ବର୍ଷାରେ ଭିଜିଲା ନବମୀ, ଭାଙ୍ଗିଲା ତୋରଣ: ଦଶମୀରେ ହେବ ସମାନ ଅବସ୍ତା !
ପୂଜାକୁ ପାଣିଚିଆ କରିଦେଲା ବର୍ଷା । ବର୍ଷା ବର୍ଷାରେ ଶେଷ ହେଲା ନବମୀ ପୂଜା । ରାତି ପାହିଲେ ଦଶମୀ ।
ଭୁବନେଶ୍ୱର: ପୂଜାକୁ ପାଣିଚିଆ କରିଦେଲା ବର୍ଷା । ବର୍ଷା ବର୍ଷାରେ ଶେଷ ହେଲା ନବମୀ ପୂଜା । ରାତି ପାହିଲେ ଦଶମୀ । ଆୟୋଜନ ହେବ ରାବଣ ପୋଡି ଆହୁରି କେତେ କଣ ସାଂକୃତିକ କାର୍ଯ୍ୟକ୍ରମ । ହେଲେ ଆସନ୍ତାକାଲି ମଧ୍ୟ ପାଣିପାଗ କେନ୍ଦ୍ର ଆକଳନ ଅନୁଯାଇ, ବର୍ଷାର ସମ୍ଭାବନା ରହିଛି । ଆଉ ଯାହାକୁ ନେଇ ନିରାଶ ହୋଇଛନ୍ତି ଭକ୍ତ ।

ଆଜି ତୁହାକୁ ତୁହା ବର୍ଷା ଯୋଗୁଁ ରାଜଧାନୀର ପୂଜା ମଣ୍ଡପ ଗୁଡ଼ିକ ଲାଗୁଥିଲା ଖାଁ ଖାଁ । ଡମଣା ପୂଜା ମଣ୍ଡପର ଗେଟ୍ ଭୁଶୁଡ଼ି ପଡ଼ିଥିଲା ରାସ୍ତା ଉପରେ । ଫଳରେ ଏହି ରାସ୍ତାରେ ଗମନାଗମନ ପ୍ରଭାବିତ ହୋଇଥିଲା । ସେହିଭଳି କଟକ ଆଠଗଡ଼ ସ୍ଥିତ ରଘୁନାଥ ବଜାରର ଅବସ୍ଥା ବି ସମାନ । ବର୍ଷା ମାଡ଼ରେ ଟଳିପଡ଼ିଛି ୪୦ ଫୁଟ୍ର ଲାଇଟ୍ ଗେଟ୍ । ଗେଟ୍ ଭାଙ୍ଗି ଏଠାରେ ଜଣେ ବାଇକ୍ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି ।
ଗତ ୨୪ଘଣ୍ଟାରେ କାକଟପୁରରେ ସର୍ବାଧିକ ୧୬୦ ମିଲିମିଟର, ଅସ୍ତରଙ୍ଗରେ ୧୪୪ମିଲିମିଟର ଓ ଗୋପରେ ୧୦୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାଜ୍ୟର ବହୁ ସ୍ଥାନରେ ୧୦୦ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଆଉ ପ୍ରବଳ ବର୍ଷା ଦଶହରା ପୂଜାକୁ ପ୍ରଭାବିତ କରିଛି । ବର୍ଷା ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି ।
ଲଘୁଚାପ କ୍ଷେତ୍ର ବର୍ତ୍ତର୍ମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାଶ୍ୱର୍ବର୍ତୀ ସମୁଦ୍ର ମଧ୍ୟରେ ଆନ୍ଧ୍ର ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳମୁହାଁ ହେବାର ସମ୍ଭାବନା ରହିଛି । ଆଉ ଏହାର ପ୍ରଭାବରେ ବୁଧବାର ଉପକୂଳ ଓଡିଶା ଓ ଦକ୍ଷିଣ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାକୁ ଦେଖି ରାଜ୍ୟର ଦକ୍ଷିଣ ଓଡିଶାର ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଓ ୧୫ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ କାଲି ଅପରାହ୍ନରୁ ବର୍ଷାର ପ୍ରଭାବ କମିବ ବୋଲି ପାଣିପାଗ ବିଭାଗ କହିଛି । ଆସନ୍ତାକାଲି ବିଜୟା ଦଶମୀ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଯଦି ବର୍ଷା କମିଯାଏ, ତାହେଲେ ଜମିବ ରାବଣପୋଡ଼ି ଉତ୍ସବ ।












Click it and Unblock the Notifications