ଡ୍ରାଇଭର୍ ସଂଘରେ ଫାଟ; ପ୍ରତିକ୍ରିୟା ରଖିଲେ ପ୍ରଶାନ୍ତ ମେଣ୍ଡୁଲି, ସେପଟେ ଚାଲିଛି ଯାତ୍ରୀବାହୀ ବସ୍
ଡ୍ରାଇଭର୍ ସଂଘରେ ଫାଟ ନେଇ ପ୍ରଶାନ୍ତ ମେଣ୍ଡୁଲିଙ୍କ ପ୍ରତିକ୍ରିୟା । କାନ୍ଦି କାନ୍ଦି ଭିଡିଓ ଜାରି କଲେ ମେଣ୍ଡୁଲି । ଡ୍ରାଇଭର୍ ଭାଇମାନେ ବିଚାର କରନ୍ତୁ, ଏ ସମୟ ଆଉ ପାଇବନି । ଯେଉଁ ଭାଇମାନେ ମାଲିକଙ୍କୁ ଚାହୁଁଛନ୍ତି, ମହାସଂଘ ଛାଡ଼ି ଦିଅନ୍ତୁ ।
ଯେଉଁ ଭାଇମାନେ ଗାଡ଼ି ଚଲାଇବେ ସମସ୍ତଙ୍କ ଫଟୋ ଉଠାଯିବ । ଯେଉଁମାନେ ସଂଘକୁ ପଇସା ଦେଇଛନ୍ତି ଫେରେଇ ଦେବୁ । ଟଙ୍କା ଫେରେଇ ଦେବୁ କିନ୍ତୁ ସଦସ୍ୟ ଭାବେ ରଖିବୁ ନାହିଁ । ଭାଇମାନେ ଧର୍ଯ୍ୟ ରଖନ୍ତୁ, ଆମକୁ କେହି କିଛି କରିପାରିବେ ନାହିଁ। ଏକ୍ ରହେଙ୍ଗେ ତୋ ସବ୍ ସେଫ୍ ରହେଙ୍ଗେ ।
ଓଡ଼ିଶା ଡ୍ରାଇଭର ମହାସଂଘରେ ଅଭ୍ୟନ୍ତରୀଣ ବିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନେତୃତ୍ୱକୁ ନେଇ ଅନେକ ଡ୍ରାଇଭର ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ଏହି ବିବାଦ ଏକ ନୂଆ ମୋଡ଼ ନେଇଛି। ମେଣ୍ଡୁଲିଙ୍କ ବିରୋଧରେ ମିନି ଟ୍ରକ ମାଲିକ ସଂଘ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଏକ ଅଭିଯୋଗ ଦାୟର କରିଛନ୍ତି, ଯେଉଁଥିରେ ସେ ଅଗଣତାନ୍ତ୍ରିକ ପଦ୍ଧତିରେ ହକ ମାଗୁଥିବା ଏବଂ ଡ୍ରାଇଭର ଓ ମାଲିକମାନଙ୍କୁ ଅପମାନିତ କରୁଥିବା ଅଭିଯୋଗ ହୋଇଛି।

ଜିଦ୍ରେ ଅଟଳ ଡ୍ରାଇଭର, ହନ୍ତସନ୍ତ ଲୋକେ । ରାଜ୍ୟରେ ଚତୁର୍ଥ ଦିନରେ ଆନ୍ଦୋଳନ । ସେପଟେ ଡ୍ରାଇଭର ସଂଘରେ ଫାଟ ଦେଖିବାକୁ ମିଳିଛି । ଗାଡି ନ ଚାଲିଲେ ଗାଡ଼ିର କିସ୍ତି ଚିନ୍ତାରେ ଡ୍ରାଇଭର । ତେଣୁ ଗାଡ଼ି ଚଳାଇବାକୁ ନିଷ୍ପତି ନେଇଛନ୍ତି ଅନେକ ଡ୍ରାଇଭର ଓ ମାଲିକ ।
ଗଜପତି ଜିଲ୍ଲାରେ ସ୍ବାଭାବିକ ହୋଇଛି ବସ ଚଳାଚଳ। ଜିଲ୍ଲାରୁ ମୋହନା, ଆର ଉଦୟଗିରି, କାଶୀନଗର ବ୍ଳକକୁ ଯାତାୟାତ କରିବା ସହ ବ୍ରହ୍ମପୁର, ଭୁବନେଶ୍ୱର, କଟକକୁ ମଧ୍ୟ ଯାତାୟାତ କରୁଛି ବସ । ବ୍ରହ୍ମପୁରରୁ ମଧ୍ୟ ବସ ସେବା ଆରମ୍ଭ । କେବଳ ରାୟଗଡ଼ା ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାକୁ ଯାତାୟତ କରୁଛି ବସ ।
ଅନ୍ୟପକ୍ଷରେ ଡ୍ରାଇଭରମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ନିବେଦନ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ନିରୀହ, ସରଳ ଡ୍ରାଇଭରଙ୍କୁ, ଡ୍ରାଇଭର ନେତା ଆନ୍ଦୋଳନ ନାମରେ ଭ୍ରମିତ କରନ୍ତୁ ନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଆନ୍ଦୋଳନ କରୁଥିବା ଡ୍ରାଇଭର ମହାସଂଘର ସମସ୍ତ ଦାବିକୁ ଡ୍ରାଇଭରଙ୍କ ହିତରେ ଥିବା ସରକାର ଶୁଣି ଓ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହୋଇସାରିଥିବା ବେଳେ ପୁଣି ଆନ୍ଦୋଳନର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି ।
ସରକାର ଲିଖିତ ପ୍ରତିଶ୍ରୁତି ଦେଲେ ଆନ୍ଦୋଳନରୁ ଓହରିବୁ ବେଲି ଜିଦି ଧରିଛନ୍ତି ଡ୍ରାଇଭର । ସମ୍ୱଲପୁର-ଜୟପୁର-କେନ୍ଦ୍ରାପଡ଼ା-ଯାଜପୁର । ସମେତ ସାରା ରାଜ୍ୟରେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ପରିବହନ ବ୍ୟବସ୍ଥା ଠପ୍ ହୋଇପଡିଛି । ବସଷ୍ଟାଣ୍ଡରେ ବସ୍, ରାସ୍ତା କଡ଼ରେ ଟ୍ରକ ଓ ଅନ୍ୟାନ୍ୟ ଗାଡ଼ି ଛିଡ଼ା ହୋଇ ରହିଛି । କେବଳ ଜରୁରୀକାଳୀନ ଓ ଘରୋଇ ଗାଡ଼ିକୁ ଛାଡି ଦେଲେ ଆଉ କୌଣସି ଗାଡି ଗଡୁନାହିଁ । ବସ ଚାଲୁନଥିବାରୁ ଦୂରଦୁରାନ୍ତକୁ ଯିବା ପାଇଁ ଅପେକ୍ଷା କରିଥିବା ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଏପରିକି କିଛି ଯାତ୍ରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସି ଘରକୁ ଫେରି ପାରୁନାହାନ୍ତି । ହେଲପର ମଧ୍ୟ ହିନସ୍ତା ହେଉଛନ୍ତି।












Click it and Unblock the Notifications