ଚାଲିଛି 'ଅପରେସନ୍ ଗଜରାଜ': କୂଳକୁ ଆସୁଛି ହାତୀ
ମୁଣ୍ଡଳି ବ୍ୟାରେଜ୍ ନିକଟରେ ଫସି ରହିଛି ଦନ୍ତା ହାତୀ । ତେବେ ହାତୀଟିକୁ ଉଦ୍ଧାର କରିବା ପାଇଁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ଚାଲିଛି 'ଅପରେସନ୍ ଗଜରାଜ' ।
କଟକ: ମୁଣ୍ଡଳି ବ୍ୟାରେଜ୍ ନିକଟରେ ଫସି ରହିଛି ଦନ୍ତା ହାତୀ । ତେବେ ହାତୀଟିକୁ ଉଦ୍ଧାର କରିବା ପାଇଁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ଚାଲିଛି 'ଅପରେସନ୍ ଗଜରାଜ' । ଏପଟେ ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିବା ହାତୀଟି ଏବେ ନିଜ ଉଦ୍ୟମରେ କୂଳରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛି।

ତେବେ ନଦୀର ପ୍ରଖର ସ୍ରୋତକୁ କାଟି ଦନ୍ତାଟି ଆଠଗଡ଼ ପଟକୁ ଯିବାକୁ ଚେଷ୍ଟା ଚଳାଇଛି। ହେଲେ ହାତୀକୁ କାଳ ସାଜିଛି ଗହଳି। ଅତ୍ୟଧିକ ଲୋକ ଗହଳି ଯୋଗୁ କୂଳକୁ ଆସିବାକୁ ଚେଷ୍ଟା ଚଳାଇଥିବା ହାତୀଟି ଭୟଭୀତ ହୋଇ ପଡ଼ିଛି ବୋଲି କହିଛନ୍ତି ଡିଏଫଓ ।
ପାଣି ଭିତରୁ ହାତୀକୁ ଉଦ୍ଧାର କରିବା ପାଇଁ ଲାଗିଛନ୍ତି ବନ ବିଭାଗର ୨୫ ଜଣ କର୍ମଚାରୀ । ସେହିପରି ଆଠଗଡ଼ ପୋଲିସର ୧ ପ୍ଲାଟୁନ, ଅଗ୍ନିଶମ ବାହିନୀର ୨୨ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ପାଣିର ସ୍ରୋତ ଓ ଲୋକଙ୍କ ଗହଳି ଯୋଗୁଁ ଦନ୍ତା ହାତୀକୁ ଉଦ୍ଧାର କରିବାରେ ସମସ୍ୟା ଉପୁଜିଛି । ହାତୀକୁ ଉଦ୍ଧାର କରିବାକୁ ବିଶେଷଜ୍ଞ ଟିମ୍ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।
ସୂଚନାଯୋଗ୍ୟ, ଆଠଗଡ଼ ସୁକାସନ ଜଙ୍ଗଲରୁ ୧୮ ଟିକିଆ ହାତୀ ପଲ ମହାନଦୀ ପାର୍ ହୋଇ ବାଙ୍କୀ, ଡମପଡ଼ା-ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଉଥିଲେ । ୧୭ଟି ହାତୀ ନଦୀ ପାର୍ ହୋଇଯାଇଥିବାବେଳେ ଏହି ହାତୀଟି ଭାସି ଯାଇଥିଲା । ଦନ୍ତା ଭାସିଯିବାରୁ ତାକୁ ଉଦ୍ଧାର କରିବା ଲାଗି ଆଉ ୨ ହାତୀ ନଦୀରେ ପୁଣି ପଶିଥିଲେ । ହେଲେ ସେ ୨ଟି ହାତୀ ମଧ୍ୟ ସୁଅରେ ଭାସି ମୁଣ୍ଡଳି ବ୍ୟାରେଜ ପାଖ ଅନନ୍ତପୁରରେ ଲାଗି ଉପରକୁ ଉଠିଛନ୍ତି । ହେଲେ ହାତୀଟି ଏ ଯାଏ ନଦୀ ଭିତରେ ଫସି ରହିଛି । ଅନ୍ୟପକ୍ଷରେ ନଦୀ ଭିତରେ ଫସି ରହିଥିବା ହାତୀକୁ ଦଉଡ଼ି ଯୋଗେ କଦଳୀ ଖାଇବା ଲାଗି ଦିଆଯାଇଛି।












Click it and Unblock the Notifications