ଶ୍ରୀକ୍ଷେତ୍ରରେ ଦୀପାବଳି: ପୟାଶ୍ରାଦ୍ଧ ଦେବେ ଶ୍ରଦ୍ଧାଳୁ, ଶ୍ରୀମନ୍ଦିର ସମ୍ମୁଖରେ ଡାକିବେ ବଡ଼ବଡ଼ୁଆ
ଆଜି ଆଲୋକର ପର୍ବ ଦୀପାବଳିରେ କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିବା ସହ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ(ପୟା ଶ୍ରାଦ୍ଧ) ଦେବେ ଶ୍ରଦ୍ଧାଳୁ । ସେଥିପାଇଁ ଶ୍ରୀକ୍ଷେତ୍ରକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି । ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ନିକଟ ଏମାର ମଠ ଚକଡ଼ାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।
ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ସମ୍ଭାବନା :
ସୋମବାର ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପୟାଶ୍ରାଦ୍ଧ ଅବସରରେ ବଡ଼ବଡ଼ିଆ ପର୍ବ ପାଳନ କରିବେ ହଜାର ହଜାର ଶ୍ରଦ୍ଧାଳୁ । ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିଂହଦ୍ଵାର ନିକଟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଫୋର୍ସ ମୁତୟନ ରହିବେ । ମୋଟ ୨୮ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ଵରେ ରହିବେ ।
୪ଟି ସ୍ଥାନରେ ବ୍ୟାରିକେଡ଼୍ ଘେରାଇ ତଳେ ବାଲି ପକାଯିବା ସହ ଶ୍ରଦ୍ଧାଳୁମାନେ ସେଠାରେ କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିବାକୁ ପ୍ରସ୍ତୁତି ହେଉଛି । କୌଣସି ଅଘଟଣର ସାମ୍ନା କରିବାକୁ ଅଗ୍ନିଶମବାହିନୀଙ୍କ ସମେତ ଆମ୍ବୁଲାନ୍ସ ରହିବ । କାର୍ତ୍ତିକ ମାସ ଅବସରରେ ଶ୍ରୀମନ୍ଦିରରେ ପ୍ରଚଳିତ ଦର୍ଶନ ବ୍ୟବସ୍ଥାର କୌଣସି ପରିବର୍ତ୍ତନ ହୋଇ ନଥିବା ସୂଚନା ଦେଇଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂହ ।

ଆଲୋକର ପର୍ବ ଦୀପାବଳିରେ ବଡ଼ଦାଣ୍ଡ ସମେତ ତୀର୍ଥ ପୁଷ୍କରିଣୀରେ ଲାଗିବ ପ୍ରବଳ ଭିଡ଼ । ସକାଳୁ ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର ସମେତ ପବିତ୍ର ମହୋଦଧିରେ ସ୍ନାନକରି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପହଞ୍ଚିବେ । ଶ୍ରୀଜଗନ୍ନାଥଙ୍କୁ ସାକ୍ଷୀ ରଖି ପୂର୍ବଜଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବେ । ପୂର୍ବପୁରୁଷଙ୍କ ମୋକ୍ଷପ୍ରାପ୍ତି ଓ ପରିବାର ପାଇଁ ଆର୍ଶୀବାଦ ଲାଭ କରିବେ ।
ଠାକୁରଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରି ବ୍ରାହ୍ମଣ ଭୋଜନ କରାଇ ପୂଣ୍ୟ ଅର୍ଜନ କରିବେ । ଦୀପାବଳି ଅବସରରେ ସନ୍ଧ୍ୟାରେ ସୁସଜ୍ଜିତ ଆଲୋକମାଳାରେ ସାରା ସହର ଝଲସି ଉଠିବ । ସହରବାସୀ ଘରେ ଘରେ ଦୀପ ଓ ମହମବତୀ ଲଗାଇବା ସହ କାଉଁରିଆ ଜାଳିବେ । ବିଭିନ୍ନ ଅନୁଷ୍ଠାନ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ ହେବ । ବ୍ୟବସାୟିକ ଅନୁଷ୍ଠାନ ବେଶ ଜାକଜମକରେ ପାଳନ କରିବେ । ବିପଦଜନକ ବାଣ ନଫୁଟାଇବାକୁ ଗଣମାଧ୍ୟମ ଜରିଆରେ ଏସ୍ପି ସିଂହ ସଭିଙ୍କୁ ଅନୁରୋଧ କରିଛନ୍ତି ।
ବୀରଗୋବିନ୍ଦପୁର ଦକ୍ଷିଣକାଳୀ ମନ୍ଦିରରେ ପୋଲିସ ମୁତୟନ:
ସେହିପରି ବୀରଗୋବିନ୍ଦପୁରର ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ସହିତ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଆଲୋକିକରଣ ସହିତ ପାର୍କିଂ ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ଦୀପାବଳି ଅମାବାସ୍ୟାରେ ପୟାଶ୍ରାଦ୍ଧ ପାଳନ ଏବଂ ବଡ଼ବଡ଼ିଆ ଡାକ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରକୁ ଆସି ଶ୍ରୀମନ୍ଦିର ସିଂହଦ୍ଵାରରେ ଏକାଠି ହୋଇଥାନ୍ତି । ଏକ ଭିନ୍ନ ଆଧ୍ୟାତ୍ମିକ ପରିବେଶ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥାଏ । ତେବେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବା ପୁରୀ ପୌର ଅଧିକାରୀ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଚାରିପାଖ ସାହି ରାସ୍ତା, ବଡ ଦାଣ୍ଡ ସଫେଇ ପାଇଁ ବ୍ୟବସ୍ଥା ହୋଇଛି ।
ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା:
ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି, "ପୁରୀ ସହର ଭିତରେ ବାଣ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସହରଠାରୁ ଦୂରରେ ଥିବା ତାଳବଣିଆ ପଡିଆରେ ବାଣ ଦୋକାନ ପାଇଁ ଅନୁମତି ଦିଆଯାଇଛି । ଯାହା ଫାୟାର ସେଫ୍ଟି ନିୟମ ଅଛି ତାହା ପାଳନ ପାଇଁ ଦୋକାନିଙ୍କୁ କୁହାଯାଇଛି । ଅଗ୍ନିଶମ ବାହିନୀ, ପୋଲିସ ଓ ପୌର କର୍ମଚାରୀ ସେଠାରେ ଉପସ୍ଥିତ ରହିବେ । ପାନୀୟ ଜଳ ବ୍ୟବସ୍ଥା ସହ ପରିମଳ ବ୍ୟବସ୍ଥା କରାଯାଇଛି । ବଡ ଦାଣ୍ଡରେ ସଫେଇ କିଭଳି ଠିକରେ ହୋଇ ପାରିବ ସେନେଇ ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଏମାର ମଠ ଚକଡାରୁ କାକୁଡି ଖାଇ ମନ୍ଦିର ଯାଏ କାଉଁରିଆ କାଠି ଜାଳିବା ପାଇଁ ବ୍ୟବସ୍ଥା କରାଯାଉଛି ।"
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications