ଷୋଡ଼ଶ ଉପଚାର ପୂଜା ଚଳଚଞ୍ଚଳ ଶକ୍ତିପୀଠ: ସୁନାବେଶରେ ଦର୍ଶନ ଦେଉଛନ୍ତି ମା କଟକ ଚଣ୍ଡୀ
ଆରମ୍ଭ ହେଲା ପାର୍ବଣର ପ୍ରଥମ ପର୍ବ ଷୋଡ଼ଶ ଉପଚାର ପୂଜା । ଆଜି ଅର୍ଥାତ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଛି ଶରତ କାଳୀନ ଶାରଦୀୟ ଦୁର୍ଗାପୂଜାର ଷୋଡଶ ଦିନାତ୍ମକ ଷୋଡଶ ଉପଚାର ପୂଜା ।
କଟକ: ଆରମ୍ଭ ହେଲା ପାର୍ବଣର ପ୍ରଥମ ପର୍ବ ଷୋଡ଼ଶ ଉପଚାର ପୂଜା । ଆଜି ଅର୍ଥାତ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଛି ଶରତ କାଳୀନ ଶାରଦୀୟ ଦୁର୍ଗାପୂଜାର ଷୋଡଶ ଦିନାତ୍ମକ ଷୋଡଶ ଉପଚାର ପୂଜା । ବିଭିନ୍ନ ରୀତିନୀତିର ସହ ୧୬ ଦିନ ପର୍ଯ୍ୟନ୍ତ ମାଆଙ୍କର ପୂଜା ସହିତ ଭିନ୍ନ ଭିନ୍ନ ବେଶ କରାଯାଉଛି । ଅନ୍ୟ ଦେବୀ ପୀଠ ଗୁଡିକ ଭଳି ମାଆ କଟକ ଚଣ୍ଡୀଙ୍କ ପୀଠରେ ଚାଲିଛି ପୂଜା । ଆଜି ସୁନାବେଶରେ ଦର୍ଶନ ଦେଇଛନ୍ତି ମାଆ କଟକ ଚଣ୍ଡୀ ।

ଆଜି ଭୋର ସମୟରୁ ରୀତିନୀତି ପୂଜା ଆରମ୍ଭ ହୋଇ ପ୍ରଥମେ ମଙ୍ଗଳ ଆଳତି ପରେ ପରେ ସ୍ନାନ, ଦୈନିକ ପୂଜା, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା କରାଯାଇଥିଲା । ପରେ ସହସ୍ର କୁମ୍ଭାଭିଷେକ, ଅନ୍ନ ଭୋଗ, ଏବଂ ଆଳତି କରାଯାଇ ଥିଲା ଏବଂ ଆଜି ପ୍ରଥମ ଦିନରେ ମାଙ୍କ ସୁନା ବେଶ କରାଯାଇ ଥିଲା । ବିଜୟା ଦଶମୀ ପର୍ଯ୍ୟନ୍ତ ମା ଭିନ୍ନ ଭିନ୍ନ ବେଶରେ ପୂଜା ପାଇବେ । ଏହି ବେଶକୁ ଦର୍ଶନ କରିବା ପାଇଁ କଟକର କୋଣ ଅନୁକୋଣରୁ ଛୁଟିଥିଲା ଭକ୍ତଙ୍କ ସୁଅ । ଦଶହରା ପର୍ଯ୍ୟନ୍ତ ଦେବୀପୀଠରେ ମାଆ କଟକ ଚଣ୍ଡୀଙ୍କ ଭିନ୍ନ ଭିନ୍ନ ବେଶ କରାଯିବ ।
ସେପଟେ ମା' ମଙ୍ଗଳାଙ୍କ ପୀଠରେ ମଧ୍ୟ ଆରମ୍ଭ ହୋଇଛି ମା'ଙ୍କର ଶରଦୀୟ ଉପଚାର । ପରମ୍ପରା ଅନୁଯାୟୀ ମା' ମଙ୍ଗଳାଙ୍କୁ ଆଜି ୧୦୮ କଳସ ସୁବାସିତ ଜଳରେ ସ୍ନାନ କରାଯାଇଛି । ମା'ଙ୍କର ଏହି ସ୍ୱତନ୍ତ୍ର ମାର୍ଜନା ପୂଜା ବିଧି ଦେଖିବାକୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହାସହ ଆଜିଠାରୁ ମା'ଙ୍କୁ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କରାଯିବ ।
ସେହିପରି ଆଜିଠାରୁ ଆରମ୍ଭ ହୋଇଛି ଭୁବନେଶ୍ବରର ବିଭିନ୍ନ ଶକ୍ତିପୀଠରେ ଷୋଳ ପୂଜା। ଏକାମ୍ର କ୍ଷେତ୍ରର ଅଷ୍ଟଚଣ୍ଡୀ ସମେତ ସମସ୍ତ ଦେବୀପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି।












Click it and Unblock the Notifications