୧୦୦ ବର୍ଷ ପରେ ପ୍ରଥମଥର ପାଇଁ ଗାଁରେ ମାଟ୍ରିକ୍ ପାସ୍ କଲେ ଛାତ୍ର, ଇଞ୍ଜିନିୟର୍ ହେବାକୁ ରହିଛି ଇଚ୍ଛା...
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତର ଏକ ଗାଁ ଜାରେଙ୍ଗପଟା । ଏହା ଏମିତି ଏକ ଗାଁ, ଯେଉଁଠି ଆଜିକୁ ପ୍ରାୟ ୧୦୦ ବର୍ଷ ହେଲାଣି କେହି ଜଣେ ହେଲେବି ମାଟ୍ରିକ୍ ପରୀକ୍ଷାରେ ପାସ୍ କରି ନଥିଲେ ।
ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତର ଏକ ଗାଁ ଜାରେଙ୍ଗପଟା । ଏହା ଏମିତି ଏକ ଗାଁ, ଯେଉଁଠି ଆଜିକୁ ପ୍ରାୟ ୧୦୦ ବର୍ଷ ହେଲାଣି କେହି ଜଣେ ହେଲେବି ମାଟ୍ରିକ୍ ପରୀକ୍ଷାରେ ପାସ୍ କରି ନଥିଲେ । ହୁଏତ ଏହି ଘଟଣା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କଥା ଟି ପୂରା ସତ ।

ତେବେ ୧୦୦ ବର୍ଷ ପରେ ପ୍ରଥମଥର ପାଇଁ ଗାଁରେ ମାଟ୍ରିକ୍ ପାସ୍ କରିଛନ୍ତି ରାଜୁ ମାଝୀଙ୍କ ପୁଅ ସନ୍ଦୀପ ମାଝୀ । ପରୀକ୍ଷାରେ ସନ୍ଦୀପ ୩୩୦ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଆଉ ତାଙ୍କର ସଫଳତାକୁ ନେଇ ସାରା ଅଞ୍ଚଳରେ ଖୁସି ଲହରୀ । ସ୍ଥାନୀୟ ପୋଖରୀବନ୍ଧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢି ମାଟ୍ରିକ୍ ପାସ୍ କରିଛନ୍ତି ସନ୍ଦୀପ । କଲେଜରେ ପାଠ ପଢି ଇଞ୍ଜିନିୟର୍ ହେବାକୁ ତାଙ୍କର ଇଚ୍ଛା ରହିଛି । ହେଲେ ଆର୍ଥିକ ପ୍ରତିବନ୍ଧକ ଥିବାରୁ କେମିତି ପାଠ ପଢିବେ ସେନେଇ ଚିନ୍ତାରେ ପୂରା ପରିବାର। କିନ୍ତୁ ସରକାରୀ ସହୟତା ମିଳିଲେ ପୁଅ ପାଠ ପଢିବ ବୋଲି ବାପା-ମାଆଙ୍କ ଆଶା ରହିଛି ।
ଜାରେଙ୍ଗପଟା ଗାଁରେ ଜଣେ ମଧ୍ୟ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ କଲେଜ ମାଟି ମାଡ଼ିନାହାନ୍ତି । କାରଣ ଏହି ଗାଁର ପିଲାମାନେ ପିଲା ବେଳୁ ହିଁ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଆନ୍ତି । ଯଦି କେହି ବି ସ୍କୁଲରେ ପଢନ୍ତି ତେବେ ମାଟ୍ରିକ୍ ପର୍ଯ୍ୟନ୍ତ ପହଞ୍ଚିପାରନ୍ତି ନାହିଁ । ଗାଁର ଅନେକ ପିଲା ଅଧାରୁ ପାଠ ଛାଡ଼ି ଦାଦନ ଚାଲିଯାଆନ୍ତି । ଏବେ ମାଟ୍ରିକ ପାସ୍ କଲେଜ ମାଟି ମାଡିବାର ପ୍ରଥମ ଛାତ୍ର ହେବେ ସନ୍ଦୀପ ମାଝୀ । ତେବେ ସନ୍ଦୀପ ମାଝୀଙ୍କ ପରେ ପରେ ଗାଁରେ କଲେଜ ପଢ଼ୁଆ ପିଲାଙ୍କ ସଂଖ୍ୟା ବଢ଼ିବ ବୋଲି ଗ୍ରାମବାସୀ ଆଶାବ୍ୟକ୍ତ କରିଛନ୍ତି ।
ଗାଁ ଗାଁରେ ଶିକ୍ଷା ପହଞ୍ଚାଇବାକୁ ସରକାର ଅନେକ ଯୋଜନା ମଧ୍ୟ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ପ୍ରକୃତ ଯୋଜନା ଗାଁକୁ ପହଞ୍ଚି ପାରୁନଥିବା ତାହା ଜାରେଙ୍ଗପଟା ଗାଁର ଏଭଳି ଚିତ୍ରକୁ ଦେଖିଲେ ବେଶ୍ ଜଣାପଡ଼ୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଗାଁଠାରୁ ଗୋଟିଏ କିମି ଭିତରେ ପୋଖରୀବନ୍ଧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବା ବେଳେ ୩ କିମି ଦୂର ବିଶ୍ୱନାଥପୁରଠାରେ କଲେଜ ରହିଛି।
ତେବେ ସନ୍ଦୀପ ମାଟ୍ରିକ ପାସ୍ କରିବା ଆମ ପାଇଁ ଗୌରବର କଥା ବୋଲି କଗିଛନ୍ତି ପ୍ରଧାନଶିକ୍ଷୟିତ୍ରୀ କଳ୍ପନା ସ୍ୱାଇଁ । ସନ୍ଦୀପ କଲେଜ ଯିବା ପାଇଁ ଯେଉଁ ଆଗ୍ରହ ଦେଖାଉଛନ୍ତି । ଯଦି ତାଙ୍କୁ କଲେଜ ପଢିବାରେ ସରକାର କି ପ୍ରଶାସନ ସାହାଯ୍ୟ କଲେ ସେ ଦେଖିଥିବା ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି ପରିବାର।












Click it and Unblock the Notifications