ବଙ୍ଗୋପସାଗରରେ ବାତ୍ୟା ଭୟ, ଲଘୁଚାପ ପରେ ସ୍ପଷ୍ଟ ହେବ ଚିତ୍ର !
ଅକ୍ଟୋବର ଆସିଲେ, ମନରେ ବାତ୍ୟା ଭୟ ସଞ୍ଚାର ହୁଏ । ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ମାତ୍ରେ ବାତ୍ୟା ଆଶଙ୍କା ସମସ୍ତଙ୍କୁ ବିଚଳିତ କରେ । ଏବେ ମଧ୍ୟ ସେମିତି କିଛି ଖବରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା । ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ- ଜିଏଫଏସ୍ ମଡେଲ ସମ୍ଭାବ୍ୟ ବାତ୍ୟାକୁ ନେଇ ଏଭଳି ଆକଳନ କରିଛି ।
ବଙ୍ଗୋପସାଗରରେ ବାତ୍ୟା ଭୟ ସୃଷ୍ଟି ହୋଇଛି। ପୂର୍ବରୁ ବିଭିନ୍ନ ବିଦେଶୀ ମଡେଲ୍ ବାତ୍ୟା ନେଇ ଆକଳନ କରୁଥିବା ବେଳେ ଏବେ ଭାରତୀୟ ପାଣିପାଗ ବିଭାଗର ସାପ୍ତାହିକ୍ 'ବିସ୍ତାରିତ ପରିସର ଆକଳନ' ବୁଲେଟିନ୍ରେ ହୋଇଥିବା ପୂର୍ବାନୁମାନ ବାତ୍ୟା ଆଶଙ୍କାକୁ ଖୋରାକ୍ ଯୋଗାଇଛି। ଯଦିଓ ବାତ୍ୟା କେତେ ଘନୀଭୂତ ହେବ ଓ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ମାତ୍ର ବାତ୍ୟା ସୃଷ୍ଟି ନେଇ କରାଯାଇଥିବା ଆଶଙ୍କା ଦୃଢ଼ୀଭୂତ ହୋଇଛି।

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସମୁଦ୍ରରୁ ବଳ ଗୋଟାଇବ । ଫଳରେ ଏହା ବାତ୍ୟାରେ ପରିଣତ ହୋଇପାରେ । ତେବେ ଏହାର ତୀବ୍ରତା ଓ ଗତିପଥକୁ ନେଇ ବାରମ୍ୱାର ଆକଳନ ପରିବର୍ତ୍ତନ କରୁଛି ଜିଏଫଏସ୍ ମଡେଲ, ଯାହାକୁ ନେଇ ସନ୍ଦେହ ବଢୁଛି ।
ଇସିଏମଡବ୍ଲୁଏଫ ମଡେଲ... କେବଳ ଜିଏଫଏସ ମଡେଲ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ପାଣିପାଗକୁ ପୂର୍ବାନୁମାନ କରୁଥିବା ଆଉ ଏକ ସଂସ୍ଥା ସେଣ୍ଟର ଫର ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟ- ଇସିଏମଡବ୍ଲୁଏଫର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲ ମଧ୍ୟ ବାତ୍ୟାକୁ ନେଇ ପୂର୍ବାନୁମାନ କରିଛି । ଆଗାମୀ ୨୨ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ଏହି ମଡେଲ । ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଏହା କେବଳ ବିଭିନ୍ନ ପାଣିପାଗ ମଡେଲର ଆକଳନ ।
ବଙ୍ଗୋପସାଗରରେ ବାତ୍ୟାକୁ ନେଇ ପୂର୍ବାନୁମାନ କରୁଥିବା ସବୁଠାରୁ ଭରସାଯୋଗ୍ୟ ସରକାରୀ ପାଣିପାଗ ସଂସ୍ଥା ଆଇଏମଡି ସମ୍ଭାବ୍ୟ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନାହିଁ । କେବଳ ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ଏହା ଘନୀଭତ ହୋଇପାରେ ବୋଲି କହିଛି ।
ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଗାମୀ ୨୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ୨୨ ତାରିଖ ବେଳକୁ କେନ୍ଦ୍ରୀୟ ଏହା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରର ରୂପନେବ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ । ଏହାର ପ୍ରଭାବରେ ଆଗାମୀ ୨୩ ତାରିଖ ବେଳକୁ ବର୍ଷା ହୋଇପାରେ।
ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ସମାନ ଆକଳନ କରିଛି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ବାତ୍ୟା ସୃଷ୍ଟି ନେଇ କୌଣସି ଆକଳନ କରାଯାଇ ନ ଥିବା କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ତେବେ ଲଘୁଚାପ ଯୋଗୁଁ ୨୩ ଓ ୨୪ ତାରିଖରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏ ନେଇ କୌଣସି ସତର୍କ ସୂଚନା ଦିଆଯାଇ ନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।












Click it and Unblock the Notifications