ରାଜଧାନୀରେ ବସିବ ଡପଲର ରାଡାର, ଘଡ଼ଘଡ଼ି, ବଜ୍ରପାତ ପାଇଁ ୩ ଘଣ୍ଟା ପୂର୍ବରୁ ମିଳିବ ସୂଚନା
ଭୁବନେଶ୍ବର: ଏଣିକି, ଘଡ଼ଘଡ଼ି, ଭୀଷଣ ବର୍ଷା, ବଜ୍ରପାତ, କାଳବୈଶାଖୀ ସମ୍ପର୍କିତ ସୂଚନା ୩ ଘଣ୍ଟା ପୂର୍ବରୁ ମିଳି ପାରିବ । ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ବସିବ 'ଡପଲର ୱେଦର ରାଡାର' । ଏହି ରାଡାର ଭୁବନେଶ୍ୱର ଓ କଟକର ପାଣିପାଗର ସଠିକ୍ ଆକଳନ କରିବ । ଆଗଆ ସୂଚନା ମିଳିବା ପରେ ଏନେଇ ପ୍ରତିକାର ବ୍ୟବସ୍ଥା କରାଯିବ ।
ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ଜମି ଯୋଗାଇ ଦେବା ପାଇଁ ଆଇଏମଡି ଏସଆରସିଙ୍କୁ ଚିଠି ଲେଖିଛି । ଭୁବନେଶ୍ବରରେ ଏକ ଏକ୍ସ-ବ୍ୟାଣ୍ଡ ରାଡାର ବସାଇବା ପାଇଁ ଯୋଜନା କରାଯାଉଥିବା ଆଇଏମ୍ଡି ଏସଆରସିଙ୍କୁ ଚିଠି ଲେଖି ୪୦୦ ବର୍ଗମିଟର ଜମି ସହିତ କମ୍ପ୍ୟୁଟର ହାଉସିଂ ପାଇଁ ଅତିରିକ୍ତ ୪୦୦ ଫୁଟ୍ର ଜମି ଲୋଡ଼ିଛି ।

ଜମି ନିକଟରେ କୌଣସି ପ୍ରାକୃତିକ ନିର୍ମାଣ ଅର୍ଥାତ ପାହାଡ଼ ପର୍ବତ ନ ଥିବା ଓ ଉଚ୍ଚ ଅଟାଳିକା ନିର୍ମାଣ ହୋଇ ନ ଥିବା ଏଥିରେ ଉଲ୍ଲେଖ କରାଯାଇଛି । ଏହା ସହ ବିଦ୍ୟୁତ୍ ଯୋଗାଣର ବ୍ୟବସ୍ଥା ଥିବା ମଧ୍ୟ ଜରୁରୀ ବୋଲି ଏଥିରେ କୁହାଯାଇଛି ।
ବର୍ତ୍ତମାନ ସହରାଞ୍ଚଳଗୁଡ଼ିକ ପାଇଁ ସହରୀବନ୍ୟା ଏକ ବଡ଼ ସମସ୍ୟା ପାଲଟିଛି । ହଠାତ୍ ହେଉଥିବା ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ଲୋକଙ୍କ ପାଇଁ ସମସ୍ୟା ବଢ଼ୁଛି । ହଠାତ୍ ବର୍ଷାର ତୀବ୍ରତା ଅଧିକ ହେଉଥିବା ହେତୁ ସହରବାସୀଙ୍କ ସମେତ ପ୍ରଶାସନ ପାଇଁ ମଧ୍ୟ ଚିନ୍ତାର କାରଣ ସାଜୁଛି । ଏହି ଏକ୍ସ-ବ୍ୟାଣ୍ଡ ରାଡାର୍ ବସିଲେ ୧୦୦ କିଲୋମିଟର ପରିଧି ମଧ୍ୟରେ ଯେଉଁ ପାଣିପାଗ ଜନିତ ଘଟଣା ଘଟିବ ତାହା ଅତି ସହଜରେ ଜାଣି ହେବ । କଟକ ଓ ଭୁବନେଶ୍ବରରେ ଅଞ୍ଚଳୱାରୀ ବର୍ଷା ଓ ବଜ୍ରପାତର ଆଗୁଆ ସୂଚନା ଦିଆଯିବା ସହିତ କେଉଁ ସ୍ଥାନରେ କେତେ ପରିମାଣରେ ବର୍ଷା ହେବ ତାହା ରାଡାର ସୂଚନା ଦ୍ବାରା ଜାରି କରାଯାଇପାରିବ ।












Click it and Unblock the Notifications