କଟକରେ ଏକ ଘରୋଇ ନର୍ସିଂହୋମ୍ରେ ଲାଗିଲା ନିଆଁ , ଉଦ୍ଧାର କାର୍ଯ୍ୟ ଜାରି
କଟକରେ ଏକ ଘରୋଇ ନର୍ସିଂହୋମ୍ରେ ନିଆଁ ଲାଗିଛି। ନର୍ସିଂହୋମ୍ର ତୃତୀୟ ମହଲାରେ ନିଆଁ ଲାଗିଛି। ବିଦ୍ୟୁତ୍ ଶର୍ଟସର୍କିଟ୍ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମ କର୍ମଚାରୀମାନଙ୍କ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ପୁରୀଘାଟ ଥାନା ଅଞ୍ଚଳରେ ରହିଛି ତ୍ରିସା ନର୍ସିଂହୋମ୍। ଏହି ନର୍ସିଂହୋମ୍ର ତୃତୀୟ ମହଲାରେ ରହିଛି ଆଇସିୟୁ। ୧୦ରୁ ଅଧିକ ଗୁରୁତର ରୋଗୀ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଏହାଛଡ଼ା ସାଧାରଣ ବେଡ୍ରେ ମଧ୍ୟ ବହୁ ରୋଗୀ ଚିକିତ୍ସିତ ହେଉଥିଲେ। ତେବେ ଆଜି ଅପରାହ୍ନରେ ହଠାତ୍ ଆଇସିୟୁରେ ବିଦ୍ୟୁତ୍ ଶର୍ଟସର୍କିଟ୍ ଯୋଗୁ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ତୃତୀୟ ମହଲାରେ ନିଆଁ ବ୍ୟାପି ଯାଇଥିଲା। ଧୂଆଁମୟ ହୋଇଯାଇଥିଲା ପୂରା ଫ୍ଲୋର। ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀମାନେ ଅଣ ନିଃଶ୍ୱାସୀ ହୋଇପଡ଼ିଥିଲେ।
ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ କର୍ମଚାରୀ। ଫାୟାର ଲିଫ୍ଟ ମାଧ୍ୟମରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀଙ୍କୁ ଉଦ୍ଧାର କରାଯାଉଛି। ପ୍ରବଳ ଧୂଆଁ ଯୋଗୁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ଘଟୁଛି। ତଥାପି ଅଗ୍ନିଶକ କର୍ମଚାରୀମାନେ ରୋଗୀଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି।ଉଦ୍ଧାର ହୋଇଥିବା ରୋଗୀଙ୍କୁ ଅନ୍ୟ ଘରୋଇ ମେଡ଼ିକାଲ୍ ଓ ଏସ୍ସିବିରେ ଭର୍ତ୍ତି କରାଯାଇଛି।ତେବେ ପର୍ଯ୍ୟପ୍ତ ପରିମାଣର ଆମ୍ୱୁଲାନ୍ସ ନଥିବାରୁ ରୋଗୀଙ୍କୁ ରାସ୍ତାରେ ଶୋଆଯାଇଥିବା ଦେଖିବାକୁ ମିଳିଛି। ସେପଟେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଛି।












Click it and Unblock the Notifications