ହାଇକୋର୍ଟରେ ଆଜି କୁକୁର ବନ୍ଧ୍ୟାକରଣ ମାମଲାର ଶୁଣାଣି
ହାଇକୋର୍ଟରେ ଆଜି କୁକୁର ବନ୍ଧ୍ୟାକରଣ ମାମଲାର ଶୁଣାଣି ହେବ। ଏହି ଶୁଣାଣିରେ ହାଇକୋର୍ଟ ବିଏମସି ସପକ୍ଷରେ ଅର୍ଥାତ ବନ୍ଧ୍ୟାକରଣ ଉପରେ ଲାଗିଥିବା ଷ୍ଟେ ଅର୍ଡର ହଟାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

ଅନୁମତି ମିଳିବା ପରେ ତୁରନ୍ତ କୁକୁରଙ୍କ ଅସ୍ତ୍ରୋପଚାର କରାଯିବ ଓ କୁକୁରଜନିତ ସମସ୍ୟାରେ କିଛିଟା ସୁଧାର ଆସିବ ବୋଲି ବିଏମ୍ସି ଅଧିକାରୀ କହିଛନ୍ତି । ସମସ୍ୟା ବଢୁଥିବାରୁ ବିଏମ୍ସି ନିଜ ପକ୍ଷରୁ ଏହି ମାମଲାରେ ହସ୍ତକ୍ଷେପ କରିଥିବାବେଳେ ଅନ୍ୟ କୌଣସି ସହରାଞ୍ଚଳ ବା ମ୍ୟୁନିସିପାଲିଟି ପକ୍ଷରୁ ଏଥିରେ ହସ୍ତକ୍ଷେପ କରାଯାଇଛି କି ନାହିଁ ସେ ନେଇ ସୂଚନା ମିଳିନାହିଁ।
ଷ୍ଟେ ଅର୍ଡର ହଟିବା ପରେ କୁକୁରଙ୍କ ତୁରନ୍ତ ଅସ୍ତ୍ରୋପଚାର କରାଯାଇପାରେ । ବିଏମସି ମାମଲାରେ ନିଜଆଡ଼ୁ ପକ୍ଷ ରଖିବା ସହ ବନ୍ଧ୍ୟାକରଣ ଆରମ୍ଭ ପାଇଁ ଆଦେଶ ଦେବାକୁ ଅପିଲ କରିଥିଲା । ବିଏମସିର ଆବେଦନ ହାଇକୋର୍ଟ ଗ୍ରହଣ କଲେ ଭୁବନେଶ୍ବରରେ ପୁଣି ଥରେ ବନ୍ଧ୍ୟାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି ।
ରାଜ୍ୟରେ ଚାଲିଥିବା ଆନିମଲ ବାର୍ଥ କଣ୍ଟ୍ରୋଲ କାର୍ଯ୍ୟକ୍ରମ ଠିକ ଓ ସୁରକ୍ଷିତ ଭାବେ କରାଯାଉନଥିବା ଅଭିଯୋଗ ହୋଇଥିଲା। ଏହାର ଶୁଣାଣି କରି ୨୦୨୨ ଜୁଲାଇ ୧୦ ତାରିଖରୁ ରାଜ୍ୟରେ ଏବିସି କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଥିଲା। ପ୍ରଥମେ ଅଗଷ୍ଟ ୩୧ ଯାଏ ରୋକ୍ ଲଗାଇବା ସହ ରାଜ୍ୟରେ କୌଣସି ପ୍ରକାରର ଏବିସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ଆଦେଶ ଦେଇଥିଲେ । ମାତ୍ର କୌଣସି କାରଣରୁ ଏହାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିଲା ।
ଏକ ଆକଳନ ଅନୁଯାୟୀ ୬ମାସ ତଳେ କୁକୁରଙ୍କ ସଂଖ୍ୟା ୫୦ହଜାରରୁ ଊର୍ଦ୍ଧ୍ୱ ଥିବାବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୬୦ ହଜାର ଡେଇଁଛି । ହେଲେ ବିଏମ୍ସି ଏଯାବତ୍ କୁକୁର ଗଣନା କରିପାରି ନ ଥିବାରୁ ଠିକ୍ ତଥ୍ୟ ଦିଆଯାଇନାହିଁ ।
ପ୍ରତି ଓ୍ବାର୍ଡ ବୁଲି କେଉଁଠି କେତେ କୁକୁର ଅଛନ୍ତି ତାହାର ଗଣନା କରି ରିପୋର୍ଟ ପ୍ରସ୍ତୁତ କରିବାକୁ ବିଏମ୍ସି ଏକ ସଂସ୍ଥାକୁ ନିଯୁକ୍ତ କରିବା ନେଇ ଯୋଜନା କରିଥିଲା । ମାତ୍ର ସମୟକ୍ରମେ ଏହା ଅଟକି ଯାଇଛି ।












Click it and Unblock the Notifications