Diwali 2024: ଆଜି ପବିତ୍ର ଦୀପାବଳି ଅମାବାସ୍ୟା, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ପକାଇବେ ଶ୍ରଦ୍ଧାଳୁ
ଆଜି ପବିତ୍ର ଦୀପାବଳି ଅମାବାସ୍ୟା । ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ବା ବଡ଼ବଡୁଆଙ୍କୁ ଡାକିବେ ଶ୍ରଦ୍ଧାଳୁ । ଏଥିପାଇଁ ପୁରୀରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଗା ଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିବେ ଦର୍ଶନାର୍ଥୀ ।
ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍ । ଅନ୍ଧାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଦୀପାବଳି । କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଏ । ଦୀପାବଳିର କିଛି ଦିନ ପୂର୍ବରୁ ହିଁ ପ୍ରତ୍ୟକ ଘରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ଆଜିର ଦିନରେ ଦୀପ ଜାଳିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠେ ପ୍ରତ୍ୟକ ଘର । ଦୀପାବଳି ଦିନ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ ।
ତେବେ ଚଳିତ ବର୍ଷ ଅକ୍ଟୋବର ୩୧ ଓ ନଭେମ୍ବର ୧ ତାରିଖ, ଦୁଇ ଦିନ ରହିଛି ଅମାବାସ୍ୟା ତିଥି । ତେଣୁ କେଉଁ ଦିନ ଦୀପାବଳୀ ପାଳନ କରାଯିବ ସେ ନେଇ ଦେଖାଦେଇଛି ଦ୍ଵନ୍ଦ । କୋହେନୂର କ୍ୟାଲେଣ୍ଡରରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଅକ୍ଟୋବର ୩୧ ତାରିଖରେ ପଡୁଛି ଦୀପାବଳି। ସେହିପରି ବିରଜା ପାଞ୍ଜିରେ ମଧ୍ୟ ଅକ୍ଟୋବର ୩୧ ତାରିଖରେ ଦୀପାବଳି ପଡୁଥିବା ଉଲ୍ଲେଖ ରହିଛି। ତେବେ ଅସଲି ଖଡ଼ିରତ୍ନ ପଞ୍ଜିକାରେ ୩୧ରେ ଶ୍ୟାମାକାଳୀ ପୂଜା ଉଲ୍ଲେଖ ରହିଛି। ଆଉ ନଭେମ୍ବର ୧ ତାରିଖରେ ବଡ଼ବଡ଼ିଆ ଡାକ ଓ ଦୀପାବଳି ପାଳନ ହେବା ନେଇ ସୂଚନା ରହିଛି।

ଶ୍ରୀମନ୍ଦିର ସଂସ୍କୃତି ଅନୁଯାୟୀ ସୂର୍ଯ୍ଯୋଦୟ ପରେ ତିଥି ରହିଲେ ସେଦିନ ଏହାକୁ ପାଳନ କରାଯାଇଥାଏ । ତେଣୁ କାଳୀପୂଜା ମଧ୍ଯରାତ୍ରୀରୁ କରାଯାଉଥିବାରୁ ୩୧ ତାରିଖ ରାତିରେ ଦେବୀ ପୂଜା କରାଯିବ । ସେହିପରି ୧ ତାରିଖରେ ଶ୍ରୀମନ୍ଦିରେ ଦୀପାବଳି ପାଳନ କରାଯିବ । ସେହିଦିନ ଶ୍ରୀମନ୍ଦିର ନିକଟରେ ଶ୍ରଦ୍ଧାଳୁ ମାନେ ପ୍ରୟା ଶ୍ରାଦ୍ଧ ପାଳନ କରି ସହ ବଡୁ ବଡୁଆ ଡାକିବେ l
ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକରୁ ଆସିଥିବା ପିତୃପୁରୁଷଙ୍କୁ ଆଜି ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ବିଧି ରହିଛି । କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକନ୍ତି ଶ୍ରଦ୍ଧାଳୁ । ଆଜି ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିବାର ପରମ୍ପରା ରହିଛି । ବିଧି ମୁତାବକ ଫଳ, ଫୁଲ, ଚନ୍ଦନ ଆଦି ଦ୍ରବ୍ୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରାଦ୍ଧ ଦାନ କରିଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ତରଫରୁ କଡା ସୁରକ୍ଷା ଏବଂ ବ୍ୟାରିକେଡ କରାଯାଇଛି । ଜଗା ଦର୍ଶନ ସହ ପୟାଶ୍ରାଦ୍ଧ ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ।
ପୁରାଣ ଅନୁଯାୟୀ, ୧୪ ବର୍ଷ ପରେ ରାମ, ରାବଣଙ୍କୁ ବଧ କରି ଦୀପାବଳିରେ ଅଯୋଧ୍ୟା ଫେରିଥିଲେ । ଅଯୋଧ୍ୟାର ପ୍ରତ୍ୟକ ଘରେ ଘୃତ-ଦୀପ ଜାଳି ଆଜିର ଦିନରେ ରାମଙ୍କୁ ସ୍ୱାଗତ କରାଯାଇଥିଲା । ସେହିପରି ଦ୍ୱାପର ଯୁଗର ଦୀପାବଳି ଶ୍ରୀକୃଷ୍ଣ ନାରକାସୁରକୁ ବଧ କଲା ପରେ ତା'ପରଦିନ ବ୍ରଜବାସୀ ଦୀପ ଜାଳି ଉତ୍ସବ ପାଳନ କରିଥିଲେ ।
ପୁରାଣ ଅନୁସାରେ ହିନ୍ଦୁ ଧର୍ମରେ ମହାଳୟା ଦିନ ଠାରୁ ପିତୃ ପୁରୁଷ ମାନେ ମର୍ତ୍ତ୍ୟ ପୁରକୁ ଆସିଥାନ୍ତି । ସେଥିପାଇଁ ଉକ୍ତ ମାସକୁ ମହଳା ମାସ ମଧ୍ୟ କୁହାଯାଇଥାଏ । ଏହି ସମୟରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି । ତେଣୁ ମହାଳୟାକୁ ମର୍ତ୍ତ୍ୟକୁ ଆସିଥିବା ପିତୃ ପୁରୁଷ ମାନଙ୍କୁ ଏହିଦିନ ବିଦାୟ ଦିଆଯାଇଥାଏ । ପିତୃ ପୁରୁଷଙ୍କୁ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ଘରର ଦେଇପିଣ୍ଡିରେ କାଉଁରିଆ କାଠି ଜାଳି ବାଡି ପାଖ ଖତ ଗଦାରେ ପୋତା ଯାଇଥାଏ । ପିତୃ ପୁରୁଷଙ୍କୁ ସ୍ୱର୍ଗ ଲୋକକୁ ଫେରିବା ପାଇଁ କାଉଁରିଆ କାଠି ଜାଳି ଆଲୋକ ଦେଖା ଯାଇଥାଏ ।
ଅନେକ ଲୋକ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ବି ଜାଳି ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି । ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବାଇଶି ପାହାଚରେ ଶ୍ରାଦ୍ଧ ବା ପିଣ୍ଡଦାନ କରି ସିଂହଦ୍ୱାର ସମ୍ମୁଖରେ ବଡ଼ବଡ଼ିଆ ଡାକିଥାନ୍ତି ।












Click it and Unblock the Notifications