ଫକୀରମୋହନ ବିଶ୍ଵବିଦ୍ୟାଳୟ ବାଲେଶ୍ୱର ବାସୀଙ୍କ ଆବେଗ, ସ୍ଵପ୍ନ ଓ ନିଷ୍ଠାର ଜୀବନ୍ତ ସୌଧ - ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଜୁଲାଇ ୧୧ - ଫକୀରମୋହନ ବିଶ୍ଵବିଦ୍ୟାଳୟ ଖାଲି ଏକ ଶିକ୍ଷାନୁଷ୍ଠାନ ନୁହେଁ, ଏହା ଅବିଭକ୍ତ ବାଲେଶ୍ୱର ବାସୀଙ୍କ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ, ଆବେଗ, ସ୍ଵପ୍ନ ଓ ନିଷ୍ଠାର ଏକ ଜୀବନ୍ତ ସୌଧ ବୋଲି ବିଶ୍ୱବିଦ୍ୟାଳୟର ୨୫ତମ ସ୍ଥାପନା ଦିବସ ସମାରୋହ ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

dharmendra_pradhan

ଫକୀରମୋହନ ବିଶ୍ଵବିଦ୍ୟାଳୟର ରଜତ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓଡ଼ିଶା ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । ଅନେକ ମହାମନିଷୀଙ୍କୁ ଜନ୍ମ ଦେଇ ଏହି ଜିଲ୍ଲା ଉତ୍କଳ ଜନନୀଙ୍କର ମୁଖ ଉଜ୍ଜ୍ୱଳ କରିଛି । ପୁରୀ ଗୋବର୍ଦ୍ଧନ ପୀଠର ପୂର୍ବତନ ଶଙ୍କରାଚାର୍ଯ୍ୟ, ଭାଗବତର ଆଦି-ଟିକାକାର ଶ୍ରୀଧର ସ୍ୱାମୀ, ଭକ୍ତକବି ଦୀନକୃଷ୍ଣ ଦାସ, କବିବର ରାଧାନାଥ ରାୟ, ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, କବିଶେଖର ଚିନ୍ତାମଣି ମହାନ୍ତି, ଜାତୀୟ କବି ବାଞ୍ଚାନିଧି ମହାନ୍ତି ଏବଂ ସର୍ବୋପରି ସେହି ମହାନ କବି, ଲେଖକ, ଗାଳ୍ପିକ ଓ ପ୍ରାବନ୍ଧିକ, ଯାହାଙ୍କ ନାମରେ ଏହି ବିଶ୍ୱବିଦ୍ୟାଳୟ ନାମିତ ; ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

ବାଲେଶ୍ଵର ମାଟି ହେଉଛି ସାହିତ୍ୟ, ସଂସ୍କୃତି ଓ ସଂଗ୍ରାମର ମାଟି । ଆମର ଓଡ଼ିଆ ଅସ୍ମିତା ତଥା ଭାଷା ଓ ସାହିତ୍ୟ ପାଇଁ ଏ ମାଟି ବେଶ୍ ଗୁରୁତ୍ଵ ବହନ କରେ । ଏହି ଜିଲ୍ଲା ମୋ ପାଇଁ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଏ ମାଟି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପବିତ୍ର ଭୂମି । ଯେତେବେଳେ ଓଡ଼ିଆ ଭାଷା ତା'ର ଅସ୍ମିତାକୁ ବଞ୍ଚାଇବା ଲାଗି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା, ସେତେବେଳେ ସେ ତାଙ୍କର ବଳିଷ୍ଠ ନେତୃତ୍ୱ ବଳରେ ଆମ ଭାଷା ଓ ସାହିତ୍ୟକୁ ରକ୍ଷା କରିଥିଲେ । ଫକୀରମୋହନ ସେନାପତି ହେଉଛନ୍ତି ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ତଥା ଆମ ଭାଷାର ତ୍ରାଣକର୍ତ୍ତା ।ସେନ ଆମ ଭାଷାକୁ ବଞ୍ଚାଇ ଥିବାରୁ ତାକୁ ଆଧାର କରି ଭାଷାଭିତ୍ତିକ ରାଜ୍ୟ ଗଠନର ଦାବି ଉପସ୍ଥାପିତ କରିଥିଲେ ମଧୁବାବୁ । ପ୍ରଥମ ବାଳିକା ବିଦ୍ୟାଳୟ ବି ପ୍ରତିଷ୍ଠା କରିଥିଲେ ଫକୀରମୋହନ । ଫକୀରମୋହନ ସେନାପତି ଥିଲେ ଗାନ୍ଧୀ ଚେତନାର ଅଗ୍ରଦୂତ୍ତ । ଗାନ୍ଧିଜୀଙ୍କ ଅସହଯୋଗ ଓ ଲବଣ ସତ୍ୟାଗ୍ରହର ବହୁ ପୂର୍ବରୁ ଲେଖନୀ ଚାଳନା ମାଧ୍ୟମରେ ସତ୍ୟାଗ୍ରହର କଥା କହିଥିଲେ ଫକୀରମୋହନ ।

