କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ଲେଖିକା ଡ. ଗାୟତ୍ରୀବାଳା ପଣ୍ଡା
: ବିଶିଷ୍ଟ ଓଡ଼ିଆ କବି ଡ. ଗାୟତ୍ରୀବାଳା ପଣ୍ଡା ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି । ଏ ନେଇ ଆଜି ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି ।
ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ କବି ଡ. ଗାୟତ୍ରୀବାଳା ପଣ୍ଡା ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି । ଏ ନେଇ ଆଜି ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । କବିତା ପୁସ୍ତକ ଦୟାନଦୀ ପାଇଁ ସମ୍ମାନଜନକ ସାହିତ୍ୟ ଏକାଡେମୀ ୨୦୨୨ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

ସେ ଏକାଧାରରେ ଜଣେ କବି, ଲେଖିକା, ଏବଂ ଗାଳ୍ପିକା । ତାଙ୍କ ଲିଖିତ କବିତା ଗୁଡିକ ଭିତରେ ଆହତ ପ୍ରତିଶୃତି, ଅସ୍ପଷ୍ଟ ଈଶ୍ୱର, ଗାଁ, ଯେତିକି ଦିଶୁଛି ଆକାଶ, ଆଖି ନାହିଁ କାନ ନାହିଁ, ବାଘ ଆଦି ଅନ୍ୟନ୍ୟ । ସେହିପରି ବିର୍ସଜନ, ନିଜକୁ ନେଇ ସତ ଗପ ଆଦି ତାଙ୍କ ଲିଖିତ କ୍ଷୁଦ୍ର ଗଳ୍ପ ପାଠକ ବେଶ୍ ପସନ୍ଦ କରିଛନ୍ତି ।
ପୁରସ୍କାର ଘୋଷଣା ପରେ ଡ. ପଣ୍ଡା ଓଡ଼ିଶା ଲିଙ୍କ୍କୁ ନିଜର ପ୍ରତିକ୍ରିୟ ଦେଇ କହିଛନ୍ତି ଯେ ଜଣେ ଲେଖକଙ୍କ ପାଇଁ ପାଠକୀୟ ଶ୍ରଦ୍ଧା ସବୁଠୁ ବଡ଼ ପୁରସ୍କାର। ତେବେ ଆନୁଷ୍ଠାନିକ ସ୍ବୀକୃତି ପ୍ରେରଣା ଦେଇଥାଏ ବୋଲି ସେ କହିଛନ୍ତି। ଏ ଅବସରରେ ଏଥର ପୁରସ୍କାର ଚୟନ କମିଟିର ସଦସ୍ୟ, ପ୍ରକାଶକ ଓ ତାଙ୍କୁ ଭଲପାଉଥିବା ପାଠକମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଏ ପୁରସ୍କାର ତାଙ୍କର ବ୍ୟକ୍ତିଗତ ପ୍ରାପ୍ୟ ନୁହେଁ, ବରଂ ବିଶାଳ ଓ ଦୀର୍ଘ ଓଡ଼ିଆ ସାହିତ୍ୟ ପରମ୍ପରାକୁ ଏହା ଏକ ସ୍ବୀକୃତି ବୋଲି ଡ. ପଣ୍ଡା କହିଛନ୍ତି। 'ଦୟାନଦୀ' କବିତା ସଂକଳନ ଡ. ପଣ୍ଡାଙ୍କର ଅନ୍ୟତମ ପ୍ରସିଦ୍ଧ କବିତା ସଂକଳନ ହୋଇଥିବାବେଳେ ନିକଟରେ ଏହାର ହିନ୍ଦୀ ଅନୁବାଦ ରାଜକମଲ ପ୍ରକାଶନୀ ଦ୍ବାରା ପ୍ରକାଶ ପାଇ ତାଙ୍କୁ ଜାତୀୟ ସ୍ତରରେ ଅଧିକ ପରିଚିତି ଦେଇଛି।
