ପଞ୍ଚାୟତ ନିର୍ବାଚନ: ଆରମ୍ଭ ହେଲା ଭୋଟର ଗଣପର୍ବ
ସକାଳ ୭ଟାରୁ ୩୦ ଜିଲ୍ଲାର ୧ ହଜାର ୬୬୯ଟି ପଞ୍ଚାୟତରେ ଆରମ୍ଭ ହୋଇଛି ମତଦାନ । ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ।
ଭୁବନେଶ୍ୱର: ଆରମ୍ଭ ହେଲା ଗାଁ ଭୋଟର ଗଣପର୍ବ । ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସକାଳ ୭ଟାରୁ ୩୦ ଜିଲ୍ଲାର ୧ ହଜାର ୬୬୯ଟି ପଞ୍ଚାୟତରେ ଆରମ୍ଭ ହୋଇଛି ମତଦାନ । ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର । ପ୍ରଥମ ପର୍ଯ୍ୟାୟରେ ଆଜି ୨୦୦ ଜିଲ୍ଲା ପରିଷଦ ଆସନର ଭୋଟିଂ ହେଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।

ଗୋଟିଏ ଗୋଟିଏ ବୁଥରେ ୩ଶହରୁ ୫ଶହ ଭିତରେ ଭୋଟର୍ ଭୋଟ ଦେବାର ବ୍ୟବସ୍ଥା ହୋଇଛି । ଏହି ପର୍ଯ୍ୟାୟରେ ୨୨ ହଜାରରୁ ଅଧିକ ବୁଥ୍ ରହିଥିବା ବେଳେ ୩ ହଜାର ୩୫୭ ବୁଥ୍ ଉତ୍ତେଜନାପ୍ରବଣ ଚିହ୍ନଟ ହୋଇଛି । କୋଭିଡ୍ ଗାଇଡଲାଇନ୍ ଭିତରେ ଭୋଟ୍ ଗ୍ରହଣ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ଭୋଟର୍ ତାଲିକାରେ ତାଙ୍କ ନାଁ ରହିଛି ନା ନାହିଁ ଫାଷ୍ଟ ପୋଲିଂ ଅଫିସରଙ୍କ ନିକଟରେ ଯାଞ୍ଚ କରିବେ । ପରିଚୟ ଯାଞ୍ଚ ପାଇଁ ଭୋଟର୍ ଆଇଡି, ଆଧାର, ପାନ୍ କାର୍ଡ ସମେତ ୧୩ଟି ପରିଚୟ ପତ୍ରକୁ ଗ୍ରହଣ କରାଯିବ । ତାପରେ ସେକେଣ୍ଡ ପୋଲିଂ ଅଫିସର୍ ପାଖକୁ ଯାଇ ବାଁ ହାତର ବିଶି ଅଙ୍ଗୁଳିରେ କାଳି ଲଗାଇବେ । ସେଠାରୁ ୪ଟି ପଦବୀ ପାଇଁ ବାଲାଟ୍ ପେପର୍ ନେଇ ପୋଲିଂ ଚ୍ୟାମ୍ବରକୁ ଯିବେ । ପ୍ରଥମେ ସରପଂଚ, ତାପରେ ଓ୍ୱାର୍ଡମେମ୍ବର, ଏହାପରେ ପଞ୍ଚାୟତ ସମିତି ସଭ୍ୟ ଓ ଶେଷରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ଉଦ୍ଦିଷ୍ଟ ବାଲାଟ୍ ପେପରରେ ଭୋଟ୍ ଦେବେ ।
ସରପଞ୍ଚ ପଦବୀ ଲାଗି ଗୋଲାପୀ, ଓ୍ୱାର୍ଡ ମେମ୍ବର ଲାଗି ହଳଦିଅଆ, ସମିତି ସଭ୍ୟ ଲାଗି ନୀଳ ଓ ଜିଲ୍ଲା ପରିଷଦ ଜୋନ୍ ଲାଗି ଧଳା ରଙ୍ଗର ବାଲାଟ୍ ପେପର୍ ରଖାଯାଇଛି । ଭୋଟ୍ ଗ୍ରହଣ ସରିବା ପରେ ବାଲାଟ୍ ବକ୍ସଗୁଡ଼ିକୁ ସିଲ୍ କରାଯାଇ ବ୍ଲକ୍ ହେଡ କୱାରରରେ ଥିବା ଷ୍ଟ୍ରଙ୍ଗ୍ ରୁମକୁ ଅଣାଯିବ ।












Click it and Unblock the Notifications