ମାନିଲାନି ଇସ୍କନ ; ବିବାଦ ପରେ ବି ଆମେରିକା ହ୍ୟୁଷ୍ଟନ୍ରେ କରିଛି ଅଦିନିଆ ରଥଯାତ୍ରା
ବହୁ ବିବାଦ ପରେ ମଧ୍ୟ ମାନିଲାନି ଇସ୍କନ। ଗତକାଲି ଆମେରିକା ହ୍ୟୁଷ୍ଟନ୍ରେ କରିଛି ଅଦିନିଆ ରଥଯାତ୍ରା। 'ଫେଷ୍ଟିଭାଲ ଅଫ ବ୍ଲିସ' ନାଁରେ ରଥଯାତ୍ରା କରିଛି ଇସ୍କନ। ରଥରେ ଚତୁର୍ଦ୍ଧା ମୂର୍ତ୍ତି ନଥିଲେ ବି ରାଧାକୃଷ୍ଣଙ୍କ ମୂର୍ତ୍ତି ରଖି ନନ୍ଦିଘୋଷ ଭଳି ଅବିକଳରଥ ନିର୍ମାଣ କରି ଟାଣିଛି ଇସ୍କନ। ଯାହା ଓଡ଼ିଆ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି।

ଅଦିନିଆ ରଥଯାତ୍ରା ନ କରିବାକୁ ଗଜପତି ମହାରାଜା କହିବା ପରେ ଏଥିରୁ ନିବୃତ୍ତ ରହିବ ବୋଲି ଇସ୍କନ ପକ୍ଷରୁ କୁହାଯାଇଥିଲା। ଏହାପରେ ଆମେରିକା ହ୍ୟୁଷ୍ଟନରେ ଶ୍ରୀଜିଉଙ୍କ ଅଦିନ ସ୍ନାନ ଓ ରଥଯାତ୍ରା ହେବନି ବୋଲି ଇସ୍କନ ପକ୍ଷରୁ ସୂଚନା ଦିଆଯାଇଥିଲା।
ତେବେ ନିର୍ଦ୍ଧାରିତ ଦିନ ଆର୍ଥାତ ଗତକାଲି ହ୍ୟୁଷ୍ଟନରେ ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଏହାକୁ ଟାଣିବା ସହ 'ଫେଷ୍ଟିଭାଲ ଅଫ ବ୍ଲିସ' ପାଳନ କରିଛି ଇସ୍କନ। ଅଦିନରେ ନନ୍ଦିଘୋଷ ରଥ ଗଡ଼ିବା ଓ ଇସ୍କନର ଏଭଳି ମନୋଭାବକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏନେଇ ଇସ୍କନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ଘୋଷ ଯାତ୍ରା ଓ ସ୍ନାନ ଯାତ୍ରାକୁ ଇସ୍କନ ମନମୁଖୀ ଭାବରେ କରୁଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସେବାୟତଙ୍କଠାରୁ ଆରମ୍ଭ କରି ସମସ୍ତ ଜଗନ୍ନାଥ ପ୍ରେମୀ ଏହାକୁ ବିରୋଧ କରିଥିଲେ। ଏନେଇ ଦୁଇ ଦୁଇ ଥର ଗଜପତି ମହାରାଜ ମଧ୍ୟ ଇସ୍କନଙ୍କୁ ଚିଠି ଲେଖିଛନ୍ତି। ଏହି ସବୁ ପରେ ବି ଜଗନ୍ନାଥଙ୍କୁ ରଥରେ ନ ବସାଇ ରାଧା କୃଷ୍ଣଙ୍କୁ ବସାଇ ରଥଯାତ୍ରା କରିଛି ଇସ୍କନ। ବାରମ୍ବାର କହିବା ପରେ ଇସ୍କନ ମନମୁଖୀ କାର୍ଯ୍ୟ କରୁଛି।












Click it and Unblock the Notifications