ଅର୍ଥ ବିଭାଗ ଅନୁମତି ବିନା ଆଉଟ୍ସୋର୍ସିଂ ନିଯୁକ୍ତି ମନା
ଅର୍ଥ ବିଭାଗର ବିନା ଅନୁମତିରେ ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇପାରିବ ନାହିଁ। ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଏ ସମ୍ପର୍କରେ ଚିଠି ଜରିଆରେ ସମସ୍ତ ବିଭାଗକୁ ସୂଚନା ଦେଇଛନ୍ତି।
ଶ୍ରୀ ମିଶ୍ର ଜଣାଇଛନ୍ତି ଯେ ଆଉଟ୍ସୋର୍ସିଂ ଆଧାରରେ କର୍ମଚାରୀ ନିଯୁକ୍ତି କରିବା ଲାଗି ଅର୍ଥ ବିଭାଗଠାରୁ ଆଗୁଆ ଅନୁମତି ନେବା ବାଧ୍ୟତାମୂଳକ।
କିନ୍ତୁ ଯଦି ପୂର୍ବରୁ ନିଯୁକ୍ତ ଆଉଟ୍ସୋର୍ସିଂ କର୍ମଚାରୀଙ୍କର କେବଳ ନିଯୁକ୍ତି ନବୀକରଣ ଦରକାର ହୁଏ ଏବଂ କର୍ମଚାରୀ ସଂଖ୍ୟାରେ କୌଣସି ବୃଦ୍ଧି ନହୁଏ, ତେବେ ଅର୍ଥ ବିଭାଗର ଆଗୁଆ ଅନୁମତି ଦରକାର ପଡ଼ିବ ନାହିଁ। କିନ୍ତୁ ନିଯୁକ୍ତ ଆଉଟ୍ସୋର୍ସିଂ କର୍ମଚାରୀ ସଂଖ୍ୟା ଯଦି ନବୀକରଣ ବେଳେ ବଢ଼ିବ ତେବେ ଅତିରିକ୍ତ କର୍ମଚାରୀଙ୍କ ପାଇଁ ଅର୍ଥ ବିଭାଗର ଅନୁମତି ଲୋଡ଼ିବାକୁ ହେବ।

ଅନ୍ୟପକ୍ଷରେ, କୌଣସି ନୂଆ କ୍ୟାଡର୍ ନିୟମ ପ୍ରସ୍ତୁତି କିମ୍ବା ସଂଶୋଧନ ପୂର୍ବରୁ ଅର୍ଥବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଆଇନ ବିଭାଗର ଅନୁମତି ନେବାକୁ ମୁଖ୍ୟ ସଚିବ ମନୋଜ ଆହୁଜା ସବୁ ବିଭାଗକୁ କହିଛନ୍ତି। କ୍ୟାଡର ନିୟମ ସମ୍ପର୍କିତ କୌଣସି ପ୍ରସ୍ତାବ କ୍ୟାବିନେଟ୍ରେ ଉପସ୍ଥାପନ କରିବା ପୂର୍ବରୁ ଯଥାର୍ଥ ଆକଳନ ଏବଂ ଆର୍ଥିକ ପ୍ରଭାବ ଅନୁଶୀଳନ କରିବା ଆବଶ୍ୟକତା ରହିଥିବା ଦୃଷ୍ଟିରୁ ଆଗୁଆ ଅନୁମତି ନେବାକୁ ବିଭାଗଗୁଡ଼ିକୁ କୁହାଯାଇଛି।












Click it and Unblock the Notifications