ଦନ୍ତା ନେଲା ଜୀବନ: ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି, ଅନୁଗୋଳ-ବନ୍ତଳା ରାସ୍ତା ଅବରୋଧ
ଦନ୍ତା ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ବ୍ଲକ ପାତେଳି ଗ୍ରାମରେ ଆଜି ଏକ ଅଘଟଣ ଘଟିଛି । ଅନୁଗୋଳ ବନଖଣ୍ଡ ପାତେଳି ଗାଁରେ ଏହା ଦେଖିବାକୁ ମିଳିଛି । ନିକଟସ୍ଥ ନାଳକୁ ଶୌଚ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।
ଦନ୍ତାହାତୀ ଆକ୍ରମଣରେ ଆଜି ସକାଳୁ ଦୁଇ ଦୁଇଟି ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ବନ୍ତଳା ବନାଞ୍ଚଳ ଓ ଅନୁଗୁଳ ବନାଞ୍ଚଳ ସୀମାନ୍ତରେ ଏକ ଦନ୍ତାହାତୀ ଦୁଇଦିନ ହେଲା ବ୍ୟାପକ କ୍ଷୟକ୍ଷତି କରୁଥିବା ଦେଖିବାକୁ ମିଳିଥିଲା। ଆଜି ସକାଳୁ ବନ୍ତଳା ବନାଞ୍ଚଳ କୁମୁରିସିଂହା ପଞ୍ଚାୟତ ପାତେଳି ଗ୍ରାମର ଝିଲ୍ଲୀ ମାଝୀ(୪୨) ଘର ସମ୍ମୁଖ ଦାଣ୍ଡ ଝାଡୁ କରୁଥିବାବେଳେ ପ୍ରଥମେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେହିପରି ଅନୁଗୁଳ ବନାଞ୍ଚଳର ଶଙ୍କର ବିଶ୍ୱାଳ(୬୨)ଟାକୁଆ ନାଳକୁ ଶୌଚ ହେବାକୁ ଯାଇଥିବାବେଳେ ହାତୀ ତାଙ୍କୁ ବି ଦଳି ଦେଇଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ଅନୁଗୋଳ-ବନ୍ତଳା ରାସ୍ତା ଅବରୋଧ କରି ପ୍ରତିବାଦ କରୁଛନ୍ତି । ସାହାରାଗୁଡା ଗ୍ରାମର ଅକ୍ଷୟ ନାଏକ ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କୁ କ୍ଷତି ପୂରଣ ଦେବାକୁ ଦାବି ହୋଇଛି ।












Click it and Unblock the Notifications