ରାଜଧାନୀରେ ରାତି ୧୦ ପରେ ବାଜିବନି ଡିଜେ, ନିୟମ ଉଲଙ୍ଘନ କଲେ ବାନ୍ଧିବ ପୋଲିସ
ବିବାହ ଶୋଭାଯାତ୍ରାରେ ବାଜିବନି ଡିଜେ, ଫୁଟିବନି ବାଣ । ଏନେଇ ପୂର୍ବରୁ ନିୟମ ରହିଛି । କିନ୍ତୁ ଏହି ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ରାଜଧାନୀବାସିନ୍ଦା । ବିବାହ ଶୋଭାଯାତ୍ରା ପାଇଁ ଅନୁମତି ନେଉଥିଲେ ମଧ୍ୟ ଡିଜେ ଓ ବାଣ ଫୁଟାଉଥିବାର ଦେଖିବାକୁ ମିଳୁଛି ।
ଭୁବନେଶ୍ବର: ବିବାହ ଶୋଭାଯାତ୍ରାରେ ବାଜିବନି ଡିଜେ, ଫୁଟିବନି ବାଣ । ଏନେଇ ପୂର୍ବରୁ ନିୟମ ରହିଛି । କିନ୍ତୁ ଏହି ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ରାଜଧାନୀବାସିନ୍ଦା । ବିବାହ ଶୋଭାଯାତ୍ରା ପାଇଁ ଅନୁମତି ନେଉଥିଲେ ମଧ୍ୟ ଡିଜେ ଓ ବାଣ ଫୁଟାଉଥିବାର ଦେଖିବାକୁ ମିଳୁଛି ।

ତେବେ ଏଣିକି ଡିଜେ ଓ ବାଣଫୁଟା ନିୟମ ନମାନିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ରାତି ୧୦ ପରେ ଯଦି କିଏ ଡିଜେ ବଜାଇବା ଦେଖିବାକୁ ମିଳିବ କି ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ।
ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜଧାନୀରେ ବାହାଘର ଓ ଅନ୍ୟାନ୍ୟ ଉତ୍ସବ ପାଇଁ କଟକଣା ଲାଗିଥିଲା । କରୋନା ସ୍ଥିତିରେ ସୁଧାର ଆସିବା ପରେ ସାମାଜିକ କାର୍ଯ୍ୟକ୍ରମ, ବିଶେଷ କରି ବିବାହ ଉତ୍ସବ ପାଇଁ ଅନୁମତି ମିଳିଛି । ହେଲେ ରାତି ୧୦ଟା ପରେ କେହି ଡିଜେ ବଜାଇ ପାରିବେ ନାହିଁ କି ବାଣ ଫୁଟାଇ ପାରିବେ ନାହିଁ ବୋଲି ନିୟମ ରହିଛି । କିଛି ସ୍ଥାନରେ ଏହି ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ଅଭିଯୋଗ ଆସିବା ପରେ କଠୋର ଆଭିମୁଖ୍ୟ ଦେଖାଇଛି କମିଶନରେଟ ପୋଲିସ ।
ତେଣୁ ରାତି ୧୦ଟା ପରେ କୌଣସି ବିବାହ ଶୋଭାଯାତ୍ରା ହେଉଥିଲେ ୦୬୭୪୨୫୪୦୨୯୪ ନମ୍ବରରେ କଲ କରି ଜଣାଇବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଯଦି କେହି ନିୟମର ଉଲ୍ଲଂଘନ କରିଥାଏ ତେବେ ତାଙ୍କ ବିରୋଧରେ ତୁରନ୍ତ ଅର୍ବାନ ପୋଲିସ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।












Click it and Unblock the Notifications