ନିର୍ବାଚନ ୨୦୨୪: ଏପ୍ରିଲରୁ ଆରମ୍ଭ ହୋଇଥିବା ପ୍ରଚାରରେ ଆଜି ଲାଗିବ ବ୍ରେକ; ଶେଷ ପର୍ଯ୍ୟାୟ ପାଇଁ ଆଜି ସରିବ ପ୍ରଚାର
ଆଜି ସରିବ ପ୍ରଚାର । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ରାଜ୍ୟ ଓ ଦେଶରେ ପ୍ରଚାରର ଶେଷ ଦିନ । ଜୁନ ୧ ତାରିଖରେ ପଡ଼ିବ ଭୋଟ୍।
ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ଓ ଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ । ଆଜି ସନ୍ଧ୍ୟା ସୁଦ୍ଧା ସବୁ ଦଳ ପ୍ରଚାର ଶେଷ କରିବେ ।
ପ୍ରଚାରର ଶେଷ ଦିନରେ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଭଦ୍ରକର ସିମୁଳିଆରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।
ବିଜେଡି ସୁପ୍ରିମୋ ଆଜି ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିବେ । ଭଦ୍ରକର ଚାନ୍ଦବାଲିରେ ବିଶାଳ ସଭାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ପଟ୍ଟନାୟକ ।
ସେହିପରି ବିଜେଡି ନେତା ଭିକେ ପାଣ୍ଡିଆନ ବାଲେଶ୍ୱରରେ ପ୍ରଚାର କରିବେ । ବିଜେପି ନେତା ଧର୍ମେନ୍ଦ୍ର୍ ପ୍ରଧାନ ଓ ଅନ୍ୟ ବରିଷ୍ଠ ବିଜେପି ନେତା ବିଭିନ୍ନ ସ୍ଥାନରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।
ଶେଷ ଦିନରେ ମାରାଥନ ପ୍ରଚାର ପାଇଁ ସବୁ ଦଳ ଯୋଜନା କରିଛନ୍ତି । ଆଜି ପ୍ରଚାର ସହିତ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ପ୍ରଚାର କୋଳାହଳ ଉପରେ ବ୍ରେକ ଲାଗିବ ।

ଓଡିଶାର ଚତୁର୍ଥ ପର୍ଯ୍ୟାୟରେ ୬ ଲୋକସଭା ଆସନ ଓ ସେହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୪୨ ଆସନରେ ଆସନ୍ତା ୧ ତାରିଖରେ ଭୋଟ ଗ୍ରହଣ ହେବ । ସେହିପରି ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ସଂସଦୀୟ ଆସନ ପାଇଁ ମତ ଅଧିକାର ସାବ୍ୟସ୍ତ କରିବେ ଭୋଟର । ଅନ୍ତିମ ପର୍ଯ୍ୟାୟ ଜୁନ୍ ୧ରେ ପଡ଼ିବ ଭୋଟ ।
କଟକ ଜିଲାର ନିଆଳି, ସାଲେପୁର ଏବଂ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀର ଅଞ୍ଚଳରେ ୧୪୪ ଧାରା ଜାରି ହେବ । ଆଗାମୀ ୩୦ ତାରିଖ ସନ୍ଧ୍ୟା ୬ଟାରୁ ଜୁନ୍ ୨ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ।
ଜିଲାପାଳ ଅରିନ୍ଦମ ଡାକୁଆ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମତେ ଫୌଜଦାରୀ ଆଇନ୍, ୧୮୭୩ ଆଧାରରେ ୧୪୪ ଧାରା ଜାରି କରିଛନ୍ତି । ଏହି ଧାରା ଅନୁଯାୟୀ. ଭୋଟଗ୍ରହଣ କେନ୍ଦ୍ର ପରିସରର ୨୦୦ ମିଟର ଅଞ୍ଚଳ ମଧ୍ୟରେ ୫ ଜଣ କିମ୍ବା ତଦୁର୍ଦ୍ଧ୍ୱ ବ୍ୟକ୍ତି ଏକତ୍ରିତ ହେବା ନିଷିଦ୍ଧ।












Click it and Unblock the Notifications