ଆସୁଛନ୍ତି ମା’: ଏଥର ଝୁମିବ ରାଜଧାନୀ, ରାତି ୧୨ ଯାଏଁ ମେଲୋଡି
ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡିକୁ ଅନୁମତି ମିଳିଛି । ବିଏମସିର ସମନ୍ୱୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ୱର: ଆରମ୍ଭ ହୋଇସାରିଛି ପାର୍ବଣ ଋତୁ । ଆସୁଛନ୍ତି ମା । କୋଭିଡ ମହାମାରୀ ହେତୁ ଦୁଇ ବର୍ଷ ପରେ ଏଥର ବିନା କୌଣସି କଟକଣାରେ ହେବ ଶାରଦୀୟ ଦୁର୍ଗା ପୂଜା । ଏଥି ଲାଗି ପ୍ରସ୍ତୁତ ଦୈତ ନଗରୀ । ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡିକୁ ଅନୁମତି ମିଳିଛି । ବିଏମସିର ସମନ୍ୱୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ଦୁଇ ବର୍ଷ ହେବ କୋଭିଡ୍ ଯୋଗୁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ ଲାଗିଥିଲା । ଶାନ୍ତିଶୃଙ୍ଖଳାର ସହ ମେଲୋଡି କରିବାକୁ କୁହାଯାଇଛି । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ । ରାଜଧାନୀର ୧୭୮ ପୂଜା ମଣ୍ଡପରେ ଶୋଭା ପାଇବେ ମା' ଦୁର୍ଗା । ଏସବୁ ପୂଜା ମଣ୍ଡପର ପରିମଳକୁ ଗୁରୁତ୍ୱ ଦେଇଛି ବିଏମସି । ଭସାଣ ଉତ୍ସବ ପାଇଁ ବିଏମସି ପକ୍ଷରୁ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯିବ ।
ଭସାଣ ଉତ୍ସବ ପାଇଁ ବିଏମ୍ସି ପକ୍ଷରୁ ମେଢ଼ ବିସର୍ଜନ କରିବାକୁ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯିବ ବୋଲି ମେୟର ଶ୍ରୀମତୀ ଦାସ କହିଛନ୍ତି । କୁଆଖାଇ ଓ ଦୟାନଦୀ କୂଳରେ ଏଥିପାଇଁ ଅସ୍ଥାୟୀ ପୋଖରୀ କରିବ ବିଏମ୍ସି । ରାଜଧାନୀରେ ଏକାଧିକ ଅଞ୍ଚଳକୁ ଖୋଳିତାଡି ଛାରଖାର କରିଛି ସ୍ୱେରେଜ । ଏହା ସହ ରାସ୍ତାର ଅବସ୍ଥା ବି ଶୋଚନୀୟ । ତେଣୁ ପୂଜା ପୂର୍ବରୁ ରାସ୍ତାକାମ ସାରିବାକୁ ପୂଜା ମଣ୍ଡପ କର୍ମକର୍ତ୍ତା ମାନେ ଅନୁରୋଧ କରିଥିଲେ । ଏହାକୁ ଗୁରୁତ୍ୱର ସହ ନେଇଛି ବିଏମ୍ସି । ପୂଜା ପୂର୍ବରୁ ରାସ୍ତା କାମ ସାରିବାକୁ ମେୟର ଶ୍ରୀମତି ଦାସ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ପୂଜା ପାଳନ କରିବା ପାଇଁ ଖୁବ୍ ଶୀଘ୍ର ଏସ୍ଓପି ପ୍ରକାଶ ପାଇବ । ଡେଙ୍ଗୁ ପ୍ରଭାବିତ ଥିବା ଅଞ୍ଚଳରେ ଧୁଆଁ, ଉତ୍ସ ହ୍ରାସ ଓ ତଦାରଖକୁ ଧ୍ୟାନ ଦିଆଯିବ। କୋଭିଡ୍-୧୯ ଆଚରଣ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।












Click it and Unblock the Notifications