ନକଲି କୋଭିଡ ମେଡିସିନ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ନକଲି ଔଷଧ କାରବାରର ଚେର ଖୋଳିବ କ୍ରାଇମବ୍ରାଞ୍ଚ । ଆଜି ନକଲି କୋଭିଡ ଔଷଧ କାରବାର ଘଟଣାରେ କ୍ରାଇମବ୍ରାଞ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ବର: ଏବେ ରାଜ୍ୟରେ ନକଲି ଔଷଧ କାରବାରର ଚେର ଖୋଳିବ କ୍ରାଇମବ୍ରାଞ୍ଚ । ଆଜି ନକଲି କୋଭିଡ ଔଷଧ କାରବାର ଘଟଣାରେ କ୍ରାଇମବ୍ରାଞ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନାଥାଉ କି, ଗତ କିଛି ଦିନ ତଳେ କଟକରୁ ବିପୁଳ ପରିମାଣର ନକଲି ଔଷଧ ଠାବ୍ ହୋଇଥିଲା । କଟକ କନିକା ଛକ ନିକଟ ଏକ ଔଷଧ ଦୋକାନରୁ ଏହି ଔଷଧ ଜବତ ହୋଇଥିଲା । ଯାହା ଭିତରେ ୧୭ ହଜାର ଫାଭିଫିରାଭିର ଟାବଲେଟ୍ ଜବତ ହୋଇଥିଲା । ଏହା ପରେ ସାରା ରାଜ୍ୟରେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଏହାପରେ ଏହି ଘଟଣାର ତଦନ୍ତ ନେଇ ନିର୍ଦ୍ଦେଶ ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସର ମିଳିତ ଭାବେ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲା ସ୍ୱାସ୍ଥ୍ୟ ବିଭାଗ । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘଟଣାକୁ ଗମ୍ଭୀରତାର ସହ ନେବା ସହିତ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଡ୍ରଗ୍ସ କଣ୍ଟ୍ରୋଲ କହିଛନ୍ତି, ରାଜ୍ୟରେ ଜବତ ହୋଇଥିବା ଫାଭିପିରାଭିର ମେଡିସିନ ଭେଜାଲ । ହରିୟାଣା ଓ ମହାରାଷ୍ଟ୍ର ସରକାର ଏହି ମେଡିସିନରେ ଭେଜାଲ ଥିବା ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଓଡ଼ିଶାରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ଏହି ସୂଚନା ଦେଇଛନ୍ତି ।
ଏହି ମେଡିସିନରୁ 40 ହଜାର 600 ଗୋଆଲିଅର ପଠା ଯାଇଥିବା ବେଳେ ବାକି 17 ହଜାର 400 ଜବତ ହୋଇଛି । ସେଥିରୁ 400ଟି ଟେଷ୍ଟିଂ ପାଇଁ ପଠାଯାଇଛି । ମ୍ୟାକ୍ସ ରିଲିଫ ହେଲ୍ଥ କେୟାର କମ୍ପାନୀର ଏହି ମେଡିସିନ । ଏହା ବାଦ ବାକି ଭିଟାମିନ - ସି ଓ ଆଜିଥ୍ରୋମାଇସିନ ମେଡିସିନ ଭଳି 9 ଟି ବିଭିନ୍ନ ମେଡିସିନ ଜବତ କରାଯାଇଛି । ଜବତ ସବୁ ମେଡିସିନ୍ ସେହି ସମାନ କମ୍ପାନୀର ହୋଇଥିବାରୁ ଏହା ବି ଭେଜାଲ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ସେଥିପାଇଁ ସେଗୁଡିକୁ ମଧ୍ୟ ଟେଷ୍ଟିଂ ପାଇଁ ପଠାଯାଇଛି । ତେବେ ଭେଜାଲ ଫାଭିପିରାଭିର ମେଡିସିନ ରାଜ୍ୟରେ ଗୋଟିଏ ବି ବ୍ୟବହାର ହୋଇନାହିଁ ।
ସେପଟେ ସବୁ ଭେଜାଲ ମେଡିସିନ ହିମାଚଳ ପ୍ରଦେଶରୁ ଉତ୍ତର ପ୍ରଦେଶ ଦେଇ ଓଡ଼ିଶା ଆସିଥିଲା । ମେଡିସିନ ଉପରେ ହିମାଚଳ ପ୍ରଦେଶ ଲେଖାଯାଇଥିଲେ ବି ଏପରି କିଛି କମ୍ପାନୀ ସେଠାରେ ନାହିଁ । ରାଜ୍ୟର 13ରୁ 14ଟି ଜିଲ୍ଲାରେ ଚଢ଼ାଉ କରାଯାଇଛି । କେବଳ ବଲାଙ୍ଗୀରରେ ଭେଜାଲ ଫାଭିପିରାଭିର ମେଡିସିନର ଅଳ୍ପ ନୁମୁନା ମିଳିଥିବା ବେଳେ ଅନ୍ୟ ସବୁ ସ୍ଥାନରେ ବାକି 9 ଟି ମେଡିସିନିର ନୁମୁନା ମିଳିଛି । ଅବ୍ୟଶକ ପଡ଼ିଲେ ବାହାର ରାଜ୍ୟକୁ ଯାଞ୍ଚ ପାଇଁ ଏକ ଟିମ ଯିବ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ସୂଚନା ଦେଇଛନ୍ତି ।