ଆମ୍ବଟାକୁଆ ମୃତ୍ୟୁ ଘଟଣାକୁ ନେଇ ବଡ଼ ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଫଙ୍ଗାଲ ଇନ୍ଫେକ୍ସନ ଯୋଗୁ ହେପାଟାଇଟିସ୍
କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଚିକିତ୍ସାଧୀନ ଅଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି, ଏସ୍ସିବିରେ ଚିକିତ୍ସିତ ରୋଗୀଙ୍କ ହେପାଟାଇଟିସ୍ ହୋଇଛି। ଫଙ୍ଗାଲ ଇନ୍ଫେକ୍ସନ ଯୋଗୁ ହେପାଟାଇଟିସ୍ ହୋଇଥାଏ। ଯେଉଁମାନେ ପ୍ରଥମ ଦିନ ଖାଇଥିଲେ କିଛି ଅସୁବିଧା ନ ଥିଲା। ମାତ୍ର ଏହି ଜାଉକୁ ୨ରୁ ୩ ଦିନ ରଖି ଖାଇବା ଫଳରେ ସେଥିରେ ଫଙ୍ଗାଲ ବୃଦ୍ଧି ହେଲା। ଏଥିସହ ଟକ୍ସିନ ମଧ୍ୟ ହେଲା ଫଳରେ ଶରୀର ବିଷାକ୍ତ ହୋଇପଡ଼ିଲା।
ସେମାନଙ୍କ ମଧ୍ୟରୁ ଟୁନି ମାଝୀ ଓ ଗୀତା ମାଝୀଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଆଇସିୟୁରେ ରଖାଯାଇଥିଲା। ଉଭୟଙ୍କ ଯକୃତରେ ସମସ୍ୟା ରହିଥିବାରୁ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ସେହିପରି ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କୁ ଏମ୍କେସିଜିରୁ ଏସ୍ସିବିକୁ ଅଣାଯିବା ପରେ ଏସ୍ସିବି ମେଡିସିନ୍ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି। ଦୁହିଁଙ୍କର ସମସ୍ତ ରୁଟିନ୍ ରକ୍ତ ପରୀକ୍ଷା କରାଯାଇଛି। ଉଭୟ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଥିବା ବେଳେ ଜ୍ବର, ବାନ୍ତି ଓ ଲିଭର୍ ସଂକ୍ରମଣ ହୋଇଛି। ଟୁନିଙ୍କ ପେଟ ଓ ଛାତିରେ ପାଣି ଜମିଥିବା ତାଙ୍କୁ ଚିକିତ୍ସା କରୁଥିବା ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି। ମେଡିସିନ୍, ହେପାଟୋଲୋଜି, କ୍ରିଟିକାଲ୍ କେୟାର୍ ୟୁନିଟ୍ର ବିଶେଷଜ୍ଞଙ୍କୁ ନେଇ ଗଠିତ ଟିମ୍ ଉଭୟଙ୍କ ଚିକିତ୍ସା କରୁଛନ୍ତି।












Click it and Unblock the Notifications