ଘରକୁ ଯାଇ ଇ-କେୱାଇସିର କରାଯିବ ଯାଞ୍ଚ୍, ଆଉ ଦେଢ଼ କୋଟି ଲୋକଙ୍କ ହେବ ଇ-କେୱାଇସି
ଇ-କେୱାଇସି ପଞ୍ଜୀକରଣ ସରିବା ପରେ ଖାଉଟିଙ୍କୁ ନୂଆ ରାସନ କାର୍ଡ ବଣ୍ଟାଯିବ । ରବିବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା କହିଛନ୍ତି । ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ ଇ-କେୱାଇସି ପଞ୍ଜୀକାରଣ ହେବ । ଏବେ ସୁଦ୍ଧା ୨ କୋଟି ଲୋକଙ୍କ ଇ-କେୱାଇସି ସରିଯାଇଛି ।
ଆଉ ମାସେ ମଧ୍ୟରେ ଅବଶିଷ୍ଟ ଲୋକଙ୍କ ଇ-କେୱାଇସି କରାଯିବ । ଏହି ପ୍ରକ୍ରିୟା ସରିବା ପରେ ଯାଞ୍ଚ କରାଯାଇ ଅଯୋଗ୍ୟ କାର୍ଡଧାରୀଙ୍କୁ ହଟାଯିବ । କେବଳ ଯୋଗ୍ୟ ଖାଉଟିଙ୍କୁ ବଛାଯାଇ ସେମାନଙ୍କୁ ନୂଆ ରାସନ କାର୍ଡ ମିଳିବ । ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କର ଯାଞ୍ଚ୍ କରାଯାଇ ସ୍ୱତନ୍ତ୍ର ଟିମ୍ ଘର ଘର ବୁଲି ସମ୍ପୃକ୍ତ ବ୍ୟକ୍ତି କାହିଁକି ଇ-କେୱାଇସି କରିନାହାନ୍ତି ତାକୁ ଅନୁଧ୍ୟାନ କରିବେ। କୌଣସି ପରିସ୍ଥିତିରେ ରାସନ୍ ଯୋଗାଣ ବନ୍ଦ ହେବ ନାହିଁ । ଶେଷ ଲୋକର ଇ-କେୱାଇସି ନସରିବା ଯାଏ ଏହା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ୨୦୧୬-୧୭ରୁ ଏ ପର୍ଯ୍ୟନ୍ତ ୧୬ ଲକ୍ଷ ୨୭ ହଜାର ୯୨୦ଟି କାର୍ଡ଼କୁ ଭୂତ ଓ ଅଯୋଗ୍ୟ କାର୍ଡ଼ ଭାବେ ଘୋଷଣା କରିବା ସହ ବାଦ୍ ଦିଆଯାଇଛି । ସେଥି ମଧ୍ୟରୁ ମୃତ୍ୟୁ ପରେ ବି ବହୁ ହିତାଧିକାରୀଙ୍କ ନାମରେ କାର୍ଡ ରହିଥିଲା । ଯାହାକୁ ଭୂତ କାର୍ଡ କୁହାଯାଉଥିଲା । ଏହି କାର୍ଡରେ ଆସୁଥିବା ରାସନ୍ ବାଟମାରଣା ହେଉଥିଲା । ସେଗୁଡିକୁ କଡ଼ାକଡ଼ି ଭାବେ ଯାଞ୍ଚ କରି ଏବେ କାଟି ଦିଆଯାଉଛି । ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବା ପରେ ଖାଲି ପଡୁଥିବା ସ୍ଥାନରେ ନୂଆ ହିତାଧିକାରୀଙ୍କୁ ଯୋଡ଼ାଯିବ । ସେମାନଙ୍କୁ ନୂଆ ରାସନ୍ କାର୍ଡ ମିଳିପାରିବ । ପ୍ରତି କାର୍ଡରେ ଯୋଡ଼ା ହୋଇଥିବା ପରିବାରର ସମସ୍ତ ସଦସ୍ୟଙ୍କର ଆଧାରଯୁକ୍ତ ଇ-କେୱାଇସି କରାଯିବ । ଯାହା ଯୋଗାଣ ପ୍ରକ୍ରିୟାକୁ ସ୍ୱଚ୍ଛ କରିବ ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ଉଲ୍ଲେଖ କରିଛନ୍ତି ।
ଏହି ଅବସରରେ ଇ-କେୱାଇସି ସହିତ ଠକ ବ୍ୟବସାୟୀଙ୍କ ଉପରେ ସରକାରଙ୍କ ନଜର ରହିଥିବା ମନ୍ତ୍ରୀ କହିଥିଲେ । ସେ କହିଲେ, ପାର୍ବଣ ସମୟରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଉପରେ ଜୋର୍ଦାର ଚଢ଼ଉ ହେବ । ବିଭିନ୍ନ ପ୍ରକାର ମିଠା ଦୋକାନରେ ଯାଞ୍ଚ୍ ହେବ । ଏନେଇ ଏନ୍ଫୋର୍ସମେଣ୍ଟ୍ ଟିମକୁ ନିର୍ଦ୍ଦେଶ ଦିଆଯାଇଛି । ଅପମିଶ୍ରଣର ପ୍ରମାଣ ମିଳିଲେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିଛି ଦିନ ପୂର୍ବରୁ କଟକରେ ଏକ ନକଲି କ୍ଷୀର କମ୍ପାନି ଠାବ ହେବା ପରେ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ବିଭାଗ। ଗ୍ରାହକ କିଭଳି ଠକାମିର ଶିକାର ହେବେନି ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ।












Click it and Unblock the Notifications