ଜିଲ୍ଲାପାଳଙ୍କ ବୃକ୍ଷରୋପଣ ଖୋଲୁଛି ନବରଙ୍ଗପୁର କୋଭିଡ୍ ମୃତ୍ୟୁର ଗୁମର !
ନବରଙ୍ଗପୁରର କୋଭିଡ୍ ମୃତ୍ୟୁ ରିପୋର୍ଟକୁ ନେଇ ଏବେ ଏମିତି କିଛି ବିବାଦ ଆରମ୍ଭ ହୋଇଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କରିଛନ୍ତି ବିରୋଧୀ ।
ଭୁବନେଶ୍ବର: ନବରଙ୍ଗପୁରର କୋଭିଡ୍ ମୃତ୍ୟୁ ରିପୋର୍ଟ ନେଇ କିଏ କହୁଛି ସତ ? ଜିଲ୍ଲାପାଳ ନା ରାଜ୍ୟ ସରକାରଙ୍କ କୋଭିଡ ଡ୍ୟାସ୍ବୋର୍ଡ ? କାହାର ରିପୋର୍ଟ ଠିକ୍ ? ଜିଲ୍ଲାପାଳଙ୍କ ଫେସବୁକ୍ ପୋଷ୍ଟ ନା ରାଜ୍ୟ ଦେଉଥିବା ତଥ୍ୟ ? କାରଣ ନବରଙ୍ଗପୁରର କୋଭିଡ୍ ମୃତ୍ୟୁ ରିପୋର୍ଟକୁ ନେଇ ଏବେ ଏମିତି କିଛି ବିବାଦ ଆରମ୍ଭ ହୋଇଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କରିଛନ୍ତି ବିରୋଧୀ ।

ରାଜ୍ୟ ସରକାରଙ୍କ କୋଭିଡ ଡ୍ୟାସ୍ବୋର୍ଡ ଅନୁଯାଇ, ନବରଙ୍ଗପୁର ଜିଲ୍ଲାରେ କରୋନାରେ ଏଯାବତ୍ 45 ଜଣଙ୍କ ମୃତ୍ୟୁ ଘଟିଛି । କିନ୍ତୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସିଆଲ୍ ଫେସ୍ବୁକ୍ରେ କରାଯାଇଥିବା ଦୁଇଟି ପୋଷ୍ଟରେ ଜିଲ୍ଲାରେ କରୋନାରେ 114 ଜଣଙ୍କ ମୃତ୍ୟୁ ଘଟିଥିବା ଉଲ୍ଲେଖ କରାଯାଇଛି। ଆଉ ଦୁଇଟି ଭିନ୍ନ ଭିନ୍ନ ତଥ୍ୟକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବିବାଦ। ବିରୋଧୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାରେ କରୋନା ମୃତ୍ୟୁକୁ ନେଇ ଦେଇଥିବା ସୂଚନା ମିଛ।

ଖବର ଅନୁଯାୟୀ, ବିଶ୍ୱ ପରିବେଶ ଦିବସ ଅବସରରେ ଜୁନ 5 ରେ ନନ୍ଦାହାଣ୍ଡି ବ୍ଳକ୍ ଅନ୍ତର୍ଗତ ନୂଆଗଡ଼ର ଶାନ୍ତି ଆନନ୍ଦ ସରୋବର ପରିସରରେ 114 ଟି ବୃକ୍ଷ ରୋପଣ କରାଯାଇଥିଲା। ତେବେ ପରଦିନ ଅର୍ଥାତ ଜୁନ 6 ତାରିଖରେ ଜିଲ୍ଲାପାଳ ତାଙ୍କ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରି ଲେଖିଥିଲେ ଯେ, ମହାମାରୀର ପ୍ରଥମ ଏବଂ ଦ୍ୱିତୀୟ ଲହରୀ ସମୟରେ ଜିଲ୍ଲାରେ କରୋନାରେ ପ୍ରାଣ ହରାଥିବା 114 ଜଣ ବ୍ୟକ୍ତିଙ୍କ ସ୍ମୃତିରେ ଏହି 114ଟି ଗଛ ଲଗାଯାଇଛି। ଏହା ସହିତ ଏଥିରେ ବୃକ୍ଷରୋପଣର ଦୁଇଟି ଫଟୋ ମଧ୍ୟ ପୋଷ୍ଟ କରାଯାଇଛି, ଯେଉଁଥିରୁ ଗୋଟିକରେ ଖୋଦ ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଅଛନ୍ତି। ଆଉ ଅନ୍ୟଟିରେ ଅଛନ୍ତି ଏସ୍ପି। ଏହି ଦୁଇଟି ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବନ ବିଭାଗ ଓ ମୋ ସରକାର-5ଟିକୁ ଟ୍ୟାଗ୍ କରାଯାଇଛି।
ତେବେ ଏଠି ପ୍ରଶ୍ନ ଉଠୁଛି, କାହାର ରିପୋର୍ଟ ଠିକ୍ ? ଜିଲ୍ଲାପାଳଙ୍କ ଫେସବୁକ୍ ପୋଷ୍ଟ ନା ରାଜ୍ୟ ଦେଉଥିବା ତଥ୍ୟ ? ଜିଲ୍ଲାପାଳଙ୍କ ଫେସବୁକ୍ ପୋଷ୍ଟ ନବରଙ୍ଗପୁରର କୋଭିଡ୍ ମୃତ୍ୟୁ 114 କହୁଥିବା ବେଳେ ରାଜ୍ୟ ସରକାରଙ୍କ କୋଭିଡ ଡ୍ୟାସ୍ବୋର୍ଡ କହୁଛି 45 ଜଣଙ୍କ ମୃତ୍ୟୁ ଘଟିଛି । ଯାହା ଏବେ ବିବାଦ ଘେରକୁ ଟାଣି ହୋଇଯାଉଛି ।












Click it and Unblock the Notifications