Odisha Assembly Elections: ଓଡ଼ିଶା ବିଧାନସଭା ନିର୍ବାଚନର ଇତିହାସ, ସ୍ୱାଧୀନତା ପୂର୍ବରୁ ଆଜି ପର୍ଯ୍ୟନ୍ତ...
Odisha Assembly Elections: 2024 ଲୋକସଭା ଓ ଓଡ଼ିଶାର ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ୍ । ନେତା ଓ କର୍ମୀ ସକ୍ରିୟ ହେବା ସହ ଜୋରଦାର ହୋଇଛି ପ୍ରଚାର । ଶାସକ ଓ ବିରୋଧୀ ଶାସନ ହାତେଇବାକୁ ଅଙ୍କ କଷିବା ସହ ଭୋଟରଙ୍କୁ ଆକର୍ଷିତ କରିବାକୁ ଅନେକ ପ୍ରୟାସ କରୁଛନ୍ତି ।
କିନ୍ତୁ, ଏହି ସବୁ ମଧ୍ୟରେ ଆପଣ କେବେ ଭାବିଛନ୍ତି କି ଆମ ରାଜ୍ୟ ଓଡ଼ିଶାରେ କେମିତି ଥିଲା ପ୍ରଥମ ନିର୍ବାଚନ ? ପ୍ରଥମ ନିର୍ବାଚନ କେବେ ହୋଇଥିଲା ? କେଉଁ ଆଧାରରେ କେତେ ଆସନରେ ନିର୍ବାଚନ ହୋଇଥିଲା ? କାହା ହାତକୁ ଯାଇଥିଲା ଶାସନଭାର ? ରାଜ୍ୟ ଗଠନ ଠାରୁ ଆଜି ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନ ସମ୍ପର୍କରେ ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ ଏହି ଆଲେଖ୍ୟ । ତେବେ ଆସନ୍ତୁ ଜାଣିବା ଓଡ଼ିଶା ବିଧାନସଭା ନିର୍ବାଚନର ଇତିହାସ...

ରାଜ୍ୟର ପ୍ରଥମ ନିର୍ବାଚନ
1936 ମସିହା ଅପ୍ରେଲ 1 ରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ଏହି ସମୟରେ ରାଜ୍ୟପାଳଙ୍କ ହାତରେ ଥିଲା ରାଜ୍ୟର ଶାସନ କ୍ଷମତା । ରାଜ୍ୟପାଳଙ୍କୁ ପରାମର୍ଶ ଦେବା ପାଇଁ 20 ଜଣିଆ ପରାମର୍ଶଦାତା କମିଟି ଗଠନ କରାଯାଇଥିଲା । ଏହା ପରେ 1937 ରେ ରାଜ୍ୟରେ ହୋଇଥିଲା ପ୍ରଥମ ନିର୍ବାଚନ । ଏହା ଥିଲା ନିର୍ବାଚନ ପୂର୍ବରୁ ଓଡ଼ିଶା ପାଇଁ ପ୍ରଥମ ନିର୍ବାଚନ । ଭାରତ ସରକାର ଆଇନ 1935 ଅନୁସାରେ ଓଡ଼ିଶାରେ ଯେଉଁ ନିର୍ବାଚନ ହୋଇଥିଲା ସେଥିରେ ଆସନ ସଂଖ୍ୟା 60 ଥିଲା। ସେଥିରୁ 56 ଜଣ ନିର୍ବାଚିତ ହେଉଥିବାବେଳେ 4 ଜଣ ତତ୍କାଳୀନ ଗଭର୍ଣ୍ଣରଙ୍କ ଦ୍ୱାରା ମନୋନୀତ ହେଉଥିଲେ ।
1937 ରେ ହୋଇଥିବା ପ୍ରଥମ ବିଧାନସଭା ନିର୍ବାଚନ 18 ଜାନୁଆରୀ ରୁ 23 ଜାନୁଆରୀ ମଧ୍ୟରେ ହୋଇଥିଲା । ଏହି ନିର୍ବାଚନରେ ମୋଟ 60 ଆସନରୁ କଂଗ୍ରେସ 36 ଆସନ ହାତେଇ ବଡ଼ ଦଳ ଭାବେ ଉଭା ହୋଇଥିଲା ।
1946 ବିଧାନସଭା ନିର୍ବାଚନ
