Durga Puja 2024: ପୂଜାମଣ୍ଡପରେ ମହାଅଷ୍ଟମୀ: ଶ୍ରଦ୍ଧାଳୁଙ୍କ ଭିଡ଼
ପୀଠରେ ମହାନବମୀ, ହେଲେ ପୂଜାମଣ୍ଡପରେ ମହାଅଷ୍ଟମୀ। ଏଥିଲାଗି ଆଜି ସକାଳୁ ପୂଜାମଣ୍ଡପରେ ବ୍ରତଧାରୀଙ୍କ ଭିଡ଼ ପରିଲକ୍ଷିତ ହେଉଛି। ସେମାନେ ବ୍ରତ ପୂଜା କରିବା ସହ ମାଙ୍କୁ ଶାଢ଼ୀ ଅର୍ପଣ କରୁଛନ୍ତି।
କଟକ ଓ ରାଜଧାନୀ ସମେତ ବିଭିନ୍ନ ମଣ୍ଡପରେ ସକାଳୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସୁନ୍ଦର ସାଜସଜ୍ଜା ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ରହିଛି। ଏଣେ ଶକ୍ତିପୀଠରେ ମନ୍ତ୍ର ଓ ଧ୍ବନିରେ କମ୍ପୁଛି ପରିବେଶ। ସେଠାରେ ଚଣ୍ଡୀପାଠ କରାଯାଉଛି। ଅଧିକାଂଶ ଶକ୍ତିପୀଠରେ ବି ଭକ୍ତଙ୍କ ସମାଗମ ହେଉଥିବା ଜଣାଯାଇଛି। କଟକର ଚଣ୍ଡୀ ଓ ଗଡ଼ଚଣ୍ଡୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
ଜି. ଉଦୟଗିରିର ବହୁ ପୂରାତନ ପୂଜା ମଣ୍ଡପ ତରଫରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ବୁଧୁବାର ମା' ବରାଳ ଦେବୀଙ୍କ ଘଟକୁ ନେଇ ପୂଜା ମଣ୍ଡପରେ ସ୍ଥାପନ କରାଯିବା ପରେ ଗୁରୁବାର ସପ୍ତମୀ ପୂଜା ଓ ଶୁକ୍ରବାର ଅଷ୍ଟମୀ ପୂଜା ଆରମ୍ଭ ହୋଇଛି। ଜି.ଉଦୟଗିରି ଦୁର୍ଗାପୂଜା ପୂରାତନ ପୂଜା ମଣ୍ଡପ ଭାବେ ପରିଚିତ।

କିଛି ବୟସ୍କ ଲୋକଙ୍କ କହିବା ଅନୁଯାୟୀ, ଏହି ପୂଜା ମଣ୍ଡପ ୭୦ବର୍ଷରୁ ଅଧିକ ପୁରାତନ। ଏହି ପୂଜା ମଣ୍ଡପରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ବରାଳ ଦେବୀଙ୍କ ଘଟ ପୂଜା ପାଉଥିବା ଯୋଗୁ ଏହାର ପୂଜା ରୀତିନୀତି ଓ ତନ୍ତ୍ର ପାଠ ସମ୍ପୂର୍ଣ୍ଣ ଭିନ୍ନ। ମା'ଙ୍କ ଘଟ ବିସର୍ଜନ ନ ହେବା ପର୍ଯ୍ୟନ୍ତ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏନାହିଁ । ଦଶହରା ଦିନ ରାତ୍ର ଘଟ ବିସର୍ଜନ ପରେ ମୂର୍ତ୍ତି ବିସର୍ଜନ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ। ପୂଜା କମିଟି ତରଫରୁ ଚଳିତ ବର୍ଷ ଶୃଖଳାର ସହିତ ପୂଜା କରିବା ପାଇଁ ନିଷ୍ପତ୍ତି ନିଆଯାଇ କାର୍ଯ୍ୟସୂଚୀ କରାଯାଇଛି। ଗୁରୁବାର ମହାସପ୍ତମୀ ପୂଜା ସହିତ ୧୦୮ ଆଳତୀ କରାଯାଇଥିଲା।
ଶୁକ୍ରବାର ମହାଅଷ୍ଟମୀ ପୂଜା ସହିତ ୧୦୮ ଆଳତୀ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ୧୨ରେ ମହା ନବମୀ ୧୦୮ ଆଳତୀ, ୧୩ରେ ମହାଦଶମୀ ପୂଜା ସହିତ ରାତିରେ ଘଟ ବିସର୍ଜନ କାର୍ଯ୍ୟକ୍ରମ ରହିଥିବା ବେଳେ, ୧୪ରେ ସାଂସ୍କୃତିକ କାର୍ଯ୍ୟକ୍ରମ, ୧୫ରେ ମା'ଙ୍କୁ ମହାପଟୁଆରରେ ବିସର୍ଜନ କରାଯିବ ବୋଲି ପୂଜା କମିଟି ସଭାପତି କାଳୁ ଚରଣ ପଣ୍ଡା କହିଛନ୍ତି। ପୂଜା କମିଟି ସମ୍ପାଦକ ମନ ସନ୍ତୋଷ ପାତ୍ର, ବ୍ୟବସାୟୀ ସଂଘ ସଭାପତି ସମୀର କୁମାର ପାଢୀଙ୍କ ସମେତ ପୂଜା କମିଟି ଓ ବ୍ୟବସାୟୀ ସଂଘ ସଦସ୍ୟମାନେ ପୂଜା ଦାୟିତ୍ୱରେ ଅଛନ୍ତି ।












Click it and Unblock the Notifications