ଗାୟତ୍ରୀବାଳା, ୧୯୭୭ ମସିହା ଅପ୍ରେଲ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲାର ସାଦେଇପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋଲକ ବିହାରୀ ପଣ୍ଡା ଓ ମାତାଙ୍କ ନାମ ଅରୁଣିମା ପଣ୍ଡା । ପିତା ଜଣେ ବ୍ୟାଙ୍କ କର୍ମଚାରୀ ଥିଲେ । ଗାୟତ୍ରୀବାଳା, ସାଦେଇପୁର, ବାଲିକୁଦା ଓ କଟକରେ ନିଜର ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ । ବାପାଙ୍କ ଇଚ୍ଛାଥିଲା ଗାୟତ୍ରୀବାଳା ଡାକ୍ତର ହୁଅନ୍ତୁ, କିନ୍ତୁ ଝିଅର କଳାରେ ଆଗ୍ରହ ଦେଖି, ସେ ସେଦିଗରେ ତାଙ୍କୁ ପ୍ରୋତ୍ସାହିତ କରିଥିଲେ ।
ଗାୟତ୍ରୀବାଳା କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ ଓ ଛାତ୍ର ସଂସଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ପାଠାଗାର ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ସମଗ୍ର ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ପରେ ସେ ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳରୁ ସାମ୍ବାଦିକତା ଓ ଗଣମାଧ୍ୟମରେ ଡିପ୍ଲୋମା ଓ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସାମ୍ବାଦିକତା ପାଠ୍ୟକ୍ରମରେ ଶ୍ରେଷ୍ଠସ୍ଥାନ ଅଧିକାର କରି, ସେ ପବ୍ଲିକ ରିଲେସନ ସୋସାଇଟ ଅଫ ଇଣ୍ଡିଆରୁ ମଧ୍ୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।
ଡ. ପଣ୍ଡାଙ୍କର ଆହତ ପ୍ରତିଶ୍ରୁତି (୨୦୦୧), ଅସ୍ପଷ୍ଟ ଈଶ୍ବର (୨୦୦୨), ଅଣାୟତ (୨୦୦୬), ଗାଁ (୨୦୦୮), ଯେତିକି ଦିଶୁଛି ଆକାଶ (୨୦୧୧), ଆଖି ନାଇଁ କାନ ନାଇଁ (୨୦୧୩), ଏ ରାତିର ଯେତେ ତାରା (୨୦୧୪), ବାଘ (୨୦୧୫), ଦୟାନଦୀ (୨୦୧୭), ମହେଞ୍ଜୋଦାରୋ (୨୦୧୮), ନିର୍ବାଚିତ କବିତା (୨୦୧୯) ଓ ପ୍ରାର୍ଥନାର ଶବ୍ଦପରି (୨୦୨୨) ପ୍ରମୁଖ କବିତା ସଂକଳନ ପ୍ରକାଶ ପାଇସାରିଛି। ସେହିପରି ବିସର୍ଜନ (୨୦୧୫), ନିଜକୁ ନେଇ ସତ ଗପ (୨୦୧୯) ନାମରେ ତାଙ୍କର ଦୁଇଟି ଗଳ୍ପ ସଂକଳନ ଥିବାବେଳେ ମମି ଯାହା ଜାଣେନାହିଁ (୨୦୧୬) ଶୀର୍ଷକ ଏକ ଉପନ୍ୟାସ ମଧ୍ୟ ରହିଛି। ଇଂରାଜୀରେ ଅନୁଦିତ ହୋଇ ତାଙ୍କର କବିତା ସଂକଳନ ଗ୍ରାଣ୍ଡ୍ମା ଆଣ୍ଡ ଅଦର୍ ପୋଏମ୍ସ (୨୦୧୮) ଓ ଗଳ୍ପ ସଂକଳନ ମାଇଁ ଟ୍ରୁଥ୍ ମାଇଁ ଷ୍ଟୋରୀ (୨୦୨୨) ପ୍ରକାଶ ପାଇଛି। ହିନ୍ଦୀରେ ଅନୁଦିତ ହୋଇ ତାଙ୍କର ଚାରିଗୋଟି କବିତା ପୁସ୍ତକ ଧୂପ୍ କୋ ରଙ୍ଗ୍ (୨୦୦୬), ଖୋ ଜାତି ହେ ଲଡ୍କୀୟାଁ (୨୦୧୭), କହନେ କୋ କୁଛ୍ ନହିଁ ହୋତା (୨୦୨୨) ଓ ଦୟାନଦୀ (୨୦୨୨) ପ୍ରକାଶ ପାଇଛି।












Click it and Unblock the Notifications