ଭାରତ ସ୍ୱାଧୀନତା ପାଇବାର ଗୋଟିଏ ବର୍ଷ ପୂର୍ବରୁ 1946 ରେ ହୋଇଥିଲା ରାଜ୍ୟର ଦ୍ୱିତୀୟ ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ପୁଣି କଂଗ୍ରେସ 47 ଆସନ ହାତେଇଥିଲା । ଡ଼ ହରେକୃଷ୍ଣ ମହତାବ ହୋଇଥିଲେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ । ଏହା ପରେ 12 ମେ 1950 ରେ ସେ କେନ୍ଦ୍ର କ୍ୟାବିନେଟ୍ ରେ ସାମିଲ ହେବାରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଏହି ଭାର ନେଇଥିଲେ ନବକୃଷ୍ଣ ଚୌଧୁରୀ ।
ସ୍ୱାଧୀନତା ପରେ ପ୍ରଥମ ଓଡ଼ିଶା ବିଧାନସଭା ନିର୍ବାଚନ
ସ୍ୱାଧୀନତା ପରେ ଓଡ଼ିଶାର ପ୍ରଥମ ବିଧାନସଭା ନିର୍ବାଚନ 1951 ରେ ହୋଇଥିଲା । ଏହି ନିର୍ବାଚନ ପ୍ରକ୍ରିୟା 1951 ଡିସେମ୍ବର 20 ରୁ 24 ଜାନୁଆରୀ 1952 ପର୍ଯ୍ୟନ୍ତ 36 ଦିନ ଧରି ଜାରି ରହିଥିଲା । ସେତେବେଳକୁ ରାଜ୍ୟରେ 140 ବିଧାନସଭା ଆସନରେ ହୋଇଥିଲା ନିର୍ବାଚନ ।
ଏହି ନିର୍ବାଚନରେ କଂଗ୍ରେସ 67 ଆସନ ଜିତିଥିବା ବେଳେ ଜନତା ପରିଷଦ 31, ସୋସିଆଲିଷ୍ଟ 10, କମ୍ୟୁନିଷ୍ଟ 7 ଟି, ଫରୱାର୍ଡ ବ୍ଲକର ଜଣେ ଏବଂ 24 ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ । ନବକୃଷ୍ଣ ଚୌଧୁରୀ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ପରେ ସେ 19 ଅକ୍ଟୋବର 1956 ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେହି ଦିନ ଡ଼ ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ସେହିପରି 1957, 1961, 1967 ଏବଂ 1971 ରେ ମଧ୍ୟ 140 ଆସନ ଲାଗି ହୋଇଥିଲା ବିଧାନସଭା ନିର୍ବାଚନ । ଏହା ପରେ 1971 ରେ ବିଧାନସଭା ଆସନ ସଂଖ୍ୟା 147କୁ ବୃଦ୍ଧି ପାଇଥିଲା । 1974 ନିର୍ବାଚନ ଏହି ନିର୍ବାଚନରେ 147 ବିଧାନସଭା ଆସନ ପାଇଁ ନିର୍ବାଚନ ହେବା ଲାଗି ଘୋଷଣା ହୋଇଥିଲା । କିନ୍ତୁ ଚିଲିକା ଆସନରୁ କେହି ନାମାଙ୍କନ ଭରି ନଥିବାରୁ ଏହି ଆସନରେ ମତଦାନ ହୋଇନଥିଲା । ଏଥିରେ କଂଗ୍ରେସ କ୍ଷମତା ହାସଲ କରିବା ବେଳେ ନନ୍ଦିନୀ ଶତପଥୀ ହୋଇଥିଲେ ମୁଖ୍ୟମନ୍ତ୍ରୀ । ସେବେ ଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟର 147 ବିଧାନସଭା ଆସନ ପାଇଁ ମତଦାନ ହୋଇ ଆସୁଛି ।












Click it and Unblock the Notifications