ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଶେଷ ବିଧାନସଭା ବଜେଟ୍ ଅଧିବେଶନ, ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ
ଶେଷ ହୋଇଛି ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସରିଛି ପ୍ରଥମ ପର୍ଯ୍ୟାୟର ଶେଷ ଦିନ ।

ଭୁବନେଶ୍ୱର: ଶେଷ ହୋଇଛି ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସରିଛି ପ୍ରଥମ ପର୍ଯ୍ୟାୟର ଶେଷ ଦିନ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।
ତେବେ ଆସନ୍ତା ୧୦ ତାରିଖରୁ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଯାହା ଏପ୍ରିଲ ୬ ରେ ଶେଷ ହେବ । ଚଳିତ ବଜେଟ ଅଧିବେଶନରେ ମୋଟ ୨୭ ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୨୧ ରୁ ମାର୍ଚ୍ଚ ୧ ଯାଏଁ କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଥିଲା ।
ତେବେ ଆଜି ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ ସାମ୍ନାରେ ପୋଷ୍ଟର ଧରି ନାରାବାଜି କରିଥିଲେ । ଫଳରେ ଚାଲିପାରି ନଥିଲା ପ୍ରଶ୍ନକାଳ । ଗୃହକୁ ପୂର୍ବାହ୍ନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ସାଢେ ୧୧ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ପୁଣିଥିରେ ହଟ୍ଟଗୋଳ ଯୋଗୁଁ ୧୫ ମିନିଟ୍ ମୁଲତବୀ ରଖାଯାଇଥିଲା । ଗୃହକାର୍ଯ୍ୟ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ପରେ ପୁନର୍ବାର ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖାଯାଇଥିଲା ।
ଅପରାହ୍ନରେ ବିଧାନସଭା ଆରମ୍ଭ ହେବା ପରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବଜେଟ ଆଲୋଚନା ଚାଲିଥିଲା । ତେବେ ଆଲୋଚନା ଅସମାପ୍ତ ରହିଥିବା ବେଳେ ବାଚସ୍ପତି ଗୃହକୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।












Click it and Unblock the Notifications