ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଉଚ୍ଚଶିକ୍ଷା ପାଇଁ ଜନଜାତି ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା
ଭୁବନେଶ୍ବର: ଆଜି ଜନଜାତି ଉପଦେଷ୍ଟା ପରିଷଦ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଦିନ ସାଢେ ୧୧ ଟାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ତ୍ରୀ ଜଗନ୍ନାଥ ସାରକା, ସୁଦାମ ମାର୍ଣ୍ଡି ଓ କମିଟିର ସଦସ୍ୟମାନେ ସାମିଲ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ କହିଛନ୍ତି, ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଦିଆଯିବ ଆର୍ଥିକ ସହାୟତା । ଚଳିତ ଶିକ୍ଷା ବର୍ଷରୁ ସରକାରୀ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଅନୁସୂଚିତ ଜାତି ଜାନଜାତିର ଛାତ୍ରଛାତ୍ରୀ ଏକକାଳୀନ ୫୦ ହଜାର ଟଙ୍କାର ସହାୟତା ଦିଆଯିବ ।

ସେହିଭଳି ଆଦିମ ଜନଜାତି ସଶକ୍ତିକରଣ ଓ ଜୀବନଜୀବିକା କାର୍ଯ୍ୟକ୍ରମର ସଂପ୍ରସାରଣ ପାଇଁ ମଧ୍ୟ କେନ୍ଦ୍ରକୁ ଏକ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ଚିହ୍ନଟ ହୋଇଥିବା ଆଉ ୧୧୩୮ ଆଦିମ ଜନଜାତି ଗାଁକୁ ଏହି ଯୋଜନା ସଂପ୍ରସାରଣ କରିବାକୁ ଦାବି କରାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରୁ ଆସନ୍ତା ୭ ବର୍ଷ ପାଇଁ ଏହିସବୁ ଗାଁରେ ଆଦିମ ଜନଜାତି ସଶକ୍ତିକରଣ ଓ ଜୀବନଜୀବିକା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର ନିରନ୍ତର ଚେଷ୍ଟା କରୁଛନ୍ତି । ସେମାନଙ୍କ ଶିକ୍ଷା, ଜୀବିକା ଓ ଅଧିକାରର ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାରଙ୍କ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଜନଜାତିଙ୍କ କଳା ଓ ସଂସ୍କୃତିର ସୁରକ୍ଷାକୁ ସରକାର ଅଗ୍ରାଧିକାର ଦେଉଛନ୍ତି । ପିଲାଙ୍କ ପାଇଁ ଆବାସିକ ଶିକ୍ଷା ବ୍ୟବସ୍ଥା କରାଯାଇଛି । ମୋ ଜଙ୍ଗଲ ଜମି ଯୋଜନା କାର୍ଯ୍ୟକାରୀ ହେଉଛି । ୨୩ ଜିଲ୍ଲାର ୧୭୨ ବ୍ଲକରେ ଜନଜାତିଙ୍କ ବିକାଶ ପାଇଁ ସରକାରୀ ଯୋଜନା କାମ କରୁଛି । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ଛାତ୍ରାବାସ ଜରିଆରେ ଶିକ୍ଷାଦାନରେ ଓଡ଼ିଶା ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ । ବାର୍ଷିକ ପ୍ରାୟ ୬ ଲକ୍ଷ ଆଦିବାସୀ ଛାତ୍ରଛତ୍ରୀ ଏହି ସୁବିଧା ପାଉଛନ୍ତି ।
ସେ ଆହୁରି କହିଛନ୍ତି ଯେ ଜନଜାତିଙ୍କ ସାମାଜିକ ଓ ଆର୍ଥିକ ବିକାଶକୁ ସରକାର ଫୋକସ କରୁଛନ୍ତି । ଜଙ୍ଗଲ ଅଧିକାର ଆଇନରେ ଜମି ପ୍ରଦାନରେ ଓଡ଼ିଶା ଦେଶରେ ମଡେଲ । ମୁଖ୍ୟମନ୍ତ୍ରୀ ଜୀବିକା ମିଶନ ପାଇଁ ବଜେଟରେ ୫୦୦ କୋଟିର ପାଣ୍ଠି ଘୋଷଣା କରାଯାଇଛି ।
ଏହାଦ୍ବାରା ତିନି ବର୍ଷରେ ଦେଢ ଲକ୍ଷ ଆଦିବାସୀ ପରିବାରକୁ ସହାୟତା ମିଳିପାରିବ ।












Click it and Unblock the Notifications