କରିବା ଦିଗରେ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀବୃନ୍ଦ ନିଷ୍ଠାପର ଭାବରେ କାର୍ଯ୍ୟ କରିବା ଆବଶ୍ୟକ ।
ଓଡ଼ିଶା ପ୍ରାଣୀସଂପଦ ବିକାଶ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ ଓ ପ୍ରାଣୀପାଳକମାନଙ୍କ ଆୟବୃଦ୍ଧି ପାଇଁ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବାୟୋଫ୍ଲକ୍, କେଜ୍ କଲଚର ମାଛଚାଷ, କୁକୁଡ଼ା ପାଳନ, ଗୋପାଳନ ଓ ଦୁଗ୍ଧ ଉତ୍ପାଦନ, ଛେଳି ଓ ଘୁଷୁରୀ ପାଳନ ଓ ଘାସଚାଷ ପରି ଯୋଜନାଗୁଡ଼ିକରେ ଉଚିତ ପରିମାଣର ରିହାତି ଦେଇ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ଅର୍ଥନୈତିକ ବିକାଶ ଦିଗରେ କାର୍ଯ୍ୟ କରିବାକୁ ହେବ ।

ମନ୍ତ୍ରୀ ପୁଣି କହିଛନ୍ତି ଯେ ପ୍ରତି ବ୍ଲକ୍ରେ ପ୍ରାଣୀରୋଗ ପରୀକ୍ଷାଗାର ପ୍ରତିଷ୍ଠା କରାଯିବା ସହିତ ବୁଲା ଓ ଅସହାୟ ପ୍ରାଣୀମାନଙ୍କ ପାଇଁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଣ, ଅଧିକ ସଂଖ୍ୟକ ଗୋଶାଳା ପ୍ରତିଷ୍ଠା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ହେବ । ପ୍ରାଣୀମାନଙ୍କ ଟିକାକରଣ କାର୍ଯ୍ୟକ୍ରମ, କୃତ୍ରିମ ପ୍ରଜନନ, ମଧୁର ଓ କ୍ଷାରଜଳ ମାଛଚାଷ ଇତ୍ୟାଦିରେ କିପରି ଚାଷୀମାନେ ଅଧିକ ଲାଭପ୍ରଦ ହେବେ ସେ ବିଷୟରେ ଧ୍ୟାନ ଦେବାକୁ ହେବ ।
ଅନୁରୂପ ଭାବରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଓମ୍ ଫେଡ୍ କାର୍ଯ୍ୟାବଳୀ ନେଇ ଅବଗତ ହୋଇଥିଲେ । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ସେହି ଯୋଜନାସବୁର ସୁଫଳ ଗ୍ରାମାଞ୍ଚଳରେ ଥିବା ଗୋପାଳକ, ପ୍ରାଣୀପାଳକ, ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀମାନଙ୍କୁ ମିଳିବା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ରାଜ୍ୟରେ ଓଡ଼ିଶା ପ୍ରାଣୀସଂପଦ ମିଶନ, ଓଡ଼ିଶା ମତ୍ସ୍ୟ ମିଶନ, ଓଡ଼ିଶା କ୍ଷୀରଧାରା ମିଶନ, ଦୁଗ୍ଧବନ୍ୟା ମିଶନର କାର୍ଯ୍ୟକ୍ରମକୁ ସଶକ୍ତ କରିବା ପାଇଁ ଏକ ବଳିଷ୍ଠ ରୋଡ୍ମ୍ୟାପ୍ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଛନ୍ତି ।
ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ତଥା ବରିଷ୍ଠ ଅଧିକାରୀବୃନ୍ଦ ମନ୍ତ୍ରୀଙ୍କୁ ସ୍ଵାଗତ ଜଣାଇଥିଲେ । ପ୍ରମୁଖ ଶାସନ ସଚିବ ଦୃଶ୍ୟଶ୍ରାବ ଉପସ୍ଥାପନ ମାଧ୍ଯମରେ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକ ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ବୈଠକରେ ମତ୍ସ୍ୟ ନିର୍ଦ୍ଦେଶକ ସାବ୍ଦିକ୍ ଆଲାମ୍, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ରାମାଶିଷ ହାଜରା, ଓମ୍ ଫେଡ୍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ । ସ୍ଵତନ୍ତ୍ର ଶାସନ ସଚିବ ଗଙ୍ଗାଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।












Click it and Unblock the Notifications