ମୁଖ୍ୟମନ୍ତ୍ରୀଙ୍କୁ ‘ଭାଇ’ ଭାଇ ଡାକିଲେ ଦ୍ରୌପଦୀ ମୁର୍ମୁ; କହିଲେ, ରାକ୍ଷୀ ବାନ୍ଧିଥିଲି, ମାଗିବା ପୂର୍ବରୁ ଦେଇ ଦେଲେ ଉପହାର
ନବୀନଙ୍କୁ ଭାଇ ବୋଲି ସମ୍ବୋଧନ କରିଛନ୍ତି । ଆଉ କହିଛନ୍ତି, ରାଖି ବାନ୍ଧିଥିଲି, ରାଖିର ପାଉଣା ମାଗିବା ପୂର୍ବରୁ ଭାଇ ଉପହାର ଦେଇଦେଲେ ।
ଭୁବନେଶ୍ବର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସି ବିଧାନସଭାରେ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ଭେଟିଛନ୍ତି। ବିଧାନସଭାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିଥିଲେ। ଏଥିରେ ଦ୍ରୌପଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡିର ସାଂସଦ ଓ ବିଧାୟକମାନଙ୍କୁ ସମର୍ଥନ ଲୋଡ଼ିଛନ୍ତି।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରି ବିଧାନସଭା ଭିତରକୁ ପାଛୋଟି ନେଇଛନ୍ତି । ତାପରେ ଦ୍ରୌପଦୀ ବିଜେଡି ନେତାମାନଙ୍କ ସହ ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ବସି ଆଲୋଚନା କରିଛନ୍ତି । ଆଲୋଚନା ଆରମ୍ଭରୁ ଭାବବିହ୍ୱଳ ହୋଇପଡିଥିଲେ ଦ୍ରୌପଦୀ ମୁର୍ମୁ । ନବୀନଙ୍କୁ ଭାଇ ବୋଲି ସମ୍ବୋଧନ କରିଛନ୍ତି । ଆଉ କହିଛନ୍ତି, ରାଖି ବାନ୍ଧିଥିଲି, ରାଖିର ପାଉଣା ମାଗିବା ପୂର୍ବରୁ ଭାଇ ଉପହାର ଦେଇଦେଲେ । ପ୍ରାର୍ଥୀ ଘୋଷଣାବେଳେ ବିଦେଶରୁ ଥାଇ ମୋ ସହ ଫୋନରେ କଥା ହୋଇଥିଲେ । ମନ୍ତ୍ରୀ ଥିଲି ବହୁ କାମ କରିଛି । ରାଷ୍ଟ୍ରପତି ହେଲେ ଓଡିଶା ସୁନ୍ଦର ଭାବେ ବଢ଼ିବ । ଦ୍ରୌପଦୀଙ୍କ ସମ୍ବୋଧନ ପରେ ତାଙ୍କୁ ଭୋଟ ଦେବାକୁ ସମସ୍ତ ନେତାଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଉଲ୍ଲେଖଥାଉ କି, ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପାଇଁ ବହୁ ଆଗରୁ ଅପିଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ନୃତ୍ୟ ଓ ସଂଗୀତ ମାଧ୍ୟମରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।












Click it and Unblock the Notifications