ବିଗତ ଅଶୀ ଦଶକରେ ବାଲେଶ୍ଵରର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ରବିନ୍ଦ୍ର ମୋହନ ଦାସଙ୍କ ନେତୃତ୍ଵରେ ଏ ଅଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର ଲାଗି ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାହା ଆଜିକୁ ୨୪ ବର୍ଷ ତଳେ ଫକୀରମୋହନ ବିଶ୍ଵବିଦ୍ୟାଳୟ ରୂପରେ ସ୍ୱୀକୃତି ପାଇଥିଲା । ଏହି ପବିତ୍ର ଅନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ସହିତ ସେମାନଙ୍କୁ ସୁନାଗରିକ କରି ଭବିଷ୍ୟତ ଗଠନ କରିବା ଦିଗରେ ସହଯୋଗୀ ହୋଇଛି । ଶିକ୍ଷକ- ଶିକ୍ଷୟିତ୍ରୀ ମାନଙ୍କର ଗୁଣାତ୍ମକ ଗବେଷଣା ମଧ୍ୟ ଏ ବିଶ୍ଵବିଦ୍ୟାଳୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସୁଖ୍ୟାତି ଦେଇଛି ।

ଏହି ଶିକ୍ଷାନୁଷ୍ଠାନ କେବଳ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା ପାଇଁ ନୁହେଁ, ସାରା ଦେଶରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ଆକର୍ଷଣୀୟ ଅନୁଷ୍ଠାନ ହୋଇପାରିଛି । ଏହା କିଛି କମ୍ ଗୌରବର କଥା ନୁହେଁ । ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ କ୍ଷମତାର ବିକାଶ କରିବା ସହିତ ସେମାନଙ୍କର ବଳିଷ୍ଠ ବ୍ୟକ୍ତିତ୍ଵ ଗଠନ କରି ସୁନାଗରିକ ହିସାବରେ ଦେଶ-ମାତୃକା ଲାଗି ସମର୍ପିତ ହେବା ପାଇଁ ଏହି ଶିକ୍ଷାନୁଷ୍ଠାନ ନିଶ୍ଚିତ ଭାବରେ ପ୍ରେରଣା ଦେବ । ଏହା ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚଳିତ ନୂତନ ଜାତୀୟ ଶିକ୍ଷା ନୀତିର ଆହ୍ଵାନ । ଜାତୀୟ ଶିକ୍ଷା ନୀତି ଅନେକ ବର୍ଷରୁ ଅପେକ୍ଷା ରଖାଯାଇଥିବା ଦେଶର ଶିକ୍ଷା ବ୍ୟବସ୍ଥାରେ ଏକ ଐତିହାସିକ ଏବଂ ବ୍ୟାପକ ପରିବର୍ତ୍ତନ ଆଣିପାରିଛି । ଗୁଣାତ୍ମକ ଶିକ୍ଷା, ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହନ, ସାମଗ୍ରିକ ଶିକ୍ଷା ଆହରଣ, ଗବେଷଣା ଏବଂ ଇନୋଭେସନକୁ ସୁଦୃଢ଼ କରିବା ତଥା ନିଯୁକ୍ତି ଓ ଉଦ୍ୟମିତା, ସାମାଜିକ ଜ୍ଞାନ ଓ ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରି ଭାରତକୁ ଜ୍ଞାନର ବିଶ୍ୱ ଗୁରୁ ଭାବରେ ପରିଣତ କରିବା - ଏହି ଶିକ୍ଷା ନୀତିର ଲକ୍ଷ୍ୟ ରହିଛି । ଜାତୀୟ ଶିକ୍ଷା ନୀତି ଆଧାରରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଆଗାମୀ ଦିନରେ ବୈଶ୍ୱିକ ନାଗରିକ ସୃଷ୍ଟି କରିବ, ଯେଉଁମାନେ କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦେଶ ଏବଂ ବିଶ୍ୱର ମାନବ କଲ୍ୟାଣ ପାଇଁ କାମ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ବ୍ୟାସଦେବଙ୍କ ରଚିତ ମହାଭାରତର ଓଡ଼ିଆ ଅନୁବାଦ କରି ଫକୀର ମୋହନ ସେନାପତି ବ୍ୟାସକବିର ଆଖ୍ୟା ପାଇଥିଲେ । ଛାତ୍ରଛାତ୍ରୀମାନେ ସେହିପରି ନିଜ ନିଜ ବିଷୟରେ ପାରଦର୍ଶିତା ଲାଭ କରି ତାଙ୍କ ନାମରେ ନାମିତ ବିଶ୍ଵବିଦ୍ୟାଳୟର ଖ୍ୟାତିକୁ ଦେଶ ଓ ବିଦେଶରେ ବଢାଇବ - ଏହା ଆମ ସମସ୍ତଙ୍କର ଅଭିଳାଷ । ୨୦୩୬ରେ ଆଉ ପ୍ରାୟ ୧୩ ବର୍ଷ ପରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଆଉ ପ୍ରାୟ ୨୪ ବର୍ଷ ପରେ ଭାରତ ସ୍ୱାଧୀନତା ପାଇବାର ୧୦୦ ବର୍ଷ ପୂରଣ କରିବ । ଏହି ଅମୃତ କାଳରେ ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ ପାଇଁ ନୁହେଁ ବରଂ ସମୂହଙ୍କ ପାଇଁ ବ୍ୟବହାର କରିବାକୁ ହେବ । ଏଥିପାଇଁ ବଡ ଭାବିବାକୁ ପଡିବ, ବଡ ସ୍ୱପ୍ନ ଦେଖିବାକୁ ପଡିବ । ଆପଣମାନେ ସମସ୍ତେ ଏହି କଥାକୁ ଅନୁସରଣ କରିବେ ବୋଲି ଶ୍ରୀ ପ୍ରଧାନ ବିଶ୍ୱାସବ୍ୟକ୍ତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+