୨୪ ସୁଦ୍ଧା ପିଜି ନାମଲେଖା ତଥ୍ୟ ଦେବେ ଶିକ୍ଷାନୁଷ୍ଠାନ
୨୦୨୬-୨୭ ଶିକ୍ଷାବର୍ଷ ସ୍ନାତକୋତ୍ତର(ପିଜି) ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନାମଲେଖା ପାଇଁ ଚଳିତ ମାସ ୧୨ରୁ ମାଷ୍ଟର ଡାଟାବେସ୍ ଅପଡେଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସାମ୍ସ ଇ-ସ୍ପେସ୍ରେ ତଥ୍ୟ ଦାଖଲ କରିପାରିବେ। ଏନେଇ ବିଭାଗ ପକ୍ଷର ସବୁ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କୁ ଅବଗତ କରାଯାଇଛି।

ଚିଠିରେ ଉଲ୍ଲେଖ କରାଯାଇଛି, ପିଜି ବିଷୟ ତାଲିକା, ଅନୁମୋଦନପ୍ରାପ୍ତ ଆସନ ସଂଖ୍ୟା, ବନ୍ଦ ଥିବା ବିଷୟ, ନିୟମିତ ଏବଂ ନିଜସ୍ବ ଦେୟ (ସେଲ୍ଫ ଫାଇନାନ୍ସିଂ) ପାଠ୍ୟକ୍ରମ ସମ୍ବନ୍ଧରେ ଆସନ୍ତା ୨୪ ତାରିଖ ଅପରାହ୍ଣ ୨ଟା ମଧ୍ୟରେ ତଥ୍ୟ ଦାଖଲ କରିବାକୁ ପଡ଼ିବ। ସାଧାରଣ ଛାତ୍ରଛାତ୍ରୀ, ଅଭିଭାବକ ଓ ସାଧାରଣ ଜନତା ଏହାଦ୍ବାରା ସହଜରେ ତଥ୍ୟ ଦେଖିପାରିବେ। ଯେଉଁ ଶିକ୍ଷାନୁଷ୍ଠାନ ତଥ୍ୟ ଦାଖଲ କରିବେ ନାହିଁ ସେମାନଙ୍କର ତାଲିକା କମନ ଆପ୍ଲିକେସନ୍ ଫର୍ମ(ସିଏଏଫ୍)ରେ ଦୃଶ୍ୟମାନ ହେବନି। ଯେଉଁ ମହାବିଦ୍ୟାଳୟ ଉନ୍ନୀତ ହୋଇଛି ସେମାନେ ମଧ୍ୟ ତଥ୍ୟ ଦାଖଲ କରିବେ। ଧାର୍ଯ୍ୟ ଫର୍ମାଟରେ ସବୁ ଶିକ୍ଷାନୁଷ୍ଠାନ ପିଜି ନାମଲେଖା ସମ୍ବନ୍ଧରେ ତଥ୍ୟ ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।












Click it and Unblock the Notifications